ଧୋଇଗଲା ପରିବା ଚାଷ, ଚିନ୍ତାରେ ଚାଷୀ

ବାଲିଅନ୍ତା: ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲେ। କିଏ ନିଜ ସଞ୍ଚୟ ଅର୍ଥ ଚାଷରେ ଲଗାଇଥିଲା ତ କିଏ ବ୍ୟାଙ୍କରୁ ଋଣ କରି କିମ୍ବା ହାତଉଧାରି କରି ଚାଷ କରିଥିଲେ। ଆଶା ଥିଲା, ଚାଷରୁ ପରିବାର ପ୍ରତିପୋଷଣ ହେବା ସହ ଭଲ ଦି’ ପଇସା ଆୟ ହେବ। ମାତ୍ର ବନ୍ୟାରେ ସବୁ ଆଶା ପାଣିଫୋଟକା ଭଳି ମିଳେଇ ଯାଇଛି। ବନ୍ୟା ପାଣିରେ ଫସଲ ନଷ୍ଟ ହେବା ପରେ ଏବେ ଚାଷୀ ଚିନ୍ତାରେ ପଡ଼ି ଯାଇଛି। ଚଳିତ ବନ୍ୟାରେ ରାଜଧାନୀ ଉପକଣ୍ଠରେ ଚାଷୀଙ୍କ ଭାତହାଣ୍ଡି ଉଜୁଡ଼ି ଯାଇଛି।

ସପ୍ତାହେ ଧରି ବନ୍ୟାପାଣି ଜମି ରହିବା ଫଳରେ ଧାନ, ପାନ ଏବଂ ବ୍ୟାପକ ପନିପରିବା ଫସଲ କ୍ଷୟକ୍ଷତି ହୋଇଛି। କୁଆଖାଇ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀ ପଠା ଅଞ୍ଚଳରେ ହୋଇଥିବା ଚାଷୀଙ୍କ ଏକର ଏକର ପନିପରିବା ଫସଲ ଧୋଇ ଯାଇଛି। ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ ହୋଇଥିବା ଫସଲ କିଆରି ନଷ୍ଟ ହୋଇଯାଇଛି। ପାଣି ଛାଡ଼ିଯିବା ପରେ ପଠା ଦିଶିଲାଣି। ହେଲେ କିଆରିରେ ଖାଲି ଖୁଣ୍ଟା ଗଛ ଠିଆ ହୋଇଛି।

ଏବେ ସୁଦ୍ଧା କିଛି ଗାଁ ଗଣ୍ଡା ପାଣିଘେରରେ ରହିଛି। ବିଲବାଡ଼ିରେ କିନ୍ତୁ ପାଣି ଲହଡ଼ି ମାରୁଛି। ତେଣୁ ଧାନ, ପାନ ଓ ପରିବା ଫସଲ ଧୋଇଯିବା ପରେ ଚାଷୀମାନେ କିଭଳି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ହେଲେ ଚା‌ଷୀ ପୁଣି ଧାନ ତଳି ଓ ପନିପରିବା ତଳି ପକାଇବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ସଅଳ କିସମର ଧାନ ବିହନ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି। ଦୟାନଦୀ ପଠାର ସରଦେଇପୁର, କୁମାରଡିହ, ଇଟିପୁର, କୁକୁଡ଼ାଘାଇ ପାଟଣା, ଜୟପୁର ଆଦି ଅଞ୍ଚଳରେ ପ୍ରାୟ ୩୦ ଏକର ପନିପରିବା କିଆରିରେ ପଟୁ ମାଡ଼ି ଯାଇଛି।

ସରଦେଇପୁର ଗ୍ରାମର ଚାଷୀ ଅମୂଲ୍ୟ ପ୍ରଧାନଙ୍କ କହିବାନୁସାରେ, ସେ ୪୦ ହଜାର ଟଙ୍କା ଖର୍ଚ୍ଚ ଖରି ୧୫ଗୁଣ୍ଠ ଜମିରେ ଭେଣ୍ଡି, ୭ଗୁଣ୍ଠ କଖାରୁ ଓ ୫ଗୁଣ୍ଠ ଜମିରେ ବାଇଗଣ ଲଗାଇଥିଲେ। ଭେଣ୍ଡି ତୋଳା ଆରମ୍ଭ ହୋଇଥିଲା। ପହିଲି ହାଟ ପାଳିରେ ୪୦୦ ଟଙ୍କାର ଭେଣ୍ଡି ବିକିଥିଲେ। ସେହିପରି ବାଇଗଣ ଗଛରେ ଫଳ ଧରିଥିଲା। ବନ୍ୟା ଆସି ନଥିଲେ,୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ହୋଇଥା’ନ୍ତା। ମାତ୍ର ବନ୍ୟା ସବୁ ବିଗାଡ଼ି ଦେଇଛି। ସେହିପରି ଅନୁରୂପ ଭାବେ ସରଦେଇପୁର ଗ୍ରାମର ତ୍ରିନାଥ ପ୍ରଧାନ, ବିଜୟ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ପ୍ରମୋଦ ପ୍ରଧାନ ଏବଂ କୁମାରଡିହ ଗ୍ରାମର କରୁ ପ୍ରଧାନ ଏବଂ ରାଜେନ୍ଦ୍ର ପ୍ରଧାନଙ୍କର ଏକର ଏକର ପନିପରିବା ଫସଲ ବନ୍ୟାରେ ଧୋଇଯାଇଛି। କୁଶଭଦ୍ରା ବନ୍ୟାରେ ବାଲିଅନ୍ତା ବ୍ଲକ ଅଧୀନ ପଟୁପଡ଼ା, ସୁବାଲୋ, ବୁଢ଼ାଲୋ, ସାନ ବଇଁଚୁଆ, ଅରିଙ୍ଗୋଳ, ଭିଙ୍ଗାରପୁର, ରାମଚନ୍ଦ୍ରପୁର, ନୂଆସାହି, କୁଳସାହି, ସାହେବନଗର ଆଦି ସ୍ଥାନରେ ହେକ୍ଟର୍‌ ହେକ୍ଟର୍‌ ଜମିରେ ପନିପରିବା ଚାଷ ଧୋଇଯାଇଛି। ଭାର୍ଗବୀ ନଦୀର ଝିଣ୍ଟିଶାସନ, ଚଢ଼େଇବର ଚାଷୀମାନଙ୍କ ଅବସ୍ଥା ମଧ୍ୟ ସମାନ।

ଉଲ୍ଲେଖଯୋଗ୍ୟ, ଏଥର ବନ୍ୟାରେ ବାଲିପାଟଣା ବ୍ଲକର ୬ଟି ପଞ୍ଚାୟତ ଏବଂ ବାଲିଅନ୍ତା ବ୍ଲକର ଝିଣ୍ଟିଶାସନ, ପୁରୋହିତପୁର ଏବଂ ପୂରଣପଧାନ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ପ୍ରଭାବିତ ହୋଇଛି। ବଡ଼ କଥା ହେଉଛି, ବନ୍ୟା ପାଣି ଛାଡ଼ି ଯାଇଥିଲେ ମଧ୍ୟ ବ୍ଲକ କୃଷି କର୍ମଚାରୀମାନେ ଅନୁଧ୍ୟାନ ନ କରିବା ନେଇ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର