ବଞ୍ଚିଛି ପୁରୁଣା ବ୍ୟବସ୍ଥା: ମହୁଲ ବଦଳରେ ପରିବା, ଶାଳମଞ୍ଜି ଦେଇ ଆଣୁଛନ୍ତି ଲୁଣ

ମାଲକାନଗିରି: ମୁଦ୍ରା ବିନିମୟ ପୂର୍ବରୁ ବ୍ୟବସାୟର ପ୍ରମୁଖ ମାଧ୍ୟମ ଥିଲା ସାମଗ୍ରୀ ଅଦଳ ବଦଳ। କିନ୍ତୁ ସମୟ ସହ ବଦଳି ଗଲା ବାଣିଜ୍ୟର ମାଧ୍ୟମ।ଧାତୁ ମୁଦ୍ରା ଯୋଗୁଁ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରିତ ହେଲା। ବର୍ତ୍ତମାନ ଆଧୁନିକତା ସବୁ ବିନିମୟର ପରିଭାଷାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମୁଦ୍ରା ବ୍ୟବହାର ପୂର୍ବାପେକ୍ଷା କମିଥିବା ବେଳେ କାଁ ଭାଁ ହିଁ ସାମଗ୍ରୀ ଅଦଳ ବଦଳ ପ୍ରକ୍ରିୟାର ବ୍ୟବସାୟ ଦେଖିବାକୁ ମିଳୁଛି। ତେବେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ  ତଥା ଅନୁନ୍ନତ ଜିଲ୍ଲାର କିଛିକାଂଶରେ ଜିନିଷ ଅଦଳ ବଦଳ କରି ବ୍ୟବସାୟ ଚାଲିଥିବା ଦେଖିବାକୁ ମିଳିଛି। ନିଜ ଜମିରୁ ଉତ୍ପାଦନ କରୁଥିବା ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ, ବିରି, ମୁଗ ଭଳି ଶସ୍ୟ ବଦଳରେ ଲୋକେ ଘରକରଣା ଜିନିଷ ସଂଗ୍ରହ କରୁଛନ୍ତି। ଏଥିପାଇଁ ଦରକାର ପଡିଲେ ସେମାନେ ବଣ ପାହାଡ, ନଦୀନାଳ ଡେଇଁ କୋଡିଏରୁ ପଚିଶି କିଲୋମିଟର ବାଟ ଚାଲି ହାଟକୁ ଆସି ଅଦଳ ବଦଳ ମାଧ୍ୟମରେ ସପ୍ତାହକ ପାଇଁ ଜିନିଷ ନେଉଛନ୍ତି।

ଏଭଳି ଦୃଶ୍ୟ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ବସୁଥିବା ପ୍ରାୟ ସମସ୍ତ ହାଟରେ ଦେଖିବାକୁ ମିଳେ। ଖଇରପୁଟ ବଣ୍ଡାଘାଟିରୁ ମହିଳାମାନେ ଦୀର୍ଘ ବାଟ ଚାଲି ଚାଲି ବିଭିନ୍ନ ହାଟକୁ ଯାଇ ସେମାନଙ୍କୁ ଦରକାର ପଡୁଥିବା ଜିନିଷକୁ ଅଦଳ ବଦଳ ମାଧ୍ୟମରେ ନେଉଥିବା ଦେଖିବାକୁ ମିଳେ। ଜଂଗଲ ନିକଟରେ ରହୁଥିବା ଆଦିବାସୀ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ତାହାକୁ ନେଇ ନିଜର ଅତ୍ୟାବଶକୀୟ ଜିନିଷ ନେଉଛନ୍ତି। ଏବେ ମହୁଲ ଫୁଲ ସଂଗ୍ରହ ଋତୁ ଚାଲିଥିବାରୁ ଲୋକେ ମହୁଲ ଗୋଟାଇବାରେ ବ୍ୟସ୍ତ। ସଂଗୃହିତ ମହୁଲୁକୁ ଘର ଦାଣ୍ଡରେ ଦିନେ ଦୁଇ ଦିନ ଶୁଖାଇବା ପରେ ତାହାକୁ ନେଇ ହାଟରେ ବିକ୍ରି କରୁଛନ୍ତି। ହେଲେ ଏଥିପାଇଁ ସେମାନେ ଟଂକା ଦାବି କରୁନାହାନ୍ତି। ମହୁଲ ବଦଳରେ ଲୁଣ ଓ ପନିପରିବା ଆଣୁଥିବା ଦେଖିବାକୁ ମିଳିଛି।

ସେହିପରି ଶାଳ ମଞ୍ଜିକୁ ଓଜନ କରି ଦେବା ପରେ ବଦଳରେ ଲୁଣ କିମ୍ବା ଅନ୍ୟ ଦରକାରୀ ଜିନିଷ ନେଉଛନ୍ତି। ପ୍ରଚଣ୍ଡ ଖରାରେ ଜଂଗଲରେ ପଶି ବନ୍ୟଜନ୍ତୁଙ୍କୁ ଭୟ ନକରି ସାରା ଦିନ ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ କରିବାରେ ଯେଉଁ ପରିଶ୍ରମ ପଡିଥାଏ ତାହା ତୁଳନାରେ ଲୁଣର ମୂଲ୍ୟ କିଛି ନାହିଁ। ତଥାପି ଦୈନନ୍ଦିନ ଜୀବନର ଖାଦ୍ୟ ପାଇଁ ଲୁଣ ଆବଶ୍ୟକ ହେଉଥିବାରୁ ସେମାନେ ଉଚ୍ଚା ଦରରେ ତାହାକୁ ନେଉଛନ୍ତି। ଅଜ୍ଞାତର ସୁଯୋଗ ନେଇ ବ୍ୟବସାୟୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି। କେବଳ ବଣ୍ଡା ନୁହନ୍ତି ପାହାଡ ଘେରା ଜଂଗଲରେ ଅଧିକାଂଶ ଆଦିବାସୀ ଏମିତି ବ୍ୟବସାୟକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବିଶେଷ।କରି ତେନ୍ତୁଳି ମଞ୍ଜି ବଦଳରେ ଲୁଣ ନେବା ଏକ ସାଧାରଣ କଥା।ପୁଣି ଚତୁର ବ୍ୟବସାୟୀ ଅଧିକା ଲାଭ ପାଇଁ ଗାଁ ଗାଁରେ ପହଞ୍ଚିଲେଣି। ଆଦିବାସୀ ଲୋକଙ୍କ ଠାରୁ ମହୁଲ, କାନ୍ଦୁଲ, ମୁଗ, ବିରି, ଶାଳ ମଞ୍ଜି ଆଦି ସଂଗ୍ରହ କରି ଲୁଣି, ପିନିପରିବା ସହ ଅନ୍ୟ ଜିନିଷ ଦେବା ଆରମ୍ଭ କରିଛନ୍ତି। ସଚେତନତା ଅଭାବରୁ ଆଦିବାସୀ ଯୁଗ ଯୁଗ ଧରି ଚଳି ଆସୁଥିବା ଏହି ଅଦଳ ବଦଳ ବ୍ୟବସ୍ଥାକୁ କାୟମ ରଖିଛନ୍ତି। ଆଦିବାସୀ ପରିଶ୍ରମର ଉଚିତ ମୂଲ୍ୟ ପାଉନଥିଲେ ହେଁ ସେମାନଙ୍କର କ୍ଷୋଭ ନାହିଁ। ତଥାପି ପ୍ରଶାସନ ପକ୍ଷରୁ ଏନେଇ ସଚେତନ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର