ଭୁବନେଶ୍ୱର: ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ହେବାରେ ଲାଗିଛି। ଆଳୁ ଏବଂ ପିଆଜ ମୂଲ୍ୟ ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ୍ ପିଛା ୮୦ ଟଙ୍କା ଅତିକ୍ରମ କରିଛି। ଆଳୁ ଏବଂ ପିଆଜ ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି। ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଟଙ୍କା ଏବଂ ପିଆଜ କିଲୋଗ୍ରାମ୍ ପିଛା ୪୫ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ଅଦା କିଲୋଗ୍ରାମ୍ ପିଛା ୨୦୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ୍ ପିଛା ୨୨୦ରୁ ୨୪୦ଟଙ୍କାରେ ବିକ୍ରି ହେଉଛି।

Advertisment

ସେହିପରି ପୋଟଳ କିଲୋଗ୍ରାମ ପିଛା ୫୦ରୁ ୬୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏହା ସହିତ କ୍ୟାପ୍ସିକମ୍ କିଲୋଗ୍ରାମ୍ ପିଛା ୯୦ରୁ ୧୦୦ ଟଙ୍କା, କଲରା କିଲୋଗ୍ରାମ୍ ପିଛା ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଗାଜର କିଲୋଗ୍ରାମ୍ ପିଛା ୪୦ରୁ ୬୦ ଟଙ୍କା, ବିଟ୍ କିଲୋଗ୍ରାମ୍ ପିଛା ୫୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି।

ତେବେ ଟମାଟୋ ଦର ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଛି। ଟମାଟୋ ଦର କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର ପ୍ରତିଦିନ ଭିନ୍ନ ଭିନ୍ନ ରହୁଛି। ଦି‌ନେ ଏହା ୧୦୦ ଟପିଲେ ଅନ୍ୟ ଦିନ ୮୦ ଟଙ୍କା ଖସି ଆସୁଛି। ପୁଣି ପରଦିନ ଦର ବୃଦ୍ଧି ପାଉଛି। ପନିପରିବା ଦର ବୃଦ୍ଧି ଯୋଗୁ ସାଧାରଣ ଖାଉଟି ଅଧା କିଲୋଗ୍ରାମ ଅବା ଏହାଠାରୁ କମ୍ କିଣିବାକୁ ବାଧ୍ୟ ହେଉଛନ୍ତି।

ଏହି ସାଧାରଣ ଘରୋଇ ପନିପରିବାଗୁଡିକର ଆକାଶଛୁଆଁ ମୂଲ୍ୟରେ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁମାନଙ୍କର ଆୟ କମ୍ ଏବଂ ମଧ୍ୟବିତ୍ତ ପରିବାର ପନିପରିବା ଦର ବୃଦ୍ଧି ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି। ଉତ୍ପାଦିତ ଫସଲକୁ ସଂରକ୍ଷଣ କରିବା ପାଇଁ ରାଜ୍ୟର ବିଭିନ୍ନ  ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ  ପନିପରିବା ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀମାନେ କହୁଛନ୍ତି।