ସବୁ ସହରରେ ସଉଦା ଓ ପରିବା ହୋମ୍‌ ଡେଲିଭରି ସୁବିଧା

ରାତିରେ ବି ହାଟ, ବଜାର ଖୋଲା ରହିବ, ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ, ଗଳିକନ୍ଦିରେ ବୁଲିବ ପରିବା ଓ ସଉଦା ଗାଡ଼ି

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଥିଲେ ହେଁ ପରିବା ହାଟ ଓ ସଉଦା ଦୋକାନରେ ଲୋକଙ୍କର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏଠାରେ ସାମଜିକ ଦୂରତା ରହୁନି। ତେଣୁ ଲୋକଙ୍କୁ ସଉଦା, ପନିପରିବା, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୂଚାରୁ ରୂପେ ମିଳିବ ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ ସେଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସହରାଞ୍ଚଳରେ ସଉଦା, ପନିପରିବା, ଫଳ, ଔଷଧ ଓ କ୍ଷୀରର ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରିବା ସହ ଡେଲିଭରି ଫି’ କେତେ ଟଙ୍କା ରହିବ ତାହା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ସେହିପରି ହାଟ ଓ ବଜାରରେ ଅଧିକ ଭିଡ଼ ଯେପରି ନହେବ ସେଥିପାଇଁ ପ୍ରତି ବ୍ୟବସାୟୀଙ୍କ ମଧ୍ୟରେ ଦୂରତା ରଖିବା ସହ ନିକଟସ୍ଥ ଖୋଲାସ୍ଥାନ, ରାସ୍ତା ଓ ଖେଳପଡ଼ିଆରେ ବସାଇବାର ବ୍ୟବସ୍ଥା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏବେ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦୋକାନ ବଜାର ଖୋଲା ରହୁଥିବାରୁ ଭିଡ଼ ଜମୁଛି। ତେଣୁ ରାତିରେ ବି ଦୋକାନ ଖୋଲିବା ବ୍ୟବସ୍ଥା କରାଯାଉ। ସବୁ ଦୋକାନ ଆଗରେ ବୃତ୍ତାକାର ବା ବର୍ଗାକାର ଚିହ୍ନ କରାଯାଉ। ଯେଉଁଥିରେ ଗ୍ରାହକ ଛିଡ଼ା ହୋଇ ଦୂରତା ରକ୍ଷା କରିବେ। ଏହାବାଦ୍ ଲୋକ ଯେପରି ଘରୁ ବେଶୀ ବାହାରିବେନି ଓ ସେମାନଙ୍କ ଘର ପାଖରେ ସବୁ ଜିନିଷ ପହଞ୍ଚିବ ସେଥିପାଇଁ ଖାଦ୍ୟ ବିକ୍ରି ହେଉଥିବା ଭ୍ରାମ୍ୟମାଣ ଗାଡ଼ିଗୁଡ଼ିକୁ ଏଥିପାଇଁ ବ୍ୟବହାର କରାଯିବ। ଏହାସହ ଠେଲା ଗାଡ଼ିରେ ଫଳ ଓ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ମନାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ବାଧାରହିତ ପରିବହନ ପାଇଁ ହେଲ୍ପ ଲାଇନ୍‌
ଭୁବନେଶ୍ବର : ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ପୁଲିସ ଏକ ହେଲ୍ପ ଲାଇନ୍‌ ଖୋଲିଛି। ମାଲ୍‌ବାହୀ ଯାନଗୁଡ଼ିକ ରାଜପଥରେ ଆସିବା ବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଭୁବନେଶ୍ବରରେ ଥିବା ଏହି ହେଲ୍ପ-ଲାଇନ୍‌ (୦୬୭୪-୨୬୨୦୨୦୦) ସେଣ୍ଟରକୁ ଫୋନ୍‌ କରି ସହାୟତା ପାଇପାରି‌ବେ। ଏହି ସେଣ୍ଟର ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏସ୍‌.ପି ସୁଧାଂଶୁ ମିଶ୍ର ଏହି ହେଲ୍ପ ଲାଇନ୍‌ର ଦାୟିତ୍ବରେ ଥିବା ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାରା ଦେଶରେ କୋଭିଡ୍‌-୧୯ ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରହିଛି। ଲୋକଙ୍କୁ ବାହାରକୁ ବାହାରିବା ପାଇଁ କଟକଣା ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବେଆଇନ ଭାବରେ ଗଚ୍ଛିତ ହେବା ଆଶଙ୍କା ରହିଛି। ଏଣୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନ ହେବା ପାଇଁ ସରକାର ଗୁରୁତ୍ବାରୋପ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ସାମଗ୍ରୀଗୁଡ଼ିକ ବିନା ପ୍ରତିବନ୍ଧକରେ ଆସି ବଜାରରେ ପହଞ୍ଚିବା ଜରୁରୀ ହୋଇଛି। ଏହାକୁ ନିଶ୍ଚିତ କରିବା ପାଇଁ ଏହି ହେଲ୍ପ-ଲାଇନ୍‌ କାମ କରିବ। ଗାଡ଼ିଗୁଡ଼ିକୁ କୌଣସି ସ୍ବତନ୍ତ୍ର ପାସ୍‌ ଆବଶ୍ୟକତା ନାହିଁ। ବାଟରେ ପୁଲିସ ବା ଆରଟିଓ ଏମାନଙ୍କୁ ଅଟକ ରଖିପାରିବେ ନାହିଁ ବା ଅଯଥାରେ ପରିବହନରେ ବିଳମ୍ବ ହେବ ନାହିଁ। ତା’ ଛଡ଼ା ବାଟରେ ଏମାନଙ୍କୁ ଅଟକାଇ ବଟି ବା ଲୁଟ୍‌ପାଟ୍‌ ହେବା ଆଶଙ୍କା ରହିଛି। ଏଣୁ ଏହି ୧୪ଘଣ୍ଟିଆ ହେଲ୍ପ ଲାଇନ୍‌ ଏସବୁ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକସ୍ଥଳେ ମହାମାରୀ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା କରିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର