ବାରିପଦା : ଆଜିକାଲି କନ୍ଦାଉଛି ପିଆଜ । ଏଥି ସହିତ ପନିପରିବା ନାଁ ଶୁଣିବାକୁ ଭୟ ଲାଗୁଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଏପରି ଆକାଶ ଛୁଆଁ ହୋଇଛି ଯେ, ସାଧାରଣ ଜନତା ନିଜ ଜୀବନ ବଞ୍ଚାଇ ନିମନ୍ତେ ତ୍ରାହି ତ୍ରାହି ଡାକ ଛାଡ଼ିବାରେ ଲାଗିଛି । ପନିପରିବାଠାରୁ ଆରମ୍ଭ କରି ଡାଲି, ତେଲ, ଲୁଣ ପର୍ଯ୍ୟନ୍ତ ସବୁର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । କମିବାର ନାମ ଧରୁ ନାହିଁ । ଆମ ଆଦମୀ ପାଇଁ ଆଳୁ ଓ ପିଆଜ ସବୁଠାରୁ ଆବଶ୍ୟକୀୟ ପରିବା ହୋଇ ପଡ଼ିଥିବା ବେଳେ ଏହି ଦୁଇ ଦ୍ରବ୍ୟର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳ ଶଙ୍କଟରେ ପଡ଼ିଯାଇଛି ।
/sambad/media/post_attachments/wp-content/uploads/2020/09/potato-and-onion-300x169.jpg)
ମୟୂରଭଞ୍ଜ ଜିଲ୍ଲାର ମଫସଲ ହେଉ କିମ୍ବା ସହର ସବୁ ସ୍ଥାନରେ ଗରିବ ଖଟିଖିଆ, ଆଦିବାସୀ ତଥା ମଧ୍ୟବିତ୍ତ ବର୍ଗର ପରିବାର ପଖାଳ ସହିତ ପିଆଜ ଓ କଞ୍ଚାଲଙ୍କାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହି ସମସ୍ତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ଏମାନଙ୍କ ଚଳଣିରେ ହଇଚଇ ସୃଷ୍ଟି କରିଛି । ହଜାରେ ଟଙ୍କା ଧରି ବଜାରକୁ ଗଲେ ବ୍ୟାଗ ଭର୍ତ୍ତି ହେଉ ନାହିଁ। ଏହି ମୂଲ୍ୟ ବୃଦ୍ଧିକୁ ରୋକିବାରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇ ପଡ଼ିଥିବାର ଜନସାଧାରଣରେ ଆଲୋଚନା ଜାରି ରହିଛି । ମଣିଷକୁ ସମାଜରେ ବଞ୍ଚି ରହିବା ନିମନ୍ତେ କେତେ ଗୁଡ଼ିଏ ମୌଳିକ ଅଧିକାର ସରକାର ଯୋଗାଇ ଦେବାକୁ ବାଧ୍ୟ । ଏହି ଅଧିକାରଗୁଡ଼ିକ ମଧ୍ୟରେ ଖାଦ୍ୟ ଅଧିକାର ଗୋଟାଏ । ମାତ୍ର ଉଭୟ ସରକାର ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ଅଧିକାର ଯୋଗାଇବାରେ ସଫଳ ହୋଇ ପାରୁ ନାହିଁ । ଭଲ ଭାବରେ ଦୁଇ ବେଳା ଗଣ୍ଡାଏ ଖାଇବାକୁ ନମିଳିଲେ ଏହାକୁ କୁଶାସନ କହିବାର ଯଥାର୍ଥତା ରହିଛି ବୋଲି ଜନସାଧାରଣରେ ଆଲୋଚନା ଆରମ୍ଭ ହେଲାଣି ।
ବାରିପଦା ବଜାରରେ ପିଆଜ ବର୍ତ୍ତମାନ ୭୫ ଟଙ୍କାରେ ବିକ୍ରି ହେଉଛି । ପୁଣି ପରିବା ଦରରେ ଲଗାମ ନାହିଁ । ଆଗକୁ କାର୍ତ୍ତିକ ମାସ ଆସୁଛି । ବର୍ତ୍ତମାନ ଜଣେ ସାଧାରଣ ବ୍ୟକ୍ତି ପକ୍ଷରେ ପିଆଜ, ଆଳୁ ଓ ପରିବା କିଣିବା କଷ୍ଟ ସାପେକ୍ଷ ହୋଇ ପଡ଼ିଛି । ଗରିବ ଖଟିଖିଆମାନଙ୍କ କଥା ଛାଡ଼ନ୍ତୁ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହେଲେଣି । ପିଆଜ, ଆଳୁ ଓ ପରିବା କିଣି ଖାଇବା ଏକ ଦିବା ସ୍ୱପ୍ନରେ ପରିଣତ ହୋଇଯାଇଛି । କେବଳ ପରିବା ନୁହେଁ, ମଣିଷ ବ୍ୟବହାର କରୁଥିବା ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଏପରି ବୃଦ୍ଧି ପାଇଛି ଯେ ବର୍ତ୍ତମାନ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ପରିବାରର ବଜେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉଚ୍ଚ ପଦସ୍ଥ ଅଫିସର, ସରକାରୀ କର୍ମଚାରୀମାନଙ୍କ ସହିତ ଠିକାଦାର ଓ ବ୍ୟୁରୁକ୍ରାଟମାନଙ୍କ ଉପରେ ମୂଲ୍ୟ ବୃଦ୍ଧିର କୌଣସି ପ୍ରଭାବ ପରିଲକ୍ଷିତ ହେଉ ନଥିବା ବେଳେ ଦିନ ମଜୁରିଆ, ଖଟିଖିଆ ଓ ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ଦଃଖ ଦୂର କରିବା ନିମନ୍ତେ ପ୍ରୟାସ କରୁ ନଥିବାର ପରିଲକ୍ଷିତ ହୋଇଛି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଦେଶରୁ ଗରିବୀ ପରିବର୍ତ୍ତେ ଗରିବ ହଟାଇବା ନିମନ୍ତେ ପ୍ରୟାସ ବୋଲି ଜନସାଧାରଣରେ ଆଲୋଚନା ହେବା ଆରମ୍ଭ ହୋଇଛି ।
ବାରିପଦା ସହରର ପରିବା ବଜାର କୁହାଯାଉଥିବା କଚେରୀ ଓ ରାତି ପରିବା ମାର୍କେଟରେ ଆଳୁ-ପିଆଜଠାରୁ ଆରମ୍ଭ କରି ପନିପରିବାର ଦର ଉଚ୍ଚା ରହିଛି । ପ୍ରତି କିଲୋଗ୍ରାମ ଆଳୁ ୩୫ ଟଙ୍କାରେ କିଣୁଛନ୍ତି । ସେହିପରି ପିଆଜ ୭୫ ଟଙ୍କା, ବାଇଗଣ- ଟ୮୦/- , କଲରା-ଟ୮୦/-, ଜହ୍ନି-ଟ୫୦/-, ବୋଇତାଳୁ-ଟ୩୦/- ,ଅମୃତଭଣ୍ଡା-ଟ୩୦/- ,ସାରୁ- ଟ୪୦/-,କାଙ୍କଡ ୮୦/-, ଦେଶି କାଂକଡ଼-ଟ୧୬୦/-, ଖମ୍ବଆଳୁ-ଟ୮୦/-, ବିଲାତି-ଟ୮୦/- , କଞ୍ଚାଲଙ୍କା-ଟ୨୦୦/-, ଫୁଲକୋବି(ଛୋଟ)-ଟ୪୦/-, ବିନସ-ଟ୮୦/-, ସୁଜନା ନାଡ଼ି-ଟ୧୬୦/- , ଗାଜର- ୧୦୦, ରସୁଣ-୧୮୦/-, ଅଦା-ଟ୨୫୦/-, ସୋରିଷ ତେଲ-ଟ୧୪୦/-, ରିଫାଇନ - ୧୨୦/-, ମୁଗଡାଲି-୧୦୦/-, ହରଡ଼- ୧୧୫/-, ବୁଟ ଡ଼ାଲି ୭୦/-, ଚାଉଳ(ମୋଟା) –ଟ୩୫/- ଓ ହଳଦୀ(ଗୋଟା)- ୧୩୦, ଶୁଖିଲା ଲଙ୍କା ୨୨୦/- , ୧ କି.ଗ୍ରା ମଧ୍ୟରେ ଦେଶୀ ରୋହୀ ମାଛ-୨୫୦/-, ଭାକୁଡ଼-୩ ୦୦/-, ଚିଙ୍ଗୁଡ଼ି ଛୋଟ ୪୦୦/-, ମହୁରାଳି- ୩୦୦/-, ଫିରକି ଛୋଟ ୪୦୦/-, ଇଲିଶି(୫ଶହ ଗ୍ରାମ ମଧ୍ୟରେ) ୮୦୦/-, ଦେଶୀ କୁକୁଡ଼ା ୫୪୦/- ଖାସି ୬୮୦/- ଏହିପରି ସମସ୍ତ ଜିନିଷ ବିକ୍ରି ହେଉଛି । ହଜାରେ ଟଙ୍କାରେ ବ୍ୟାଗ ଭର୍ତ୍ତି ହେଉ ନାହିଁ । ଯାହା ଫଳରେ ଖାଉଟିମାନେ ବଜାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି । ବଜାରର ମୂଲ୍ୟବୃଦ୍ଧି ସରକାରଙ୍କ ନିୟନ୍ତ୍ରଣରେ ଥିବା ଭଳି ମନେ ହେଉ ନାହିଁ ।
ବଜାରରେ ମୂଲ୍ୟ ବୃଦ୍ଧିକୁ ନେଇ ଏମାନେ ଯାହା କୁହନ୍ତି
ବର୍ତ୍ତମାନ ବଜାରରେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଏତେ ପରିମାଣରେ ବଢ଼ିଛି ଯେ,ଏହାର ପ୍ରଭାବରେ ପରିବାରକୁ ଦୁଇବେଳା ଖାଦ୍ୟ ଯୋଗାଇବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କ ନିକଟରେ କଳାଧନ ରହିଛି, ରାତିଏ ଗଲେ ହାତିଏ ଆଣୁଛନ୍ତି ସେମାନଙ୍କର କିଛି ଯାଏ ଆସେ ନାହିଁ। ମାତ୍ର ଆମ ଭଳି ମଧ୍ୟବିତ୍ତ ପରିବାର ପାଇଁ ଏହି ମୂଲ୍ୟ ବୃଦ୍ଧି ଆଖିରେ ଲୁହ ଆଣି ଦେଉଛି । କରୋନା ଆୟ ଉପାର୍ଜନକୁ ଛଡ଼ାଇ ନେଇଥିବା ବେଳେ ମୂଲ୍ୟ ବୃଦ୍ଧି ଆମର ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ଏହି ପ୍ରକାର ମୂଲ୍ୟବୃଦ୍ଧି ଲାଗି ରହିଲେ ସଂସାରରେ ବଞ୍ଚିରହିବା ସମ୍ଭବ ପର ହେବ ନାହିଁ ।
କିଶୋର ପାତ୍ର, ଗ୍ରାହକ,ବାରିପଦା
ଆଗ ଅପେକ୍ଷା ବେପାର କମିଛି । କେତେକ ଲୋକେ ଆସୁଛନ୍ତି, ଦାମ୍ ପଚାରି ମୁହଁକୁ ଆମ୍ବିଳା କରି ଚାଲି ଯାଉଛନ୍ତି । ପୁଣି କେତେକ ବାବୁ ଆସନ୍ତି ଦର କଷାକଷି ନକରି ଜିନିଷ କିଣି ଚାଲି ଯାଆନ୍ତି । ପୂର୍ବ ଅପେକ୍ଷା ପରିବା ବ୍ୟବସାୟରେ ଆୟ ଉପାର୍ଜନ କମିଛି । ତେଣୁ ଆମକୁ ମଧ୍ୟ ପରିବାର ଚଳାଇବା କଷ୍ଟ ହୋଇ ପଡ଼ିଛି ।
ନବୀନ ସିଂ, ପରିବା ବ୍ୟବସାୟୀ, ବାରିପଦା