ଖରାରେ ଜଳୁଛି ଫସଲ: ଉଜୁଡ଼ା ପୋଟଳ ଚାଷ ଦେଖି ଚାଷୀ ହତାଶ, ଦରବୃଦ୍ଧି ଯୋଗୁଁ ଚିନ୍ତାରେ ଗ୍ରାହକ

ବେତନଟୀ ସଦର: ଚୈତ୍ର ମାସର ମୁଣ୍ଡଫଟା ଖରାରେ ଜଳୁଛି ଫସଲ। ଯେଉଁ ପନିପରିବାର ଚାଷୀ ପରିବାରର ପେଟ ପୋଷିଥାନ୍ତା, ତାକୁ ଦେଖି ଚାଷୀ ଆଖିରୁ ଲୁହ ଝରୁଛି।ବୁଢ଼ାବଳଙ୍ଗ ନଦୀ କୁଳିଆ ଅଞ୍ଚଳର ଶତାଧିକ ଚାଷୀଙ୍କର କ୍ଷେତକୁ ପାଣି ବହିବହି ଅଣ୍ଟା ଭାଙ୍ଗି ଗଲାଣି। ତଥାପି କୋଉଠି ଗଛ ସବୁ ଶୁଖିଗଲାଣି ତ କୋଉଠି ଗଛରେ ଫଳ ଶୁଖିଗଲାଣି। ତେଣୁ ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା, କେନ୍ଦୁଆ ସମେତ ଏକାଧିକ ପଞ୍ଚାୟତର ଶତାଧିକ ଚାଷୀଙ୍କ ଆଶା ମଉଳି ଯାଇଛି, ସ୍ୱପ୍ନ ପୋଡି ଜଳିଯାଉଛି।

ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତର କ୍ଷୀରପଦା, ପ୍ରତିମାଦେଇପୁର, ବେଲାଣପୁରା, ନାଖରା, ଖଣ୍ଡଦେଉଳିଆ, ମଧୁନଣ୍ଡା, ଡେଂଫଉଦା, ଦେଓପଡା ଏବଂ କେନ୍ଦୁଆ ପଞ୍ଚାୟତର ଚୁଆପଦା, ନୂଆଗାଁ ପ୍ରଭୃତି ଗାଁର ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି  ବିଭିନ୍ନ ପ୍ରକାର ପନିପରିବାର ଚାଷ କରିଛନ୍ତି। ବାଇଗଣ, ପୋଟଳ, ଲଙ୍କା, ପୋଇ, କୋବି, ଟମାଟୋ ଠାରୁ ବିଭିନ୍ନ ଫସଲ କରିଛନ୍ତି। ହେଲେ ପାଖ ବୁଢ଼ାବଳଙ୍ଗ ନଦୀ ସମେତ ପାଖ ନାଳ ଶୁଖିଲା ପଡିଥିବାରୁ ପାଣି ବିନା ଫସଲ ପୋଡି ପାଉଁଶ ହୋଇଯାଉଛି। ସେପଟେ ନିର୍ବାଚନ ସମୟରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନେତା, ସମସ୍ତ ନିର୍ବାଚନରେ ମାତିଥିବାରୁ ଚାଷୀଙ୍କ କଥା ଶୁଣିବାକୁ କେହି ନଥିବା ଅଭିଯୋଗ ହୋଇଛି। ଉକ୍ତ ଅଞ୍ଚଳ ଗୁଡ଼ିକ କୃଷି ପ୍ରଧାନ ଅଞ୍ଚଳ ଭାବରେ ବେଶ୍ ଜଣାଶୁଣା।

ଜଳ ସଚେନର ସୁବିଧାକୁ ଦୃଷ୍ଟିରେ ରଖି ଏଠିକାର ଚାଷୀ ବର୍ଷ ସାରା ବହୁ ପ୍ରକାର ପନିପରିବା ଚାଷ କରି ପରିବାର ଚଳାଇଥାନ୍ତି। ହେଲେ ବିଡମ୍ବନାର ବିଷୟ ଚଳିତ ବର୍ଷର ପ୍ରଚଣ୍ଡ ଖରା ଯୋଗୁ ଚାଷ ଉଜୁଡୁଛି। ମୁଖ୍ୟତଃ ଏହି ଟାଣୁଆ ଖରା ଯୋଗୁଁ  ଖରାଟିଆ ପୋଟଳ ଓ ବାଇଗଣ ଚାଷୀମାନେ ପୁରା ହତାଶ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଅଦିନିଆ ପାଣିପାଗ ପାଇଁ ଏହି ଅଞ୍ଚଳର ଚାଷୀମାନେ ପରିବା ଚାଷରେ ବାରମ୍ବାର କ୍ଷତି ସହିଛନ୍ତି। ଧାରକରଜ କରି ଚାଷ କରିଥିବା ଚାଷୀ କରଜ ସୁଝା ଚିନ୍ତାରେ ଘାଣ୍ଟି ହେଉଛି। ମଧୁନଣ୍ଡା ଗ୍ରାମର ଚାଷୀ ଶିବପ୍ରସାଦ ସାମଲ, ନାଖରା ଗ୍ରାମର ଚାଷୀ ସର୍ବେଶ୍ୱର ଖଣ୍ଡାଙ୍କ କହିବା କଥା ଯେଉଁ କିଆରିରୁ ଦୈନିକ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ବାହାରୁଥିଲା ସେ ଜମିରେ ୫ ରୁ ୧୦ କିଲୋ ବାଇଗଣ ତୋଳିବାକୁ ହେଉଛି। ଏପରିକି ଅଧା ବାଇଗଣ ପୋକ ଖିଆ ବାହାରୁଛି। ଯାହା ଫଳରେ ଏବେ ଉତ୍ପାଦନ କମ୍ ଥିବାରୁ ବାଇଗଣ କିଲୋ ହାଟରେ ୪୦ ରୁ ୫୦ ଦର ଖାଉଟିଙ୍କୁ ଅତିଷ୍ଠ କରିଛି।

ସେହିପରି ନୂଆଗାଁ ଗ୍ରାମର ଚାଷୀ ଲକ୍ଷ୍ମୀଧର ଦାସ ଓ ସର୍ବେଶ୍ୱର ଦାସଙ୍କ ସମେତ ଅଞ୍ଚଳର ଏକାଧିକ ପଟୋଳ ଚାଷୀଙ୍କ କହିବା କଥା କି ଯୋଉ ପୋଟଳ ଚାଷରୁ ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଚଳିତ ବର୍ଷ ସେହି ପୋଟଳ ଚାଷରେ ସେମାନେ ବ୍ୟାପକ କ୍ଷତି ସହୁଛନ୍ତି। ପ୍ରଚଣ୍ଡ ଖରାରେ ପୋଟଳ ଗଛ ମରିଯିବା, ଫୁଲକଷି ଶୁଖି ଝଡି ପଡିବା ଆଦି କାରଣରୁ ଗଛରେ ଫଳ ଧରୁନାହିଁ । ବ୍ୟୟବହୁଳ ପୋଟଳ ଚାଷରେ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ପୂର୍ବରୁ ବିଭିନ୍ନ ଚାଷରେ ଚଳିତ ବର୍ଷ କ୍ଷତି ସହିଥିବା ଚାଷୀ ପୋଟଳ ଚାଷରୁ କ୍ଷତି ଭରଣା କରିବା ପାଇଁ ଲକ୍ଷ୍ୟ ରଖିଥିଲା ବେଳେ ଖରା ଚାଷ ବିଗାଡ଼ିଛି। କିଆରିରୁ ସପ୍ତାହକୁ ୭୦ ରୁ ୮୦ କେଜି ପୋଟଳ ଅମଳ କରିବା ପରିବର୍ତ୍ତେ ୧୦କିଲୋରୁ ୨୦କିଲୋ କିଲୋ ପୋଟଳ ତୋଳି ଚାଷୀ ଦୁଃଖ ସାଉଁଟୁଥିବା ଦେଖିବାକୁ ମିଳିଛି, ଯୋଉଁଥିପାଇଁ ଯାହା ଫଳରେ ସାପ୍ତାହିକ ହାଟରେ ମଧ୍ୟ ପୋଟଳ କିଲୋ ହାଟରେ ୧୦୦ ଟଙ୍କାରୁ ଉର୍ଦ୍ଧରେ ବିକ୍ରି ହୋଉଛି, ଯାହା ଖାଉଟିଙ୍କୁ ବାଧୁଛି। କୃଷି ବିଭାଗ ଏବଂ ରାଜ୍ୟ ସରକାର ଚାଷୀ ପାଇଁ ଆର୍ଥିକ ଋଣ ସହାୟତା ଯୋଗାଇଦେଲେ ଆଗାମୀ ଚାଷ ପାଇଁ ଚାଷୀ ଅଣ୍ଟା ଭିଡିବ ବୋଲି ଚାଷୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର