ମାଲକାନଗିରି: ଜିଲ୍ଲାରେ ଏବେ ପରିବାରେ ହାତ ମାରି ହେଉ ନାହିଁ। ପରିଦା ଦର ପ୍ରତିଦିନ ହୁ ହୁ ହୋଇ ବଢୁଛି। ଟମାଟୋ ଦିନେ ୭୦ ଥିବା ବେଳେ ତାପର ଦିନ ୮୦ ହୋଇଯାଉଛି। ବ୍ୟବାସାୟୀମାନେ ମନଇଛା ଦରଦାମ ବଢ଼ାଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ୫ ଶହ ଟଂକାରେ ବ୍ୟାଗ ଭର୍ତ୍ତି ପରିବା ହେଉନଥିବା ଦେଖିବାକୁ ମିଳିଛି।ପୋଟଳ କିଲୋ ୮୦ ଟଂକା,ଫୁଲ କୋବି କିଲୋ ୧୦୦ ଟଂକା, ପତ୍ର କୋବି କିଲୋ ୮୦ ଟଂକା, ଜହ୍ନି କିଲୋ ୬୦ ଟଂକା, ବାଇଗଣ କିଲୋ ୭୦ ଟଂକା, କଲରା କିଲୋ ୬୦ ଟଂକା ହୋଇଥିବା ବେଳେ ଶାଗର ଦାମ ମଧ୍ୟ କମ ନାହିଁ।ଗୋଟିଏ ବିଡା ଶାଗ ଦଶ ଟଂକାରେ ବିକ୍ରି ହେଉଛି।ଲୋକେ ପରିବାରେ ହାତ ମାରିବାକୁ ଭୟ କଲେଣି।ଗରିବ ଓ ସାଧାରଣ ଲୋକେ ବିନା ପରିବାରେ ଚଳିଯାଉଥିବା ଦେଖିବାକୁ ମିଳିଛି।
ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ପରିବା ଦର କମିବାର ନାମ ନେଉ ନାହିଁ।ଯାହାକୁ ନେଇ ଖାଉଟିଙ୍କ ଅସଂତୋଷ ବଢିବାରେ ଲାଗିଛି।ଦରଦାମରେ ପ୍ରଶାସନର ଲଗାମ ନଥିବାରୁ ବେପାରୀ ମାଲାମାଲ ହେଉଛନ୍ତି। ପରିବାକୁ ଛାଡିଦେଲେ ଋତୁ ଅନୁସାରେ ବଜାରରେ ବିଭିନ୍ନ ପରିବା ମିଳେ।ଯେମିତି ଏବେ ବଜାରରେ ବୋଡା ଛତୁ ଏବଂ କରଡିର ପସରା ଦେଖିବାକୁ ମିଳୁଛି।ବର୍ଷକୁ ଥରେ ବୋଡା ଛତୁର ମଜା ନେବାକୁ ଲୋକେ ଚାହୁଁଥିଲେ ମଧ୍ୟ ତାର ଦର ଶୁଣି ଛାନିଆ ହୋଇ ଘରକୁ ପଳାଉଥିବା ଦେଖିବାକୁ ମିଳିଛି।
ବୋଡା ଛତୁର ଦର ୧୨ ଶହ ଟଂକା ପ୍ରତି କିଲୋ ପଡୁଛି।କେବଳ ଟଂକା ଥିବା ଲୋକେ ହିଁ ବୋଡା ଛତୁ ଖରିଦ କରି ନେଉଥିବା ଲକ୍ଷ୍ୟ କରାଯାଇଛି।ସାଧାରଣ ଲୋକ କେବଳ ଦେଖଣାହାରି ହୋଇ ରହିଯାଇଛନ୍ତି।ସେହିପରି ଏବେ ବଜାରରେ ବାଉଁଶ କରଡ଼ି ମଧ୍ୟ ଆକାଶ ଛୁଆଁ।ଚାରି ପାଞ୍ଚୋଟି କରଡିକୁ ଏବେ ୬୦ ଟଂକା ନେଉଥିବା ବେଳେ ଗୋଟିଏ କରଡିକୁ କାଟି ଦୋନାରେ ୨୦ ଟଂକାରେ ବିକ୍ରି ହେଉଛି। ଲୋକେ ବର୍ଷକୁ ଥରେ କରଡି ଏବଂ ବୋଡା ଛତୁ ଖାଇବାକୁ ଇଛା କରୁଥିଲେ ମଧ୍ୟ ଏହାକୁ ମଧ୍ୟ ହାତ ମାରିପାରୁନାହାନ୍ତି। ବେପାରି ଆଦିବାସୀମାନଙ୍କ ଠାରୁ କମ୍ ଦାମରେ ଖରିଦ କରି ବେଶ ଚଢା ଦରରେ ମାଲକାନଗିରି ସହରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।ପରିବା ଉପରେ ତୁରନ୍ତ ପ୍ରଶାସନର ଲଗାମ ଲାଗୁ ବୋଲି ସାଧାରଣରେ ଦାବି ହୋଇଛି।