ରାଇରଙ୍ଗପୁର: ଗୋଟିଏ ପଟେ ଡିଜେଲ,ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ଚିନ୍ତାରେ ଥିବାବେଳେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧି ଖାଉଟିଙ୍କ ନିମନ୍ତେ ବୋଝ ଉପରେ ନଳିତା ବାଡ଼ି ସାଜିଛି। ତେବେ କାଳ ବୈଶାଖୀର ବର୍ଷା ଓ ପବନ ଯୋଗୁଁ ପରିବା ଚାଷ ଅଧିକ ନଷ୍ଟ ହୋଇଥିବାରୁ ଚାଷୀ ମଧ୍ୟ ଚିନ୍ତାରେ।
Advertisment
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ପରିବାର ମହଙ୍ଗା ମାଡ଼ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ସୁସ୍ୱାଦୁ ଦେଶୀ ତଟକା ଖାଦ୍ୟ ନିମନ୍ତେ ଜିଲ୍ଲାରେ ରାଇରଙ୍ଗପୁର ଅଞ୍ଚଳର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ ବଜାରରେ ବିକ୍ରୟ ହୋଉଥିବା ପନିପରିବାର ଆକାଶ ଛୁଆଁ ଦରକୁ ଲୋକେ ମାନେ ସହଜରେ ହଜମ କରି ପାରୁନାହାନ୍ତି। ପନିପରିବାର ଏହି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁ ଗରିବ ଖଟିଖିଆ ଓ ମଧ୍ୟବିତ୍ତ ପରିବାର ବେଶ ପ୍ରଭାବିତ ହୋଉଛନ୍ତି।ବର୍ତ୍ତମାନର ସମୟରେ ଆମିଷ ଖାଦ୍ୟର ଚାହିଦା କମିଥିବା ବେଳେ ପନିପରିବା ଦର ମୂଲ୍ୟ ବୃଦ୍ଧି ସମସ୍ତଙ୍କ ପକେଟକୁ ବେଶ ବାଧୁଛି। ସାପ୍ତାହିକ ହାଟ ଉପରେ ଯଦି ନଜର ପକାଯାଏ ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯଥା ବାଇଗଣ କେଜିକୁ ୬୦, ବିଲାତି ୧୦୦, କ୍ୟାପ୍ସିକମ ୨୪୦, ଫୁଲକୋବି ୪୦, ବନ୍ଧା କୋବି ୪, ଝୁଡ଼ଙ୍ଗ ୬୦, ଭେଣ୍ଡି ୬୦, ପୋଟଳ ୮୦, କୁନ୍ଦୁରି ୬୦, ଗାଜର ୮୦, କାକୁଡି ୪୦, କନ୍ଦମୂଳ ୨୦୦, ଆଳୁ ୩୦, ପିଆଜ ୩୦, ରସୁଣ ୮୦, ଅଦା ୨୦୦, ବୈତାଳୁ ୪୦, ଲାଉ ୩୦, ଖମ୍ବ ଆଳୁ ୬୦, ବିଟ ୧୦୦, ସଜନା ଚୁଇଁ ୮୦, କାଙ୍କଡ ୮୦, ଜହ୍ନି ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେବାର ଜଣାପଡିଛି।
ଏହି ମହଙ୍ଗା ମାଡ଼ ଯୋଗୁ ଗ୍ରାହକମାନେ ପରିବା ହାଟ ଯିବାକୁ ଭୟ କରୁଛନ୍ତି। କେବଳ ସେତିକି ନୁହଁ ଆଗରୁ ୨ ଶହ ଟଙ୍କାରେ ପରିବା କିଣି ବ୍ୟାଗ ଭରି ଯାଉଥିବା ବେଳେ ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ଭରୁନାହିଁ ବୋଲି ଗ୍ରାହକ ମାନେ କହିଛନ୍ତି। ଫଳରେ ଦୈନିକ ପରିବା ଓ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ କ୍ରମଶଃ  କମିବାକୁ ଲାଗିଲାଣି। ମହଙ୍ଗା ମାଡ଼ ଯୋଗୁ ଖୁଚୁରା ପରିବା ବେପାରୀ ମଧ୍ୟ ବହୁ କ୍ଷତି ସହୁଛନ୍ତି। ଏହି ଚଢା ଦର ସମ୍ପର୍କରେ ଆମେ କିଛି ପରିବା ବେପାରୀଙ୍କୁ ପଚାରି ବୁଝିବାରୁ ସେମାନେ କହିବା ମୁତାବକ ଏହି ଅଞ୍ଚଳରେ ପରିବା ଚାଷ କମ ପରିମାଣରେ ହେଉଛି, ଯାହାର ପରିଣାମ ସ୍ୱରୂପ ପରିବା ଉତ୍ପାଦନରେ ଶଙ୍କଟ ଉପୁଜିଛି। ତେବେ ଆଗାମୀ ଦିନରେ ଉତ୍ପାଦନ ଅଧିକ ହେଲେ ପରିବା ଦର ସମ୍ପୁର୍ଣ୍ଣ ନିୟନ୍ତ୍ରଣରେ ଆସିବ ବୋଲି ବେପାରୀମାନେ କହିଛନ୍ତି।