ଭୁବନେଶ୍ବର: ଆସନ୍ତା ୬ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସଚିବ, ଅଧିକାରୀ ଚଢ଼ୁଥିବା ସମସ୍ତ ଗାଡ଼ି ଇଭି ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ କେଉଁ କମ୍ପାନିର କେଉଁ ଗାଡ଼ି କିଣିବେ ସେନେଇ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପୂର୍ବରୁ ମନ୍ତ୍ରୀ ଓ ଅଧିକାରୀଙ୍କ ବରିଷ୍ଠତା ଅନୁଯାୟୀ ଗାଡ଼ି ଓ ତାହାର ମୂଲ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏବେ ଇଭି ଗାଡ଼ି କିଣିଲେ ଗାଡ଼ିର ଦାମ୍ ଅଧିକ ରହିବ। ଏହାକୁ ନେଇ ବିଚାରବିମର୍ଶ ଚାଲିଥିବାବେଳେ ଏବେ ଲୋକସେବା ଭବନରେ ବିଭିନ୍ନ ଗାଡ଼ି କମ୍ପାନିର କର୍ମଚାରୀମାନେ ଡେରା ପକାଇଲେଣି। ଏବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ପରିବହନ, ଅର୍ଥ ବିଭାଗର ସଚିବଙ୍କ କାର୍ଯ୍ୟାଳୟରେ ନିୟମିତ ଗାଡ଼ି କମ୍ପାନିର ମାର୍କେଟିଂ ମୁଖ୍ୟମାନଙ୍କର ଭିଡ଼ ଲାଗୁଛି। ସମସ୍ତେ ନିଜ କମ୍ପାନିର ଗାଡ଼ି କିଣିବାକୁ ଜୋର୍ଦାର ଲବି କରୁଛନ୍ତି। କିନ୍ତୁ ଅର୍ଥ ବିଭାଗର ଯେଉଁ ମାନଦଣ୍ଡ ରହିଛି ସେଥିରେ ଇଭି ଗାଡ଼ିର ଦାମ୍ ଖାପ ଖାଉନି। ତେଣୁ ଅର୍ଥ ବିଭାଗ ପକ୍ଷରୁ କିପରି ମନ୍ତ୍ରୀ/ଅଧିକାରୀଙ୍କ ବରିଷ୍ଠତା ଅନୁଯାୟୀ ଗାଡ଼ିର ଦାମ୍ ବଢ଼ାଯିବ, କେଉଁ କମ୍ପାନିରୁ କେତେ ଗାଡ଼ି କିଣାଯିବ, କେବଳ ଇଭି ନା ହାଇବ୍ରିଡ୍ ଗାଡ଼ି କିଣାଯିବ ସେନେଇ ଖୁବ୍ଶୀଘ୍ର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମାନଦଣ୍ଡ ଅନୁସାରେ ରାଜ୍ୟ ସରକାର ମାର୍ଚ୍ଚ ୩୧ ସୁଦ୍ଧା ପ୍ରାୟ ୪ହଜାର ଗାଡ଼ି ସ୍କ୍ରାପିଂ କରିଥିବାବେଳେ ଏ ବାବଦକୁ ପ୍ରାୟ ୩୦୦କୋଟି ଟଙ୍କା ମିଳିଛି। ଏବେ ପ୍ରାୟ ୬୨୦୦ ଗାଡ଼ି ସ୍କ୍ରାପିଂ କରିବାକୁ ସମସ୍ତ ବିଭାଗକୁ ଚିଠି ଲେଖାଯାଇଛି। ଏହା ହେଲେ କେନ୍ଦ୍ର ସରକାରଙ୍କ ସହାୟତା ବାବଦକୁ ଆହୁରି ପ୍ରାୟ ୫୦୦କୋଟି ଟଙ୍କା ମିଳିବ। ଏହିପରି ୮୦୦କୋଟି ଟଙ୍କା ଗାଡ଼ି ସ୍କ୍ରାପିଂ ବାବଦକୁ ମିଳିବାକୁ ଥିବା ବେଳେ ବାକି ଅର୍ଥ ରାଜ୍ୟ ସରକାର ମିଶାଇ ନୂଆ ଗାଡ଼ି କିଣିବାକୁ ଯୋଜନା କରାଯାଇଛି। କିନ୍ତୁ ପୂର୍ବରୁ କେଉଁ ଗାଡ଼ି କିଏ ଚଳାଇପାରିବେ ସେ ସମ୍ବନ୍ଧରେ ଯେଉଁ ନିର୍ଦ୍ଦେଶାବଳୀ ଥିଲା ସେହି ମଡେଲ୍ର ଇଭି ଗାଡ଼ି ଆସୁନି। ତେଣୁ ଇଭି ଗାଡ଼ି କିଣିବା ପାଇଁ ଗାଡ଼ିର ଦାମ୍ ବଢ଼ାଇବାକୁ କୁହାଯାଇଛି।
ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦର ସଦସ୍ୟ, ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ, ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଇଁ ୨୫ଲକ୍ଷ ଟଙ୍କା ଭିତରେ ଟୟୋଟା ଇନୋଭା, ଟାଟା ହେକ୍ସା, ମହିନ୍ଦ୍ରା ଏକ୍ସୟୁଭି ୫୦୦ ଭଳି ଗାଡ଼ି କିଣାଯାଇପାରିବ। କିନ୍ତୁ ସମସ୍ତେ ଇନୋଭା ଗାଡ଼ି ଚଢ଼ିବାକୁ କହୁଛନ୍ତି। ସେହିପରି ପ୍ରମୁଖ ସଚିବ, ସଚିବ ଏବଂ ଏହି ପାହ୍ୟାର ସମକକ୍ଷ ଅଧିକାରୀ, ଦୌରାଜଜ୍ ଆଦି ପାହ୍ୟାର ଅଧିକାରୀଙ୍କ ପାଇଁ ୧୫ଲକ୍ଷ ଭିତରେ ମାରୁତି ସିଆଜ୍/ହୋଣ୍ଡା ସିଟି ଭଳି ଗାଡ଼ି କିଣାଯାଇପାରିବ। କିନ୍ତୁ ସମସ୍ତଙ୍କୁ ମାରୁତି ସିଆଜ୍ ଗାଡ଼ି ଦିଆଯାଉଛି। ଜିଲ୍ଲାପାଳ, ଏସ୍ପିମାନଙ୍କ ପାଇଁ ୧୫ଲକ୍ଷ ଭିତରେ ମହିନ୍ଦ୍ରା ସ୍କପ୍ରିଓ, ହୁଣ୍ଡାଇ କ୍ରେଟା, ମହିନ୍ଦ୍ରା ମାରାଜୋ ଗାଡ଼ି କିଣାଯାଇପାରିବାର ନିୟମ ଥିଲେ ବି କ୍ରେଟା ଗାଡ଼ି କାହାକୁ କିଣା ହୋଇ ଦିଆଯାଇନି। ବାକି ତଳ ପାହ୍ୟାର ଅଧିକାରୀଙ୍କ ପାଇଁ ସ୍ବିଫ୍ଟ ଡିଜାୟର, ବୋଲେରୋ ଆଦି କିଣିବାର ନିୟମ ଅଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ଗାଡ଼ିଗୁଡ଼ିକ ମୁଖ୍ୟତଃ ଟୟୋଟା, ମହିନ୍ଦ୍ରା ଓ ସୁଜୁକି ବ୍ରାଣ୍ଡର ହୋଇଥିବାବେଳେ ଏବେ ଟାଟା, ହୁଣ୍ଡାଇ, କିଆ, ଏମ୍ଜି, ହୋଣ୍ଡା ଆଦି ସେମାନଙ୍କ ଗାଡ଼ି କିପରି ଅଧିକ କିଣାଯିବ ସେନେଇ ଲବି ଚଳାଇଛନ୍ତି। ଏହାସହ ଟୟୋଟା, ସୁଜୁକି ଅାଦି ହାଇବ୍ରିଡ୍ ଗାଡ଼ି, ମହିନ୍ଦ୍ରା, ହୁଣ୍ଡାଇ, କିଆ, ଏମ୍ଜି, ଟାଟା ଆଦି ଇଲେକ୍ଟ୍ରିକ ଗାଡ଼ି ଯୋଗାଇବାକୁ ଆଗ୍ରହ ଦେଖାଉଥିବା ଜାଣିବାକୁ ମିଳିଛି।
ଏବେ ଇଭି ଗାଡ଼ି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବାରୁ ରାଜ୍ୟ ସରକାର ଉଭୟ ଇଭି ଏବଂ ହାଇବ୍ରିଡ୍ ଗାଡ଼ି କିଣିବାକୁ ବିଚାର କରୁଥିବା ଜାଣିବାକୁ ମିଳିଛି। ଏହି ଗାଡ଼ିର ଦାମ୍ ଅଧିକ ରହୁଥିବାରୁ କିଛି ମାସ ତଳେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଗାଡ଼ିର ମୂଲ୍ୟ ଜିଏସ୍ଟି, ରୋଡ୍ ଟ୍ୟାକ୍ସ ଆଦିକୁ ବାଦ୍ ଦେଇ ହିସାବ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଅପରପକ୍ଷେ ରାଜ୍ୟ ସରକାର ହଠାତ୍ ଏତେ ଗାଡ଼ି କିଣିଲେ କମ୍ପାନି କର୍ତ୍ତୃପକ୍ଷ ଗାଡ଼ି ଯୋଗାଇପାରିବେ ତ ! ଗାଡ଼ି କିଣାରେ ସ୍ବଚ୍ଛତା ରଖିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।