ମଇଦଲପୁର/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ପୂର୍ବତନ ବିଧାୟକ ଭୂଜବଳ ମାଝୀ। ଭୋଟରଙ୍କୁ ଶାଢ଼ି ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଗାଡି ଜବତ। ପାପଡାହାଣ୍ଡି ବ୍ଲକରେ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ଗୋଟିଏ ଦିନରେ ୨ଟି ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗ୍ରାମରେ କଂଗ୍ରେସର ପ୍ରଚାର ଗାଡିକୁ ଭଙ୍ଗାରୁଜା କରିଥିବା ବେଳେ ଅନ୍ୟ ଗୋଟିଏ ସ୍ଥାନରେ ବିଧାୟକଙ୍କୁ ଅଟକାଇଛନ୍ତି ପୂର୍ବତନ ବିଧାୟକ ଓ ତାଙ୍କରି ଡାକ୍ତରୀ ଝିଅ ଜିଲ୍ଲାପରିଷଦ ପ୍ରାର୍ଥିନୀ।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ ଆଜ ସଂଧ୍ୟା ୫ଟା ବେଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତର ରଣ୍ଡାଗୁଡା ଗ୍ରାମକୁ ଯାଇ ଫେରୁଥିବା ସମୟରେ ତାଙ୍କ ଗାଡିକୁ ଅଟକାଇଥିଲେ କଂଗ୍ରେସ ପ୍ରାର୍ଥିନୀ ଡା.ଲିପିକା ମାଝୀ ଓ ତାଙ୍କ ବାପା ପୂର୍ବତନ ବିଧାୟକ ଭୂଜବଳ ମାଝୀ। ଗାଡି ଭିତରେ ନିର୍ବାଚନରେ ଭୋଟରଙ୍କୁ ବାଣ୍ଟିବା ପାଇଁ ଲୁଗା ଭରି ହୋଇ ରହିଥିବା ଅଭିଯୋଗ କରି ଗାଡିକୁ ଜବତ ନକରିବା ପର୍ଯ୍ୟନ୍ତ ଛଡାଯିବ ନାହିଁ ବୋଲି ଜିଦ୍ ଧରି ଗାଡିକୁ ଅଟକାଇ ରଖିଥିଲେ। ଖବର ପାଇ ପାପଡାହାଣ୍ଡି ତହସିଲଦାର ଜଗେଶ୍ବର ଭୋଇ, ପାପଡାହାଣ୍ଡି ଥାନା ଆଇଆଇସି ଶୁଭେନ୍ଦୁ ଶବର ଓ ମଇଦଲପୁର ଫାଣ୍ଡି ଅଧିକାରୀ ଡି. ଦେବୀକୁମାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ।

publive-image

ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ଦେଖାଯାଇଥିଲା । ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ପୂର୍ବତନ ବିଧାୟକ ଭୂଜବଳ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ଝିଅଙ୍କ ପାଇଁ କଣ୍ଟାମାଳ ଠାରେ ପ୍ରଚାର କରିବା ସମୟରେ ବିଧାୟକ ଶ୍ରୀ ରନ୍ଧାରୀ ରଣ୍ଡାଗୁଡା ଗ୍ରାମର ହାଟପଦା ଛକରେ ଲୋକଙ୍କୁ ଶାଢ଼ି ଓ ଟଙ୍କା ବାଣ୍ଟୁଥିବା ନେଇ ଖବର ପାଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ବିଧାୟକ ଫେରୁଥିଲେ। ବିଧାୟକଙ୍କ ଗାଡିକୁ ସେମାନେ ଅଟକାଇ ରଖି ନିର୍ବାଚନ କମିସନଙ୍କୁ ଖବର ଦେଇଛନ୍ତି । କୌଣସି ପ୍ରାର୍ଥୀ ଶାଢ଼ି କିମ୍ବା ଭୋଟ ଦେଇ ଭୋଟରଙ୍କୁ ପ୍ରଲୋଭିତ କରିପାରିବେ ନାହିଁ ଏହା ଆଇନରେ ବ୍ୟବସ୍ଥା ରହିଛି। ବିଧାୟକଙ୍କ ଗାଡିକୁ ସିଜ୍ ନହେବା ପର୍ଯ୍ୟନ୍ତ ସେମାନେ ଗାଡିକୁ ଛାଡିବେ ନାହିଁ ବୋଲି ଦାବି କରିଛନ୍ତି। ଜିଲ୍ଲାପରିଷଦ ପ୍ରାର୍ଥିନୀ ବି ସେହି ଏକା ଅଭିଯୋଗ କରିଛନ୍ତି।

ବିଧାୟକ ମନୋହର ରନ୍ଧାରୀ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ତାଙ୍କ ଗାଡିରେ ସବୁବେଳେ ଶାଢ଼ିଥାଏ। ସେ ସବୁବେଳେ ବିଭିନ୍ନ ଦଶାଘର ଓ ବିବାହ ଭୋଜିରେ ଯୋଗଦେଇ ତାଙ୍କ ପ୍ରଥା ଅନୁଯାୟୀ ସେ ଶାଢ଼ି ଦେଇଥାନ୍ତି। ଗାଡିରେ ଶାଢ଼ି ରଖିବା ନେଇ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି। ଖବର ଲେଖା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ଶେଷରେ ବାଧ୍ୟ ହୋଇ ଶାଢ଼ିଥିବା ଗାଡିକୁ ତହସିଲଦାର ଓ ଥାନା ଅଧିକାରୀ ଜବତ କରି ପାପଡାହାଣ୍ଡି ଥାନାକୁ ଅଣାଯାଇଛି।