କଠୋର ହେଲା କମିସନରେଟ୍‌ ପୁଲିସ : ବିନା ପାସ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ବର : କାୟା ବିସ୍ତାର କରୁଛି କରୋନା। ଏହି ଭାଇରସ ବ୍ୟାପିବାରୁ ବର୍ତ୍ତିବା ପାଇଁ ସାରା ରାଜ୍ୟରେ କଟକଣା ଜାରି ହୋଇଛି। ଅନ୍ୟ ଅଂଚଳ ଅପେକ୍ଷା ରାଜଧାନୀରେ ଏହି କଟକଣାକୁ ଅଧିକ କରାଯାଇଛି। କିନ୍ତୁ ଏହି କଟକଣାକୁ ଅଧିକାଂଶ ଲୋକ ମାନୁନାହାନ୍ତି। ଏଣୁ ପୁଲିସ ନାକେଦମ୍‌ ହୋଇଛି। ଆଗାମୀ ଦିନ‌ରେ ଏହି ତାଲା ବନ୍ଦ ଶତ ପ୍ରତିଶତ ସଫଳ କରିବା ପାଇଁ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଘରୋଇ ଗାଡି ଚଳାଚଳରେ କଟକଣା ଲାଗୁ ହୋଇଛି। ପୁଲିସର ବିନା ପାସ୍‌ରେ କୌଣସି ଗାଡ଼ି, ବାଇକ୍‌ କିମ୍ବା କାର୍‌ ତଥା ଅନ୍ୟ ମାଲ୍‌ବାହୀ ଗାଡ଼ି ରାସ୍ତାରେ ଗଡ଼ି ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ଏହି ପାସ୍‌ ନିଜ ନିଜ ଥାନାମାନଙ୍କରୁ ପ୍ରାପ୍ତ ହୋଇ ପାରିବ। ଥାନା ଇନ୍‌ସ୍‌ପେକ୍ଟରଙ୍କୁ ଭେଟିବା ପରେ ସେ ଯଦି କାମକୁ ଜରୁରୀ ବୋଲି ଅନୁଭବ କରନ୍ତି ତେବେ ପାସ୍‌ ଦେବେ। ନଚେତ୍‌ ଦେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କେବଳ ଜରୁରୀକାଳୀନ ସେବା ପାଇଁ ଏହି ପାସ୍‌ ଉପଲବ୍ଧ ହେବ। ଏଣୁ ଜରୁରୀ ସେବା ବିନା‌ ଅନ୍ୟ କୌଣସି କାମ ପାଇଁ ଗାଡ଼ି ପାସ୍‌ ନେବାକୁ ଥାନାରେ ଗହଳି କରନ୍ତୁ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ସଚିବାଳୟ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ବିଭାଗ ପାସ୍‌ ଇସ୍ୟୁ କରିବ। ସ୍ବାସ୍ଥ୍ୟଗତ କାରଣରୁ ଅତ୍ୟାବଶ୍ୟକ ହେଲେ ୧୦୦ ଡାଏଲ କରି ଗାଡ଼ି ପାଇଁ ପାସ୍‌ ସୁବିଧା କରିହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସଂସ୍ଥାକୁ କର୍ମଚାରୀ ସଂଖ୍ୟା କମ୍‌ କରାଇବା ପାଇଁ ଅନୁରୋଧ କରାଯାଇଛି। ଆଇଟି ସଂସ୍ଥା ସହ ଅନ୍ୟ ସମସ୍ତ ସଂସ୍ଥା ଯେଉଁମାନଙ୍କର ଫିଲ୍ଡରେ କାମ ନାହିଁ ସେମାନେ କର୍ମଚାରୀଙ୍କୁ ଅଫିସ୍‌ରେ ରହିବା ବ୍ୟବସ୍ଥା କରନ୍ତୁ। ଫଳରେ ଗାଡ଼ି ପାସ୍‌ ଦରକାର ହେବନି। ପାସ୍‌ ନ ପାଇ ଅଯଥାରେ ରାସ୍ତାରେ ହଇରାଣ ନ ହୁଅନ୍ତୁ। କାହାକୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ, ବରଂ କରୋନା ଭାଇରସ ମୁକାବିଲା ପାଇଁ କମିସନରେଟ୍‌ ପୁଲିସ କଠୋର ହେଉଛି। ସମସ୍ତେ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଆଜି ତାଲା ବନ୍ଦ ଘୋଷଣା ସମସ୍ତଙ୍କ ପାଖରେ ସୂଚନା ଥିଲା। ଲୋକମାନେ ବାହାରିବେନି ବୋଲି ଆଶା କରା ଯାଉଥିଲା। ହେଲେ ସକାଳ ୯ଟାରୁ ଲୋକମାନଙ୍କର ଭିଡ଼ ହୋଇଥିଲା। ଭୁବନେଶ୍ବର‌ରେ ଥିବା ବିଭିନ୍ନ ବ୍ୟାଙ୍କ୍‌ର ପାଖାପାଖି ୬ଶହ ଶାଖାର ହଜାର ହଜାର କର୍ମଚାରୀ ଭୁବନେଶ୍ବର ରାସ୍ତା ଉପରକୁ ଗାଡ଼ି ଧରି ଓହ୍ଲାଇ ପଡ଼ିଥିଲେ। ଇଏ ତ’ ଗୋଟାଏ ସେକ୍ଟରର କଥା। ଏଭଳି ଅନେକ ସଂସ୍ଥାର କର୍ମଚାରୀ ଭିଡ଼ ଜମାଇବାରୁ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା। କାହାକୁ ଚେକ୍‌ କରିବ, କ‌ାହାକୁ ଛାଡ଼ିବ ଚିନ୍ତାରେ ପଡ଼ିଥିଲା। ଅନେକ ଲୋକ ‘ମେଡିକାଲ ଇସ୍ୟୁ’ ବୋଲି ମିଛ କହି ପାର୍‌ ପାଇଯିବାକୁ ବସିଥିଲେ। ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇ ପଡ଼ିଥିଲା। ଏଣୁ ଏଭଳି ଏକ ପରିସ୍ଥିତିକୁ ଏଡ଼ାଇବା ପାଇଁ ପାସ୍‌ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର