ମହିଳାଙ୍କୁ ନେଇ ଚାଳକ ଚମ୍ପଟ : ସାରସବାହାଲରେ ଉଭୟ ଗୋଷ୍ଠୀ ପାଟିତୁଣ୍ଡ, ଗାଡ଼ି ଜାଳିଦେଲେ

ବଲାଙ୍ଗୀର/ଦେଓଗାଁ : ଜଣେ ବିବାହିତା ମହିଳାଙ୍କୁ ଗାଡିରେ ବସାଇ ଜଣେ ଗାଡି ଚାଳକ ସଇଁନ୍ତଳାରୁ ତୁଷୁରା ଆଡକୁ ପଳାଇ ଆସିଥିଲେ। ତେବେ ମହିଳାଙ୍କ ନିଖୋଜ ସଂପର୍କରେ ସଇଁନ୍ତଳା ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଖୋଜିବା ପାଇଁ ବାହାରିଥିଲେ ପରିବାର ଲୋକେ। ତୁଷୁରା ଥାନା ଅଞ୍ଚଳରେ ଗାଡିରେ ମହିଳାଙ୍କୁ ନେଇ ଯାଉଥିବା ଗାଡ଼ି ଚାଳକଙ୍କୁ ଠାବ କରିଥିଲେ। ଉତ୍ୟକ୍ତ ଲୋକେ ଗାଡିକୁ ପୋଡି ଦେଇଥିଲେ। ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ନେଇ ପଚରା ଉଚୁରା ଚଳାଇଛି। ସେମାନଙ୍କୁ ସଇଁନ୍ତଳା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ତୁଷୁରାରେ ଥିବା ଏକ ଘରୋଇ ଇଂଲିସ୍‌ ମିଡ଼ିୟମ୍‌ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଏକ ଟାଟା ମେଜିକ୍‌ ଗାଡି ବ୍ୟବହୃତ ହୁଏ। ଓଆର୍‌ ୦୩ଏଚ୍‌ ୦୭୬୬ ନମ୍ବର ଗାଡ଼ି ଚଳାନ୍ତି ଭରତ ସାହୁ(ତୁଷୁରା ଥାନା ସରଗିପାଲି)। ସଇଁନ୍ତଳା ଅଞ୍ଚଳର ଜଣେ ମହିଳା(୧୦ ବର୍ଷ ହେଲା ବିବାହିତ ଓ ତାଙ୍କର ଦୁଇଟି ଛୁଆ ଅଛନ୍ତି)ଙ୍କୁ ଭରତ ଗାଡ଼ିରେ ବସାଇ ତୁଷୁରା ଆଡକୁ ନେଇ ଆସିଥିଲେ। ମହିଳା ନିଖୋଜ ହେଇଯିବା ଜାଣିବା ପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସଇଁନ୍ତଳା ଥାନାରେ ଲିଖିତ ଭାବେ ଜଣାଇବା ସହ ମହିଳା ଓ ଗାଡ଼ି ଚାଳକଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ।

କୌଣସି ସୂତ୍ରରୁ ସୂଚନା ପାଇ ସେମାନେ ତୁଷୁରା ରାସ୍ତାରେ ଗାଡ଼ିକୁ ପିଛା କରିଥିଲେ। ସାରସବାହାଲ ଭାଟି ରାସ୍ତାରେ ଟାଟା ମେଜିକ୍‌ ଗାଡି ଯାଉଥିବା ବେଳେ ମହିଳାଙ୍କ ସଂପର୍କୀୟମାନେ ତାକୁ ଠାବ କରିଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା। ତା’ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସୋମବାର ସଂଧ୍ୟାରେ ଏହି ଘଟଣା ଘଟିଥିବା ବେଳେ କିଏ ଲଗାଇଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପାଟିତୁଣ୍ଡରୁ ପରିସ୍ଥିତି ଉଗ୍ରରୂପ ନେଇଛି ଓ ଏହି କାରଣରୁ ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି।

ଅନ୍ୟପଟେ ତୁଷୁରା ଆଇଆଇସି ପ୍ରଶାନ୍ତ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରୁ ଗାଡ଼ି ଚାଳକ ଭରତ ଓ ଅନ୍ୟ ଜଣଙ୍କୁ ଥାନାକୁ ଅଣାଯାଇଛି। ସଇଁନ୍ତଳା ଥାନାରେ ଅଭିଯୋଗ ହୋଇଥିବାରୁ ପ୍ରାଥମିକ ପଚରା ଉଚୁରା ପରେ ପୁଲିସ ସଇଁନ୍ତଳା ପୁଲିସକୁ ହସ୍ତାନ୍ତର କରିବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ ମହିଳା କେଉଁ ଉଦ୍ଦେଶ୍ୟରେ ଗାଡ଼ି ଚାଳକଙ୍କ ସହ ଆସିଲେ ତାର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର