ବାହାର ରାଜ୍ୟର ଗାଡ଼ିକୁ କଳିଙ୍ଗା ଘାଟି ମନା

ଭୁବନେଶ୍ବର : କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଏକ ବସ୍‌ ଓଲଟି ୬ଜଣଙ୍କର ମୃତ୍ୟୁ ଏବଂ ୪୦ଜଣ ଆହତ ହେବା ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଳିଙ୍ଗା ଘାଟିରେ ବାହାର ରାଜ୍ୟର ଗାଡ଼ିର ଯାତାୟତ ଉପରେ ରୋକ୍ ଲାଗିଛି। ଏହି ଦୁର୍ଘଟଣା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଏକ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ମିଳିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଏହାସହ ଦୁର୍ଘଟଣାର ନିରାକରଣ ପାଇଁ ପଦକ୍ଷେପ ନିଆଯିବ।

ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ଗାଡ଼ି ବାରମ୍ବାର ଦୁର୍ଘଟଣାଗସ୍ତ ହେଉଛି। ଏହି ଲମ୍ବା ଘାଟିରେ ଗାଡ଼ି ଚଳାଇବାରେ ସମ୍ପୃକ୍ତ ଡ୍ରାଇଭରମାନଙ୍କର ଅଭିଜ୍ଞତା ନାହିଁ। ତେଣୁ ବାହାର ରାଜ୍ୟରୁ ଆସୁଥିବା ବସ୍‌ଗୁଡ଼ିକ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପରାମର୍ଶ ଜାରି କରିବେ। ଉକ୍ତ ଗାଡ଼ିଗୁଡ଼ିକୁ ଘାଟି ରାସ୍ତାରେ ଯିବାକୁ ଅନୁମତି ଦିଆଯିବନି। ଜିଲ୍ଲା ସୀମାରେ ଚେକିଂ, ବ୍ଲକିଂକୁ ବ୍ୟାପକ କରାଯିବ। ବାହାର ରାଜ୍ୟର ଗାଡ଼ି ଯିବାକୁ ଚାହିଁଲେ, ବିପଦଜନକ ଘାଟି ରାସ୍ତାରେ ସେମାନଙ୍କୁ ଛଡ଼ାଯିବନି। ବିକଳ୍ପ ରାସ୍ତା ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରାଯିବ।

ଅପରପକ୍ଷେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଚିବ ଓ ଉଦୟନାରାୟଣପୁରର ବିଧାୟକଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସି ଆହତ ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର