ଏମିତି ଚାଲିଛି ଗାଡି ଯାଞ୍ଚ: ରାଉରକେଲାରେ ଯାଞ୍ଚ, ଜରିମାନା କଟୁଛି ବଣାଇଗଡରେ

ରାଉରକେଲା : ଅମାନିଆଙ୍କୁ ସାବାଡ କରିବାକୁ ସହରର ପ୍ରମୁଖ ଛକରେ ଟ୍ରାଫିକ ପୁଲିସ ପକ୍ଷରୁ ହେଉଛି ଗାଡି ଯାଞ୍ଚ। ନିୟମଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନିଆଯାଉଛି। ଜରିମାନା କଟାଯାଉଛି। ଆଶ୍ଚର୍ଯ୍ୟ କଥା ଟ୍ରାଫିକ ପୁଲିସମାନେ ଗାଡି ଯାଞ୍ଚ କରୁଛନ୍ତି ସହରରେ। ଗୋଟିଏ ଗାଡି ଜରିମାନା କଟାଯାଉଛି। ଅନ୍ୟ ଗାଡ଼ି ମାଲିଙ୍କୁ ମେସେଜ୍‌ ଆସୁଛି। ଏମତି ଘଟଣା ଘଟିଛି ଗତକାଲି ରାତିରେ।

ଟ୍ରାଫିକ ପୁଲିସ ସହରର ପ୍ରମୁଖ ଛକରେ ଗାଡି ଯାଞ୍ଚ କରୁଥିଲେ। ଓଡି-୧୪ ଏସ୍‌ -୮୦୧୮ ହୁଣ୍ଡାଇ କ୍ରେଟା କାର୍‌ର କାଗଜପତ୍ର ଯାଞ୍ଚ କରିଥିଲେ। ଇନ୍‌ସୁରାନ୍ସ ଅବଧି ଶେଷ ହୋଇଥିବାରୁ ଜରିମାନା କାଟିଥିଲେ। ଚାଲାଣ କାଟୁଥିବା ଟ୍ରାଫିକ୍‌ ପୁଲିସ (ଓଡି-୧୪ଏସ୍‌-୮୦୧୮) ବଦଳରେ (ଓଡି୧୪ଏସ୍‌-୮୦୮୧) ଗାଡ଼ି ନାଁରେ ଚାଲାଣ କାଟି ଦେଇଥିଲେ। ଯେଉଁ ଗାଡ଼ି ବଣାଇଁଗଡର। ହଠାତ୍‌ ଗାଡ଼ି ମାଲିକଙ୍କ ମୋବାଇଲକୁ ଜରିମାନା ସମ୍ପର୍କିତ ମେସେଜ୍‌ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗାଡ଼ି ମାଲିକ ଜଣକ ଏ ସଂକ୍ରାନ୍ତରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରିଥିଲେ। ଟ୍ରାଫିକ୍‌ ଇନ୍ସପେକ୍ଟର ଭୁଲ୍‌ବଶତଃ ଏମିତି ହୋଇଯାଇଥିବା କହିଥିଲେ। ଦାୟିତ୍ବରେ ଥିବା ଟ୍ରାଫିକ୍‌ ପୁଲିସର ଏଭଳି ଖାମଖିଆଲି ମନୋଭାବ ଯୋଗୁ ଅନ୍ୟଗାଡ଼ି ମାଲିକଙ୍କୁ ଏମିତି ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର