ଯକ୍ଷ୍ମା ଚିହ୍ନଟ ପାଇଁ ଭ୍ରାମ୍ୟମାଣ ଯାନ: ୧୦ ମାସରେ ବୁଲିବ ୧୫ ଜିଲ୍ଲା

ଭୁବନେଶ୍ବର : ଯକ୍ଷ୍ମା ରୋଗୀଙ୍କ ବାସ୍ତବ ସ˚ଖ୍ୟା ଜାଣିବା ପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପରୀକ୍ଷା ବ୍ୟବସ୍ଥା। ଏହି ଗାଡ଼ିକୁ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଶୁଭାରମ୍ଭ କରିଛନ୍ତି। ଇଣ୍ତିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର), କେନ୍ଦ୍ରୀୟ ଯକ୍ଷ୍ମା ଡିଭିଜନ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ଦପ୍ତର ପକ୍ଷରୁ ସମଗ୍ର ଦେଶରେ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଶୁଭାରମ୍ଭ ହୋଇଥିବା ଭ୍ରାମ୍ୟମାଣ ଯକ୍ଷ୍ମା ପରୀକ୍ଷା ଯାନଟି ଓଡ଼ିଶା ସମେତ ଝାଡଖଣ୍ତ ଓ ଛତିଶଗଡ଼ରେ କାର୍ଯ୍ୟ କରିବ। ଓଡ଼ିଶାର ୧୫ଟି ଜିଲ୍ଲାର ୨୧ଟି ସ୍ଥାନରେ ଯକ୍ଷ୍ମା ଚିହ୍ନଟ ଲାଗି ପରୀକ୍ଷା ନିରୀକ୍ଷା ଚଳାଇବ। ୮୦୦ ପର୍ଯ୍ୟନ୍ତ ଲୋକ ଥିବା ଜନବସତିରେ ଏହି ଭ୍ରାମ୍ୟମାଣ ଗାଡ଼ି ପହଞ୍ଚିବା ସହ ସେଠାରେ ନମୁନା ପରୀକ୍ଷା କରିବ। ଯକ୍ଷ୍ମା ଚିହ୍ନଟ ଲାଗି ଏହି ଗାଡ଼ିରେ ଏକ୍ସ-ରେ ମେସିନ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ଫଳରେ ଘଟଣାସ୍ଥଳରେ ହିଁ ତତ୍କାଳ ଯକ୍ଷ୍ମା ଚିହ୍ନଟ ହୋଇପାରିବ। ଏପରିକି ଲୋକଙ୍କ ଦେହରେ ଛପିଥିବା ଯକ୍ଷ୍ମା ରୋଗକୁ ଏହି ମେସିନ ସାହାଯ୍ୟରେ ପ୍ରାରମ୍ଭିକ ଅବସ୍ଥାରେ ଠାବ କରାଯାଇ ପାରିବ। ଓଡ଼ିଶାରେ ଏହି ପରୀକ୍ଷା ନିରୀକ୍ଷା କାର୍ଯ୍ୟ ଆସନ୍ତା ୮ରୁ ୧୦ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏହି ଭ୍ରାମ୍ୟମାଣ ପରୀକ୍ଷା ଗାଡ଼ି ପାଇଁ ଡାକ୍ତରଙ୍କ ସହ ୨୧ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କୁ ଆଇସିଏମ୍‌ଆର ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି) ପକ୍ଷରୁ ତାଲିମ ପ୍ରଦାନ କରାଯିବ। ୧୯୫୬ ମସିହା ପରେ ସମଗ୍ର ଦେଶରେ ଯକ୍ଷ୍ମାର ସ୍ଥିତାବସ୍ଥା ଜାଣିବା ପାଇଁ ଏଭଳି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମାଧ୍ୟମରେ ଯକ୍ଷ୍ମା ରୋଗର କାୟାବିସ୍ତାର ସ˚କ୍ରାନ୍ତରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ପୂରଣରେ ଏହା ବେଶ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଜିର ଏହି ଉଦ୍‌ଘାଟନ ଅବସରରେ ଆରଏମଆରସି, ଭୁବନେଶ୍ବରର ନିର୍ଦ୍ଦେଶିକା ସ˚ଘମିତ୍ରା ପତି, ଖୋର୍ଧା ଜିଲ୍ଲାପାଳ ସୀତା˚ଶୁ କୁମାର ରାଉତ, ଖୋର୍ଧା ସିଡିଏମଓ ବିଜୟ କୁମାର ମହାପାତ୍ରଙ୍କ ସମେତ ଆରଏମଆରସି ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର