ରାଉରକେଲା: ଗତ ଜାନୁଆରିରେ ଅନୁଷ୍ଠିତ ହକି ବିଶ୍ବକପ ସମୟରେ ଇସ୍ପାତ ସହର ଏକ ନୂଆ ରୂପ ପାଇଥିଲା। ହଜାରେ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟକରି ଭିତ୍ତିଭୂମି ନିର୍ମାଣସହ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏହି କ୍ରମରେ ଇସ୍ପାତ ସହରର ସବୁ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରାଯାଇଥିଲା। ନିୟମିତ ରାସ୍ତା ସଫେଇ, ନିଷିଦ୍ଧ ପଲିଥିନ ବିକ୍ରି ଉପରେ ଚଢ଼ଉ ଜୋର୍‌ଦାର ହେଉଥିଲା। ବିଶେଷକରି ରାସ୍ତାକଡ଼ ଠେଲା, ଉଠାଦୋକାନିଙ୍କୁ ଉଚ୍ଛେଦକରି ପରିମଳ ବ୍ୟବସ୍ଥାକୁ ସଜଡ଼ା ଯାଇଥିଲା। ଏବେ କିନ୍ତୁ ସବୁ ଖୋଲାମେଲା। ପ୍ରାୟ ସବୁ ନିୟମର ଖୋଲା ଉଲ୍ଲଂଘନ ହେଉଛି। ବିଡ଼ମ୍ବନା, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଏ ଦିଗରେ ପଡ଼ୁନି।
Advertisment
ସହରକୁ ଘେରି ରହିଥିବା ରିଂରୋଡ୍‌ ଉଭୟ ପାର୍ଶ୍ବରେ ଏକାଧିକ ପରିବା ବଜାର, ଫଳ ଦୋକାନ, ଫାଷ୍ଟଫୁଡ୍‌ ଠେଲା, ପାନ ଗୁମୁଟି ଆଦି ରହିଥିଲା। ସେତେବେଳେ ଏହାକୁ ଉଚ୍ଛେଦ କରାଯାଇଥିଲା।
ଏବେ କିନ୍ତୁ ବୁଲା ଦୋକାନି ପୁଣି ଜବରଦଖଲ ଆରମ୍ଭ କରିଦେଲେଣି। କେବଳ ବିର୍ସା ଛକ ରାସ୍ତା କଡ଼ରେ ଫଳ ଦୋକାନ ନୁହେଁ; ବରଂ ଛେଣ୍ଡ୍‌, ଡିଏଭି ଛକ ପାଖରେ ପରିବା ବଜାର, ଛେଣ୍ଡ୍‌ ପେଟ୍ରୋଲ ପମ୍ପ ନିକଟରେ ପଇଡ଼ ଦୋକାନ ଆଦି ପୁନର୍ବାର ଗଢ଼ି ଉଠିଛି। ଫଳରେ ଏଠାରେ ଗ୍ରାହକଙ୍କ ଭିଡ଼ ହେବା ସ୍ବାଭାବିକ୍‌। ଗ୍ରାହକ ରାସ୍ତା କଡ଼ରେ ଯାନବାହନ ରଖି କିଣାକିଣି‌ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏତଦ୍‌ବ୍ୟତୀତ ଦୋକାନି ନିୟମିତଭାବେ ସଫେଇ କରୁନଥିବାରୁ ପୂର୍ବଭଳି ଅଳିଆଆବର୍ଜନା ଗଦା ହୋଇ ରହୁଛି। ସହରର ସୌନ୍ଦର୍ଯ୍ୟବୃଦ୍ଧି ତଥା ନିର୍ମଳ ପରିବେଶ ସୃଷ୍ଟି ପାଇଁ ଆର୍‌ଏମ୍‌ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ବ୍ୟାପକସଂଖ୍ୟକ ଭେଣ୍ଡିଂ ଜୋନ୍‌ ତିଆରି ଉଠାଦୋକାନିଙ୍କୁ ଥଇଥାନ କରି, ସମସ୍ୟାର ସମାଧାନ କରିବା ହିଁ ଏକମାତ୍ର ବିକଳ୍ପ ପାଲଟିଛି।