ରାଉରକେଲା: ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ସ୍ମାର୍ଟସିଟି ରଘୁନାଥପାଲୀ ଡାକଘର ପାର୍ଶ୍ବ ଓ ମ୍ୟୁଜିକ୍‌ ସର୍କଲ ନିକଟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ କରିଛି। ଦୁଇଟି ସ୍ଥାନରେ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମୋଟ ୭୮ ଟି ଭେଣ୍ଡିଂ ଜୋନ୍‌ ନିର୍ମାଣ‌ ହୋଇଛି। ମ୍ୟୁଜିକ୍‌ ସର୍କଲ ପାର୍ଶ୍ବରେ ୫୧ଟି, ରଘୁନାଥପାଲୀ ଡାକଘର ପାର୍ଶ୍ବରେ ୨୭ ଭେଣ୍ଡିଂ ଜୋନ୍‌ ରହିଛି। ଉଠାଦୋକାନୀଙ୍କୁ ଥଇଥାନ ପାଇଁ ସ୍ମାର୍ଟସିଟି ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ ହସ୍ତାନ୍ତର କରିଦେଇଛି। ହେଲେ ଗତ ୨୬ ମାର୍ଚ୍ଚରେ ରଘୁନାଥପାଲୀ ଓ ଡିଏଭି ମ୍ୟୁଜିକ୍‌ ସର୍କଲ ନିକଟ ଭେଣ୍ଡିଂ ଜୋନ୍‌ରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଯେଉଁ ତାଲିକା ପ୍ରକାଶ ପାଇଛି, ସେଥିରେ ସାଂଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି। ତାଲିକାରେ ଅଧିକାଂଶ ଯୋଗ୍ୟ ଉଠାଦୋକାନୀଙ୍କୁ ବାଦ୍‌ ଦିଆଯାଇଛି। ଅଯୋଗ୍ୟ ଦୋକାନୀଙ୍କ ନାଁକୁ ଯୋଡାଯାଇଛି।

Advertisment

ବାସନ୍ତୀକଲୋନି ଡିଏଭି ଛକରେ ବର୍ଷ ବର୍ଷ ଧରି ଉଠା‌ଦୋକାନ କରିଥିବା ଅନେକ ଦୋକାନୀଙ୍କୁ ମ୍ୟୁଜିକ୍‌ ସର୍କଲ ପାର୍ଶ୍ବ ଭେଣ୍ଡିଂ ଜୋନ୍‌ ତାଲିକାରୁ ବାଦ୍‌ ଦିଆଯାଇଛି। ଭିତିରି ସଲାସୁତୁରା କରି କିଛି ବୁଲାବିକାଳିଙ୍କୁ ସାମିଲ କରାଯାଇଛି। ଜଣେ ଜଣେ ବୁଲା ବିକାଳିଙ୍କ ଠାରୁ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ନିଆଯାଇଥିବା ଅଭିଯୋଗ ହେଉଛି। ଏତିକି ନୁହେଁ, ଠେଲା ପକାଇଥିଲେ ବାପା କିନ୍ତୁ ଭେଣ୍ଡିଂ ଜୋନ୍‌ ମିଳିଛି ଉଭୟ ବାପ ଓ ପୁଅଙ୍କୁ। ତା’ପୁଣି ଗୋଟିଏ ସ୍ଥାନରେ। ସେମିତି ଜଣେ ଭାଇ ଠେଲା ପକାଇଥିଲେ, ଭେଣ୍ଡିଂ ଜୋନ୍‌ ତାଲିକାରେ ଦୁଇ ଭାଇଙ୍କ ନାଁ କୁ ଯୋଡି ଦିଆଯାଇଛି। ଦୋକାନ ସର୍ଭେ ଦାୟିତ୍ବରେ ଥିବା କର୍ମଚାରୀ, ବିଭାଗୀୟ ଅଧିକାରୀ ଓ କିଛି ଦୋକାନୀଙ୍କ ମଧ୍ୟରେ ଭିତିରି ସଲାସୁତୁରାରେ ଏଭଳି ତାଲିକା ପ୍ରକାଶ ପାଇଥିବା ଭେଣ୍ଡିଂଜୋନ୍‌ରୁ ବଞ୍ଚିତ ଦୋକାନୀମାନେ ଅଭିଯୋଗ କରିଛନ୍ତି। କେବଳ ମ୍ୟୁଜିକ୍‌ ସର୍କଲ ପାର୍ଶ୍ବ ଭେଣ୍ଡିଂ ଜୋନ ନୁହେଁ ରଘୁନାଥପାଲୀ ଡାକଘର ପାର୍ଶ୍ବ ଭେଣ୍ଡିଂ ଜୋନ୍‌ରୁ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ‌ଭେଣ୍ଡିଂ ଜୋନ୍‌ ଆବଣ୍ଟନ ପୂର୍ବରୁ ଯୋଗ୍ୟ ଉଠାଦୋକାନୀଙ୍କୁ ଭେଣ୍ଡିଂ ଜୋନ୍‌ ପ୍ରଦାନ କରା ନଗଲେ ସେମାନେ ଧାରଣାରେ ବସିବା ସହ ଆଇନର ଆଶ୍ରୟ ନେବାକୁ ଧକମ ଦେଇଛନ୍ତି। ସର୍ଭେ ଓ ତାଲିକା ପ୍ରସ୍ତୁତ କରିଥିବା କର୍ମଚାରୀ ଓ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ, ଭେଣ୍ଡିଂ ଜୋନ୍‌ ଆବଣ୍ଟନ ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇପାରନ୍ତା।

ଅନୁରୂପ ଭାବେ ସହରର କିଛି ସ୍ଥାନରେ ରହିଥିବା ଭେଣ୍ଡିଂ ଜୋନ୍‌ରେ ତାଲା ଝୁଲୁଛି। ଆଉ କିଛି ଭେଣ୍ଡିଂ ଜୋନ୍‌ର ଅଧିକାଂଶ ଦୋକାନୀ ଥିଲାବାଲାଙ୍କ ହାତରେ ରହିଛି। ଆର୍‌ଏମ୍‌ସିରୁ ଏସବୁ ଦୋକାନକୁ ହାତେଇ ଅନ୍ୟମାନଙ୍କୁ ଭଡା ଦେଉଛନ୍ତି। ସେମାନଙ୍କ ଠାରୁ ମାସିକ ମୋଟା ଅଙ୍କର ଭଡା ଆଦାୟ କରୁଛନ୍ତି। ବାସନ୍ତୀକଲୋନି ଭେଣ୍ଡିଂ ଜୋନ୍‌ରୁ ଏଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ବାସନ୍ତୀ କଲୋନି ଭେଣ୍ଡିଂ ଜୋନ୍‌ରେ ପାଖାପାଖି ୨୦୦ରୁ ଅଧିକ ଦୋକାନ ରହିଛି। ଏଥି ମଧ୍ୟରୁ ୪୦% ଭଡାରେ ଲାଗିଛି। କେବଳ ଏତିକି ନୁହେଁ ଆର୍‌ଏମ୍‌ସିର ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି କିଛି ଦୋକାନୀ ଏକାଧିକ ଦୋକାନ ହାତେଇଥିବା ଅଭିଯୋଗ ହେଉଛି। ଏଭଳି ବେଆଇନ କାମ ଚାଲିଥିଲେ ହେଁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ସେମିତି ପୂର୍ବରୁ ମାତ୍ର ୫୦ ହଜାରରୁ ଏକ ଲକ୍ଷ ଟଙ୍କାରେ ହାତଇଥିବା ଦୋକାନକୁ କିଛି ବ୍ୟକ୍ତି ୧୦ରୁ ୧୨ ଲକ୍ଷ ଟଙ୍କା ବିକ୍ରି କରି ଦେଉଛନ୍ତି। ତା’ ପୁଣି ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଅଜାଣତରେ। ବିଭାଗୀୟ ଉଚ୍ଚ ଅଧିକାରୀ ଅଜଣାତରେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି।