ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ରବିବାର ସନ୍ଧ୍ୟାରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି। ବିଦାୟ ସମୟରେ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଆଜି ପୂର୍ବାହ୍ଣ ୧୦ଟା ୧୫ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ। ଉପରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ବିମାନବନ୍ଦର ପହଞ୍ଚି ଥିଲେ।

ଉପରାଷ୍ଟ୍ରପତି କିଟ୍‌ ବିଶ୍ୱବିଦ୍ୟାଳୟରେ ଆୟୋଜିତ ବିଶ୍ୱ କବି ସମ୍ମିଳନୀରେ ଯୋଗ ଦେବା ପରେ ମଧ୍ୟାହ୍ଣ ଭୋଜନ ପାଇଁ ରାଜଭବନ ଯାଇଥିଲେ। ରାଜଭବନରୁ ସେ ସିଧାସଳଖ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଥିଲେ। ଏହା ପରେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦର ଯାଇଥିଲେ। ଭେଙ୍କିଆଙ୍କ ଗସ୍ତ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

‘ସମାଜ’ର ଶତବାର୍ଷିକୀ ସମାରୋହରେ ଭେଙ୍କିଆ ନାଇଡୁ କହିଥିଲେ, ସମାଜ ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଉପରାଷ୍ଟ୍ରପତି ଓଡ଼ିଆରେ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଶତବାର୍ଷିକୀ ସମାରୋହରେ ଭାଗ ନେଇ ମୁଁ ଆନନ୍ଦ ଅନୁଭବ କରୁଛି। ଗରିବଙ୍କ ପାଇଁ ସମାଜ କାମକରୁଛି।

ସମ୍ବନ୍ଧିତ ଖବର