ଭେଣ୍ଟିଲେଟର, ଆଇସିୟୁ ମେସିନ୍‌ ଚୋରି ମାମଲା: ଡାକ୍ତର ଶ୍ରୀକାନ୍ତଙ୍କୁ ମାରାଥନ ଜେରା

ଭୁବନେଶ୍ବର : କୋଭଡି ଚିକିତ୍ସା ପାଇଁ ସରକାର କିଣିଥିବା ଭେଣ୍ଟିଲେଟର, ଆଇସିୟୁ ମନିଟର, ଅନ୍ୟାନ୍ୟ ସାମଗ୍ରୀ ଚୋରି ଓ ବେଆଇନ ଭାବେ କିଣିବା ଘଟଣାରେ ସମ୍ପୃକ୍ତି ନେଇ ଡାକ୍ତର ଶ୍ରୀକାନ୍ତ ପାତ୍ରଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ ମାରାଥନ ଜେରା କରିଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ଗୁରୁବାର ଦିନ ଦିନ ପାଖାପାଖି ୧୦ଟା ସମୟରେ ଡାକ୍ତର ଶ୍ରୀକାନ୍ତ ଥାନାରେ ହାଜର ହୋଇ ତଦନ୍ତ ଅଧିକାରୀଙ୍କୁ ଭେଟିଥିଲେ। ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପୁଲିସ ତାଙ୍କୁ ବିଭିନ୍ନ ଦିଗ ଉପରେ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲା। କୋର୍ଟଙ୍କ ନିର୍ଦେଶ ମୁତାବକ ଜେରା ପରେ ତାଙ୍କୁ ଛଡ଼ାଯାଇଥିଲା।

ଏହି ଚୋରି ମାମଲାରେ ଡାକ୍ତର ଶ୍ରୀକାନ୍ତଙ୍କ ନାଁମରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ହେଲେ ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ଓ ତଦନ୍ତକାରୀ ଅଧିକାରୀ ଯେବେ ଚାହିଁବେ ସେ ହାଜର ହେବେ। କିନ୍ତୁ ଏଥିପାଇଁ ତଦନ୍ତକାରୀ ଅଧିକାରୀ ତାଙ୍କୁ ଆଗୁଆ ଲିଖିତ ନୋଟିସ୍ ଦେବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ମାର୍ଚ୍ଚ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଧାର୍ଯ୍ୟ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ କି ନାହିଁ, ତଦନ୍ତରେ ସ‌ହଯୋଗ କରିଲେ କି ନାହିଁ ଓ ଜେରାର କଣ ଫଳାଫଳ ରହିଛି, ସେ ନେଇ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର