ଭେଣ୍ଟିଲେଟର, ଆଇସିୟୁ ମେସିନ୍‌ ଚୋରି ମାମଲା: ଡାକ୍ତରଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: କୋଭଡି ଚିକିତ୍ସା ପାଇଁ ସରକାର କିଣିଥିବା ଭେଣ୍ଟିଲେଟର, ଆଇସିୟୁ ମନିଟର, ଅନ୍ୟାନ୍ୟ ସାମଗ୍ରୀ ଚୋରି ଏବଂ ବେଆଇନ ଭାବେ ବିକ୍ରି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ରୁଜୁ ମାମଲାରେ ଡାକ୍ତର ଶ୍ରୀକାନ୍ତ କୁମାର ପାତ୍ରଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୭ ତାରିଖ ଦିନ ୧୦ଟା ସମୟରେ ଶ୍ରୀ ପାତ୍ର କ୍ୟାପିଟାଲ ଥାନାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଜେରା ପାଇଁ ଉପସ୍ଥିତ ରହିବେ। ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରିବେ। ତଦନ୍ତକାରୀ ଅଧିକାରୀ ଯେବେ ଚାହିଁବେ ସେ ହାଜର ହେବେ।

କିନ୍ତୁ ଏଥି ପାଇଁ ତଦନ୍ତକାରୀ ଅଧିକାରୀ ତାଙ୍କୁ ଅାଗୁଆ ଲିଖିତ ନୋଟିସ୍ ଦେବେ। ମାର୍ଚ୍ଚ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଧାର୍ଯ୍ୟ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ କି ନାହିଁ, ତଦନ୍ତରେ ସ‌ହଯୋଗ କରିଲେ କି ନାହିଁ ଓ ଜେରାର କଣ ଫଳାଫଳ ରହିଛି ସେ ନେଇ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାପିଟାଲ ଥାନାରେ ରୁଜୁ ମାମଲାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶ୍ରୀ ପାତ୍ରଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାତ୍ରଙ୍କ ଆଗୁଆ ଜାମିନ ଆବେଦନର ଆଜି ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର