ଭିମସାର୍‌ କୋଭିଡ୍ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟର୍‌ ଲିକ୍‌ ଓ ଔଷଧ ଅଭାବ!

ବରିଷ୍ଠ ଡାକ୍ତର ଯାଉ ନଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଅଭିଯୋଗ

ସମ୍ବଲପୁର : ଭିମସାର୍‌ରେ ସରକାର ଦୁଇଟି କୋଭିଡ୍ ହସ୍‌ପିଟାଲ୍ ଖୋଲି ଦେଇଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ଏହାର ଠିକ୍‌ଭାବେ ପରିଚାଳନା କରିପାରୁ ନାହାନ୍ତି। ଚିକିତ୍ସାରେ ଅବହେଳା ହେଉଛି। ରୋଗୀମାନେ ପୋକମାଛି ପରି ମରୁଛନ୍ତି। ଖୋଦ୍ ବୁର୍ଲା ଓ ସମ୍ବଲପୁରର କିଛି ବରିଷ୍ଠ ଡାକ୍ତର ଏଭଳି ଅଭିଯୋଗ ଆଣିଛନ୍ତି। ଡାକ୍ତରଖାନା ପରିଚାଳନା ଠିକ୍‌ଭାବେ ହେଉ ନାହିଁ। ବିନା ବରିଷ୍ଠ ଡାକ୍ତରରେ ଚାଲିଥିବା ଡାକ୍ତରଖାନା ଦ୍ବୟରେ ‌ଜରୁରୀ ଔଷଧ ଅଭାବ, ଭେଣ୍ଟିଲେଟର୍‌ରେ ତ୍ରୁଟି ଆଦି ବହୁବିଧ ସମସ୍ୟା ରହୁଛି। ରୋଗୀଙ୍କୁ ଶ୍ରେଷ୍ଠ ଚିକିତ୍ସା ପ୍ରଦାନ ଦିଗରେ ଅଧିକାଂଶ ଡାକ୍ତର ଯତ୍ନବାନ ହେଉ ନାହାନ୍ତି। ସେହି କାରଣରୁ ଏଠାରେ ମୃତ୍ୟୁ ହାର ଯଥେଷ୍ଟ ଅଧିକ ରହୁଥିବା ଭିମସାର୍‌ ସହ ଜଡ଼ିତ ବା ସେ ସଂପର୍କରେ ଜାଣିଥିବା ଡାକ୍ତରମାନେ କହିଛନ୍ତି। ଅବଶ୍ୟ ଏଭଳି ଅଭିଯୋଗକୁ ଅବାନ୍ତର କହି ଭିମସାର୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

ଅ‌ଭିଯୋଗ ଅନୁସାରେ ଭିମ୍‌ସାର୍‌ରେ କୋଭିଡ୍ ରୋଗୀଙ୍କ ପାଇଁ ଜରୁରୀ ଔଷଧ ଗୁଡ଼ିକ ଉପଲବ୍‌ଧ ରହୁ ନାହିଁ। ଡକ୍ସିସାଇକ୍ଲିନ୍‌, ଷ୍ଟିରଏଡ୍‌ ଇଂଜେକ୍‌ସନ, ବ୍ଲଡ୍‌ ଥିନର୍‌ ଇଂଜେକ୍‌ସନ ଆଦି ଅତ୍ୟାବଶ୍ୟକ ବି ରହୁ ନାହିଁ। ଭିମସାର୍‌ କୋଭିଡ୍‌ ହସ୍‌ପିଟାଲ୍‌-୨ରେ ଲାଗିଥିବା ଭେଣ୍ଟିଲେଟର୍‌ ଗୁଡ଼ିକ ଲିକ୍ କରୁଛି। ଯେଉଁ କିଛି ଭେଣ୍ଟିଲେଟର୍‌ କାର୍ଯ୍ୟକ୍ଷମ ଅଛି ବୋଲି କୁହାଯାଉଛି ସେଗୁଡ଼ିକୁ ବି ରୋଗୀଙ୍କୁ ‌ଲଗାଯାଉ ନାହିଁ। ନୂଆ ଆସିଷ୍ଟାଣ୍ଟ ପ୍ରଫେସର୍‌ ଓ ପିଜି ଛାତ୍ରଛାତ୍ରୀଙ୍କୁ କେବଳ ଡ୍ୟୁଟି ଦିଆଯାଇଛି। କେହି ବରିଷ୍ଠ ଡାକ୍ତର, ଏପରିକି ଆସୋସିଏଟ୍ ପ୍ରଫେସର୍‌ ମାନେ ବି କୋଭିଡ୍ ହସ୍‌ପିଟାଲ୍ ଦ୍ବାର ମାଡ଼ୁ ନାହାନ୍ତି। ତେଣୁ କରି ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନାହିଁ ବୋଲି ଅଭିଯୋଗ ହେ‌ାଇଛି। ଏସବୁ ଅଭିଯୋଗକୁ କିନ୍ତୁ ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। କିଛି ଲୋକ ଯେଉଁ ମାନଙ୍କର ନିଜର ଅନୁଷ୍ଠାନ ସହ ସଂପୃକ୍ତି ବା ଆନ୍ତରିକତା ନାହିଁ ସେମାନେ ହିଁ ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି କୋଭିଡ୍ ରୋଗୀଙ୍କୁ ଡକ୍ସିସାଇକ୍ଲିନ୍ ଇଂଜେକ୍‌ସନ ଦେବାର କୌଣସି ପ୍ରୋଟକଲ୍ ନାହିଁ। ଷ୍ଟିରଏଡ୍ ୨ ପ୍ରକାରର ବ୍ୟବହାର ହୁଏ। ଗୋଟିଏ ନହେଲେ ଅନ୍ୟଟି ବ୍ୟବହାର କରାଯାଇ ପାରିବ। ଭେଣ୍ଟିଲେଟର୍‌ ଗୁଡ଼ିକରେ ଅକ୍ସିଜେନ୍‌ ପ୍ରେସର୍‌ ଟିକେ କମ୍ ରହୁଛି। ପଏଣ୍ଟ ଅଧିକ ଥିବା କାରଣରୁ ଏଭଳି ହେଉଛି। ଏ ସଂପର୍କରେ ବିଭାଗକୁ ଜଣାଇବା ପରେ ବମ୍ବେରୁ ଏକ ଟିମ୍ ଆସି ପରୀକ୍ଷା କରି ଯାଇଛନ୍ତି। ବରିଷ୍ଠ ଡାକ୍ତରଙ୍କୁ ଡ୍ୟୁଟି ଦିଆ ନଯିବା ଅଭିଯୋଗ ଠିକ୍ ନୁହେଁ। ଆସିଷ୍ଟାଣ୍ଟ ପ୍ରଫେସର୍ ମାନେ ହିଁ ବରିଷ୍ଠ ଡାକ୍ତରରେ ଗଣା ହୁଅନ୍ତି। ଅଧିକାଂଶ ଆସୋସିଏଟ୍ ପ୍ରଫେସର୍ ନିଜ ନିଜ ବିଭାଗର ମୁଖ୍ୟ ଅଛନ୍ତି। ଡାକ୍ତରମାନଙ୍କ ଡ୍ୟୁଟି ସଂପର୍କରେ ବିଭାଗୀୟ ମୁଖ୍ୟ ମାନଙ୍କଠାରୁ ତାଲିକ‌ା ମଗାଯାଏ ଓ ସେହି ଅନୁଯାୟୀ ଡ୍ୟୁଟି ଆବଣ୍ଟନ ହୁଏ। ସବୁ ବରିଷ୍ଠ ପଦାଧିକାରୀ ହସ୍‌ପିଟାଲ୍ ପରିଦର୍ଶନ କରୁଛନ୍ତି। କୋଭିଡ୍ ପରିଚାଳନା ପାଇଁ ଆମେ ଦିନରାତି ଲାଗିଛୁ। ଅଭିଯୋଗ କରିବା ସହଜ, କିନ୍ତୁ ଅଭିଯୋଗ କରୁଥିବା ଲୋକେ ଡାକ୍ତରଖାନା ପରିଚାଳନାରେ ସାମିଲ ହେଲେ ପ୍ରକୃତ ସମସ୍ୟା ସଂପର୍କରେ ଜାଣି ପାରନ୍ତେ ବୋଲି ପ୍ରଫେସର୍ ମେହେର କହିଛନ୍ତି।

ଭିମ୍‌ସାର୍‌ ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ ମଧ୍ୟ ଅଭିଯୋଗ ଗୁଡ଼ିକୁ ଅମୂଳକ ଆଖ୍ୟା ଦେଇଛନ୍ତି। ସବୁ ଜରୁରୀ ଔଷଧ ପ୍ରଚୁର ପରିମାଣରେ ଉପଲବ୍‌ଧ ଅଛି। ପ୍ରତି ଔଷଧର ବିକଳ୍ପ ସଂପର୍କରେ ଡାକ୍ତର ମାନଙ୍କୁ ଜଣାଇ ଦିଆହୋଇଛି। ସବୁ ପ୍ରକାର ପରାମର୍ଶ ପାଇଁ ବରିଷ୍ଠ ଡାକ୍ତର ମାନେ ଉପଲବ୍‌ଧ ଅଛନ୍ତି। ଏଭଳି ଅଭିଯୋଗ କାମ କରୁଥିବା ଲୋକଙ୍କୁ ହତୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର