ଭେଣ୍ଟିଲେଟର ଚୋରି ରାକେଟ୍‌ ଉପରୁ ପରଦା ହଟୁଛି: ମାଷ୍ଟରମାଇଣ୍ଡ ଧଳା ହାତୀକୁ ଖୋଜୁଛି ପୁଲିସ

୨ ଡାକ୍ତର ଫେରାର୍‌, ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ରାଜ୍ୟ ସରକାରଙ୍କ ଭେଣ୍ଟିଲେଟର ଓ ଆଇସିୟୁ ମନିଟର ଗୋଦାମରୁ ଚୋରି ହୋଇଗଲା। ଏହା କୌଣସି ସାଧାରଣ ଚୋରି ନୁହେଁ। କାରଣ ଚୋର କବାଡ଼ିଆ ଗୋଦାମରେ ବିକି ନାହିଁ। ଚୋରଠାରୁ ଯନ୍ତ୍ରାଂଶସବୁକୁ କିଣି ନେଇଛନ୍ତି ଘ‌ରୋଇ ହସ୍ପିଟାଲ କର୍ତ୍ତୃପକ୍ଷ। ତେଣୁ ଏହା ସ୍ପଷ୍ଟ ଯେ ଏହି ଚୋରି ପଛରେ ଏକ ବଡ଼ଧରଣର ଗୁପ୍ତସନ୍ଧି ରହିଛି। କ୍ରେତାମାନଙ୍କ ବିନା ପ୍ରୋତ୍ସାହନରେ ଚୋର ହସ୍ପିଟାଲ ପାଇଁ ଉଦ୍ଦିଷ୍ଟ ଏଭଳି ଦାମୀ ମେସିନ୍ ଚୋରି କରିବାକୁ ଆଦୌ ଚିନ୍ତା କରିନଥା’ନ୍ତା। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଘରୋଇ ଡାକ୍ତରଖାନାର ୨ ଡାକ୍ତର ଫେରାର୍ ଅଛନ୍ତି। ତେଣୁ ଏହି ରୢାକେଟ୍‌ରେ ଆହୁରି କିଛି ବଡ଼ବଡ଼ିଆ ଧଳା ହାତୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏହି ରୢାକେଟ୍‌ର ମାଷ୍ଟରମାଇଣ୍ଡ ମଧ୍ୟ ଜଣେ ବଡ଼ ଧଳା ହାତୀ ବୋଲି କୁହାଯାଉଛି। ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଥିଲେ ବି ଗଣମାଧ୍ୟମକୁ ମାପିଚୁପି ହିସାବ ଓ ତଥ୍ୟ ପ୍ରଦାନ କରୁଛି। କାରଣ ବହୁ ଧଳା ହାତୀଙ୍କ ସମ୍ପୃକ୍ତି ଥିବା ଜଳଜଳ ହୋଇ ଦେଖାଗଲାଣି।

କ୍ୟାପିଟାଲ ଥାନା ପୁଲିସ ଏହି ସଂଗିନ୍ ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶ୍ରମିକ ଠିକାଦାର ମନୋଜ ପାଇକ, ସୁରକ୍ଷାକର୍ମୀ ଶାନ୍ତନୁ କୁମାର ସାମଲ, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନିର୍ମାଣାଧୀନ ୟୁରେକା କାନ୍‌ଭାସ୍ ହସ୍ପିଟାଲ୍‌ର ରାୟ ରଞ୍ଜନ ବିଶ୍ବାଳ ଓ ପ୍ରମୋଦ କୁମାର ସ୍ବାଇଁ, ଦଲାଲ୍ ଲିଙ୍ଗରାଜ ସାହୁ ଓ ରୁଦ୍ର ହସ୍ପିଟାଲ୍‌ ମାଲିକ ଡାକ୍ତର ଅରୁଣ କୁମାର ଆଚାର୍ଯ୍ୟ। ପୁଲିସ ସୂଚନାନୁସାରେ ଏହି ମାମଲାରେ ସମ୍ପୃକ୍ତ ଥିବା କଟକସ୍ଥିତ ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତର ଓ ସୃଷ୍ଟି ହସ୍ପିଟାଲର ଡାକ୍ତର ଶ୍ରୀକାନ୍ତ ପାତ୍ର ଏବେ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହା ଭିତରେ ପୁଲିସ ୨ ଅଭିଯୁକ୍ତ ଶ୍ରମିକ ଠିକାଦାର ମନୋଜ ଓ ଦଲାଲ ଲିଙ୍ଗରାଜକୁ ରିମାଣ୍ଡରେ ଆଣିଛି। ସେମାନଙ୍କୁ ମାରାଥନ୍‌ ଜେରା କରା‌ଯାଇଛି। ସେମାନଙ୍କଠାରୁ ବହୁ ଚାଞ୍ଚଲଞକର ତଥ୍ୟ ମଧ୍ୟ ପୁଲିସର ହସ୍ତଗତ ହୋଇଛି। କିନ୍ତୁ ମାମଲାର ଗୁରୁତ୍ବ ଦୃଷ୍ଟିରୁ ପୁଲିସ ସବୁ କଥା ଖୋଲୁନାହିଁ।

ସୂଚନାଯୋଗ୍ୟ, ମହାମାରୀ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ଭେଣ୍ଟିଲେଟର ଓ ଆଇସିୟୁ ମନିଟର୍ ଭଳି ବିଭିନ୍ନ ପ୍ରକାର ଦାମୀ ମେଡିକାଲ ଉପକରଣ କିଣିଥିଲେ। ରାଜ୍ୟ ଔଷଧ ନିଗମ ଜରିଆରେ ଏହି ସବୁ ଉପକରଣ କିଣାଯାଇ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆ ନିକଟ ଆଦିବାସୀ ହସ୍ପିଟାଲରେ ରଖାଯାଇଥିଲା। କିନ୍ତୁ ଗତ ୧୯ ତାରିଖରେ ଏହି ଗୋଦାମର ଡାଇନିଂ ହଲ୍ ଝରକା ତଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ପରେ ଭିତରୁ ଭେଣ୍ଟିଲେଟର ଚୋରି ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ ସେହି ଦିନ ନିଗମର ଜିଏମ୍ ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ସରକାରୀ ଗୋଦାମରୁ ଭେଣ୍ଟିଲେଟର ଭଳି ଉପକରଣ ଚୋରି ହୋଇଥିବା ଭଳି ମାମଲାକୁ ପୁଲିସ ମଧ୍ୟ ଗୁରୁତ୍ବର ସହ ନେଇଥିଲା ଓ ତ୍ବରିତ୍ ତଦନ୍ତ ଆରମ୍ଭ କରିଥିଲା। ସ୍ବାଭାବିକ ଭାବେ ପୁଲିସ ପ୍ରଥମେ ସୁରକ୍ଷାକର୍ମୀ ଶାନ୍ତନୁକୁ ଉଠାଇ ନେଇ ପଚରାଉଚରା କରିଥିଲା ଓ ପରେ ତା’ଠାରୁ ସୂଚନା ପାଇ ଶ୍ରମିକ ଠିକାଦାର ମନୋଜକୁ ଉଠାଇଥିଲା। ପରେ ସେମାନେ ଦଲାଲ ଲିଙ୍ଗରାଜ ସାହୁର ସମ୍ପୃକ୍ତି ବାବଦରେ ପୁଲିସକୁ କହିଥିଲେ। ଲିଙ୍ଗରାଜ ପୁଲିସ ପଞ୍ଝାକୁ ଆସିବା ପରେ ଚୋରି ସାମଗ୍ରୀ କିଣିଥିବା ଧଳା ହାତୀମାନଙ୍କ ନାଁ ପୁଲିସ ଡାଏରିକୁ ଆସିଯାଇଥିଲା। ରୁଦ୍ର ହସ୍ପିଟାଲ ମୁଖ୍ୟ ଅରୁଣ କୁମାର ଆଚାର୍ଯ୍ୟ ଚୋରି ଉପକରଣକୁ ଦେଢ଼ ଲକ୍ଷ ଟଙ୍କାରେ କିଣିଥିବା ବେଳେ ୟୁରେକା କାନ୍‌ଭାସ୍‌ର ରାୟ ରଞ୍ଜନ ବିଶ୍ବାଳ ଓ ପ୍ରମୋଦ କୁମାର ସ୍ବାଇଁ ୧ ଲକ୍ଷ ଟଙ୍କାରେ ଓ ସୃଷ୍ଟି ହସ୍ପିଟାଲର ଡାକ୍ତର ଶ୍ରୀକାନ୍ତ କୁମାର ପାତ୍ର ୮୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଥିଲା।

ପୁଲିସ ଚୋରି ମେସିନ୍‌ଗୁଡ଼ିକରୁ କିଛି ଜବତ କରିବା ସହ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ପୁଲିସ ଚୋରମାନଙ୍କ ପଛରେ ପଡ଼ିଥିବା ବେଳେ ଔଷଧ ନିଗମ ଗୋଦାମରୁ କେତେ ଉପକରଣ ଚୋରି ହୋଇଛି, ତାହାର ହିସାବ ଖୋଜୁଛି। କେତେ ଭେଣ୍ଟିଲେଟର, କେତେ ଆ‌ଇସିୟୁ ମନିଟର୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶରୁ କେତେ ଚୋରି ହୋଇଛି, ତା’ର ଆକଳନ କରାଯାଇଛି। ଗଣମାଧ୍ୟମକୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ଜବତ ଭେଣ୍ଟିଲେଟର ସଂଖ୍ୟାଠାରୁ ଆହୁରି ଅଧିକ କିଛି ଉପକରଣ ଚୋରି ହୋଇଛି ବୋଲି ସୂଚନା ମିଳିଛି। ଏମିତିକି ଚୋରି ଉପକରଣସବୁକୁ କିଣିଥିବା ଘରୋଇ ହସ୍ପିଟାଲର ଡାକ୍ତରମାନଙ୍କ ବାବଦରେ ବି ପୁଲିସ ‌ଜାଣିବାକୁ ପାଇଛି। ଆଗୁଆ ସୂଚନା ପାଇ କଟକସ୍ଥିତ ଘରୋଇ ହସ୍ପିଟାଲର ଡାକ୍ତର ‌ଓ ସୃଷ୍ଟି ହସ୍ପିଟାଲର ଡାକ୍ତର ଶ୍ରୀକାନ୍ତ ପାତ୍ର ଫେରାର୍ ହୋଇଯାଇଛନ୍ତି। ସେହିଭଳି ଏହି ରୢାକେଟ୍‌ରେ ସମ୍ପୃକ୍ତ ଥିବା ଅନ୍ୟମାନେ ବି ଫେରାର୍ ହୋଇଯାଇଛନ୍ତି।

ଏବେ ପୁଲିସ ଏହି ରୢାକେଟ୍‌ ଗଠନ ପଛରେ ପଡ଼ିଛି। ଶ୍ରମିକ ଠିକାଦାର ମନୋଜ ଓ ସୁରକ୍ଷାକର୍ମୀ ଶାନ୍ତନୁ ସହ ଦଲାଲ୍ ଲିଙ୍ଗରାଜ କିଭଳି ଚିହ୍ନା ପରିଚୟ ହେଲା? ଦଲାଲ୍‌ ଲିଙ୍ଗରାଜକୁ କିଏ ସେ ମାଷ୍ଟରମାଇଣ୍ଡ ଏହି ରୢାକେଟ୍‌ରେ ପ୍ଲାଣ୍ଟ କରିଥିଲା? ଦଲାଲ ଲିଙ୍ଗରାଜର ପ୍ରକୃତ ବ୍ୟବସାୟ କ’ଣ? ବଡ଼ କଥା ହେଉଛି ଚୋରି ଉପକରଣ ହୋଇଥିଲେ ବି ଡାକ୍ତରମା‌ନେ କିଭଳି ଏସବୁ ସରକାରୀ ଜିନିଷକୁ କିଣିଲେ! ଗୋଦାମରୁ ପ୍ରକୃତରେ କେତେ ଉପକରଣ ଚୋରି ହୋଇଛି ଓ କେତେ ଜବତ ହୋଇଛି? ଏସବୁ ପ୍ରଶ୍ନ ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର