ରାଜ୍ୟରେ ମାତ୍ର ୮୦ଟି ଭେଣ୍ଟିଲେଟରରେ ଚାଲିଛି କରୋନା ମୁକାବିଲା!

ରାଜ୍ୟରେ ଏ ପର୍ଯ୍ୟନ୍ତ ୬୯୬ ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ, ଚଳିତ ସପ୍ତାହ ସୁଦ୍ଧା ସାମିଲ ହେବ ୨୯ଟି ଭେଣ୍ଟିଲେଟର

ଭୁବନେଶ୍ବର : ଦେଶ ତଥା ରାଜ୍ୟରେ କରୋନା(‌କୋଭିଡ-୧୯) ଏବେ ଦ୍ବିତୀୟ ପର୍ଯ୍ୟାୟରେ ରହିଥିବା ସରକାର ଦାବି କରୁଛନ୍ତି। ତୃତୀୟ ପର୍ଯ୍ୟାୟରେ ‌ଗୋଷ୍ଠୀ ସଂକ୍ରମଣକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି କୌଣସି ପରିସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ହୁଏ ତେବେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତ ବ୍ୟକ୍ତିଙ୍କୁ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଥାଏ। ସେମାନଙ୍କୁ ଭେଣ୍ଟିଲେଟର ବ୍ୟବସ୍ଥା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥାଏ। ମାତ୍ର ରାଜ୍ୟରେ ଭେଣ୍ଟିଲେଟର ସଂଖ୍ୟାକୁ ନେଇ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି। ରାଜ୍ୟରେ ସରକାରୀ ଓ ‌ବେସରକାରୀ ଡାକ୍ତରଖାନାକୁ ମିଶାଇଲେ ସଂଖ୍ୟା ୧୦୦ ବି ଛୁଇଁ ପାରିନାହିଁ। ଏଭଳି ପରିସ୍ଥିତିରେ କିଭଳି କରୋନାର ମୁକାବିଲା ହେବ ତାହାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଚିନ୍ତା ଘାରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ମୁକାବିଲା ପାଇଁ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୩୩ଟି ଓ ବେସରକାରୀ ଡାକ୍ତରଖାନାରେ ୩୭ଟି ଭେଣ୍ଟିଲେଟର ସଂରକ୍ଷିତ ରଖାଯାଇଛି। ଏହାସହ ଏମ୍‌ସ ଭୁବନେଶ୍ବରରେ ୧୦ଟି ଭେଣ୍ଟିଲେଟର ରହିଛି। ସମୁଦାୟ ଭାବେ ରାଜ୍ୟରେ ଏବେ ୮୦ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିଛି। ଯାହାକି ରାଜ୍ୟର ଜନସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ କମ୍। ଦୁଇ ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‌ପ୍ରତ୍ୟେକ ଦିନ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କ ଆଗରେ ଏକ ଚମକାଇ ଦେବା ଭଳି ତଥ୍ୟ ରଖିଥିଲେ। ଏକ ଗ୍ରାଫିକ୍ସ ଜରିଆରେ ଶ୍ରୀ ବାଗଚୀ ଦର୍ଶାଇଥିଲେ ଯେ ଯଦି ଲକ୍‌ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାରେ ବିଫଳ ଓ ଲୋକମାନେ ସଚେତନ ନ ହୁଅନ୍ତି ତାହାଲେ ମେ’ ମାସ ଶେଷ ସୁଦ୍ଧା ରାଜ୍ୟର ଲୋକସଂଖ୍ୟାକୁ ଦେଖିଲେ ଓଡ଼ିଶାରେ ୩୬ହଜାର ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଏତେ ସଂଖ୍ୟକ ସଂକ୍ରମିତ ଲୋକଙ୍କ ପାଇଁ ରାଜ୍ୟରେ ୮୦ଟି ଭେଣ୍ଟିଲେଟର କିଭଳି ସହାୟତା ଦେଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହି ଅନୁପାତରେ ଆଇସୋଲେସନ୍‌ ଶଯ୍ୟାର ମଧ୍ୟ ଆବଶ୍ୟକତା ରହିଛି। ରାଜ୍ୟରେ ଗତକ‌ାଲି ସୁଦ୍ଧା ୪୬୫ଟି ଆଇସୋଲେସନ୍ ଶଯ୍ୟା ଥିବା ବେଳେ ବେସରକାରୀ ସ୍ତରରେ ୨୧୧ଟି ଆଇସୋଲେସନ୍‌ ଶଯ୍ୟା ସଂରକ୍ଷିତ ରଖାଯାଇଛି। ଏହାସହ ଏମ୍‌ସ ଭୁବନେଶ୍ବରେ ୨୦ଟି ଆଇସୋଲେସନ୍‌ ଶଯ୍ୟା ରହିଛି। ଆଗାମୀ ଦିନରେ ଆହୁରି ବଢ଼ାଇବାକୁ ଯୋଜନା କରାଯାଉଛି। ଅପରପକ୍ଷରେ ଆଜି କରୋନା ପାଇଁ ରାଜଧାନୀରେ ସ୍ବତନ୍ତ୍ର ଭାବେ ଦୁଇଟି କୋଭିଡ-୧୯ ହସ୍ପିଟାଲ ସହିତ ଚୁକ୍ତି କରାଯିବା ପରେ ରାଜଧାନୀରେ ଆହୁରି ୧୦୦୦ ଆଇସୋଲେସନ୍‌ ଶଯ୍ୟାରେ ବୃଦ୍ଧି ଘଟିଛି। ଏହାସହ ସମ୍‌ ହସ୍ପିଟାଲରେ ଆହୁରି ୨୦ଟି ଆଇସିୟୁ ଭେଣ୍ଟିଲେଟର ଉପଲବ୍ଧ ହେବ। ତେବେ ଏହି ସୁବିଧା ଆସନ୍ତା କିଛିଦିନ ପରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ରାଜ୍ୟ ସରକାର ଆସନ୍ତା କିଛିଦିନ ଭିତରେ ୧୫୦ ଟି ଭେଣ୍ଟିଲେଟର ଆଣିବା ପାଇଁ ଯୋଜନା କରୁଛନ୍ତି। ରାଜ୍ୟ ଔଷଧ ନିଗମ ଜରିଆରେ ଏହାକୁ କିଣାଯିବ। ମାତ୍ର ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଥିବାରୁ କମ୍ ସମୟ ଭିତରେ ଏତେ ସଂଖ୍ୟକ ଭେଣ୍ଟିଲେଟର ଯୋଗାଇବା ସମ୍ଭବପର ନୁହେଁ କମ୍ପାନିମାନେ ସ୍ପଷ୍ଟ ମନା କରୁଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏପରିକି ଚଳିତମାସ ଶେଷ ସୁଦ୍ଧା ରାଜ୍ୟକୁ ୨୯ଟି ଭେଣ୍ଟିଲେଟର ଯୋଗାଣ ହେବ ବୋଲି କୁହାଯାଉଛି। ଫଳରେ ସମ୍ ହସ୍ପିଟାଲ ଓ ନୂତନ ଭେଣ୍ଟିଲେଟରକୁ ମିଶାଇଲେ ରାଜ୍ୟରେ ଭେଣ୍ଟିଲେଟର ସଂଖ୍ୟା ୧୨୯ରେ ପହଞ୍ଚିବ।

ରାଜ୍ୟରେ ଏବେ ମାତ୍ର ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଗୋଷ୍ଠୀସ୍ତରରେ ସଂକ୍ରମଣ ହୋଇନାହିଁ। ତେଣୁ ଭେଣ୍ଟିଲେଟରର ସଂଖ୍ୟାକୁ ନେଇ ଏତେ ଚିନ୍ତା କରିବାର କୌଣସି କାରଣ ନାହିଁ। ରାଜ୍ୟରେ କରୋନାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର