କୁଆଡ଼େ ଗଲା ଭିମ୍‌ସାର୍‌ରୁ ଫେରି ଯାଇଥିବା ୪୦ ଭେଣ୍ଟିଲେଟର୍‌, କରୋନା ମୁକାବିଲା ପାଇଁ ଅଛି ମାତ୍ର ୯

ଭିମସାର୍‌ରେ ହେଉ ୫୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍‌ପିଟାଲ୍

ସମ୍ବଲପୁର : ବର୍ତ୍ତମାନ ସାରା ଦେଶରେ ଭେଣ୍ଟିଲେଟର୍ ପାଇଁ ହାହାକାର। କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ସରକାର ଭେଣ୍ଟିଲେଟର୍ କିଣିବାକୁ ବ୍ୟସ୍ତ ହେଉଥିଲେ ବି ତାହା ଉପଲବ୍‌ଧ ହେଉ ନାହିଁ। ଓଡ଼ିଶା ସରକାର ବି ଆସନ୍ନ କରୋନା ସଂକଟକୁ ଦୃଷ୍ଟିରେ ରଖି ବିଭିନ୍ନ ଡାକ୍ତରଖାନା ପାଇଁ ଶତାଧିକ ଭେଣ୍ଟିଲେଟର୍ କିଣିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ତାହା କେବେ ମିଳିବ ଅନିଶ୍ଚିତ। ଏଭଳି ସମୟରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ପଶ୍ଚିମ ଓଡ଼ିଶାର ସର୍ବବୃହତ ଡାକ୍ତରଖାନା ଭିମସାର୍‌କୁ ଗତ ବର୍ଷ ଫେବ୍ରୁଆରି ମାସରେ ଆସିଥିବା ୪୦ଟି ଭେଣ୍ଟିଲେଟର୍ ଫେରାଇ ଦିଆଯିବା ଘଟଣା‌ ଏବେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତ ଫେବ୍ରୁଆରି ୧୩ ତାରିଖରେ ଆସିଥିବା ୪୦ଟି ନୂଆ ମିଡ୍ ଏଣ୍ଡ ଓ ହାଇ ଏଣ୍ଡ ଭେଣ୍ଟିଲେଟର୍‌କୁ ଭିମସାର୍‌ କର୍ତ୍ତୃପକ୍ଷ ଅତ୍ୟନ୍ତ ଦାୟିତ୍ବହୀନଭାବେ ସଂପୃକ୍ତ କମ୍ପାନିକୁ ଫେରାଇ ଦେଇଥିଲେ। ଏହାକୁ ଏତେ ଗୋପନ ଭାବେ କରା ଯାଇଥିଲା ଯେ ବାହାରକୁ ଖବର ପ୍ରଘଟ ହୋଇପାରି ନଥିଲା। ଘଟଣାର ୪ ମାସ ପରେ ଜୁନ୍‌ ୨୨ ତାରିଖରେ ଏ ଖବର ‘ସମ୍ବାଦ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଭିମସାର୍‌ କର୍ତ୍ତୃପକ୍ଷ ଭେଣ୍ଟିଲେଟର୍ ଫେରାଇ ଦେବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଥିଲେ। ତରବରିଆ ଭାବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଏହି ଘଟଣାର ଦୋଷୀମାନଙ୍କୁ ଖସାଇ ଦେବା ପାଇଁ ସବୁ ପ୍ରୟାସ ହୋଇଥିଲା। ଭିମସାର୍‌ରେ ଭେଣ୍ଟିଲେଟର୍‌ ରଖିବା ପାଇଁ ଜାଗାର ଅଭାବ ଥିବାରୁ ତାହାକୁ କେବଳ କମ୍ପାନିକୁ ନିଜ ପାଖରେ ସାଇତି ରଖିବା ପାଇଁ କୁହାଯାଇଛି ବୋଲି ସେତେବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆ ଯାଇଥିଲା। ଭେଣ୍ଟିଲେଟର୍‌ ଫେରାଇ ଥିବା ଭିମସାର୍‌ କର୍ତ୍ତୃପକ୍ଷଙ୍କୁ କ୍ଲିନ୍‌ ଚିଟ୍ ଦିଆ ଯାଇଥିଲା। ଖୋଦ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ ଯେ ଉକ୍ତ ୪୦ ଭେଣ୍ଟିଲେଟର୍‌ ଭିମସାର୍‌ ପାଇଁ ସଂରକ୍ଷିତ ହୋଇ ରହିଛି ଏବଂ ଯେବେ କହିଲେ ସେବେ ଆସି ପହଞ୍ଚିବ।

ବର୍ତ୍ତମାନ କରୋନା ପରିପ୍ରେକ୍ଷୀରେ ଭେଣ୍ଟିଲେଟର୍‌ ସବୁଠୁ ବଡ଼ ଆବଶ୍ୟକତା ପାଲଟିଛି। ଭିମସାର୍‌ରେ କରୋନା ମୁକାବିଲା ପାଇଁ ମାତ୍ର ୯ଟି ଭେଣ୍ଟିଲେଟର୍ ମହଜୁଦ ଅଛି। ଯଦି କରୋନା ବିସ୍ଫୋରକ ରୂପ ନେଲା ତାହେଲେ ଏହି ୯ଟି ଭେଣ୍ଟିଲେଟର୍ କାହାକୁ ପାଇବ? ସେହି ୪୦ ଭେଣ୍ଟିଲେଟର୍ ଏବେ କାହିଁକି ମଗାଯାଉ ନାହିଁ? ସ୍ବାସ୍ଥ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ କାହିଁକି ନେଉ ନାହାନ୍ତି? ଯଦି ଉକ୍ତ ୪୦ ଭେଣ୍ଟିଲେଟର୍‌ ସଂରକ୍ଷିତ କରି ରଖା ଯାଇଥିଲା ତାହେଲେ ତାକୁ ଆଣିବାରେ ସମସ୍ୟା କେଉଁଠି? ଭୁବନେଶ୍ବରରେ ରାଜ୍ୟ ସରକାର ହଜାରେ ଶଯ୍ୟା ଓ ୨୦୦ ଭେଣ୍ଟିଲେଟର୍ ଯୁକ୍ତ ସ୍ବତନ୍ତ୍ର କରୋନା ଡାକ୍ତରଖାନା ପ୍ରସ୍ତୁତ କରିଥିଲାବେଳେ ଭିମସାର୍‌କୁ ଏହାର ନିଜସ୍ବ ୪୦ ଭେଣ୍ଟିଲେଟର୍ ପଠାଇବାରେ ଅସୁବିଧା କେଉଁଠି? ଏଭଳି ଅନେକ ପ୍ରଶ୍ନ ଏଠାକାର ବୁଦ୍ଧିଜୀବୀ ପଚାରୁଛନ୍ତି।

ଭିମସାର୍‌ରେ ହେଉ ୫୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍‌ପିଟାଲ୍
ଭିମସାର୍‌ର ଗୋଟିଏ ଅଂଶକୁ ୫୦୦ ଶଯ୍ୟା ବିଶିଷ୍ଟ କରୋନା ଡାକ୍ତରଖାନ‌ାରେ ପରିବର୍ତ୍ତିତ କରାଯାଉ ଓ ଅତି କମ୍‌ରେ ୫୦ ଆଇସିୟୁର ବ୍ୟବସ୍ଥା କରାଯାଉ ବୋଲି ଭିମ୍‌ସାର୍‌ ପରିଚାଳନା ବୋର୍ଡର ସଦସ୍ୟ ପ୍ର. ଶଂକର ପ୍ରସାଦ ପତି କହିଛନ୍ତି। ରାଜ୍ୟ ସରକାର ଭୁବନେଶ୍ବରରେ ହଜାରେ ଶଯ୍ୟା ବିଶିଷ୍ଟ କରୋନା ହସ୍‌ପିଟାଲ୍ ସ୍ଥାପନ କରିବାକୁ ସ୍ବାଗତ କରିବା ସହ ପ୍ର. ପତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ଆଗକୁ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଂକା ରହିଛି। ତେଣୁ ରାଜ୍ୟର ସବୁ ଅଞ୍ଚଳରେ ଏଭଳି ଡାକ୍ତରଖାନା ପ୍ରସ୍ତୁତ କରାଯିବା ଦରକାର। କାରଣ କରୋନା ରୋଗୀଙ୍କୁ ପଶ୍ଚିମ ଓଡ଼ିଶାରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିବା ଅଧିକ ବିପଜ୍ଜନକ। ଏହା ଆହୁରି ଅନେକଙ୍କୁ ସଂକ୍ରମିତ କରିବ। ତେଣୁ ବୁର୍ଲାରେ ତତ୍କାଳ ବ୍ୟବସ୍ଥାରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦୦ ରୋଗୀଙ୍କ ପରୀକ୍ଷା ହୋଇ ପାରୁଥିବା ସ୍ବାବ୍ ପରୀକ୍ଷଣ କେନ୍ଦ୍ର ପ୍ରସ୍ତୁତ କରିବା ସହ ଅତି କମ୍‌ରେ ୫୦ ହଜାର ‌ଟେଷ୍ଟିଂ କିଟ୍ ପ୍ରସ୍ତୁତ ରଖିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ଏଥି ପାଇଁ ପ୍ରସ୍ତୁତି କରାଯିବାକୁ ପ୍ର. ପତି ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇମେଲ୍ ଜରିଆରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର