କଟକ: ନିମ୍ନ ଅଦାଲତରେ ୧୯୯୩ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡକୁ ଜେଲ୍‌ରେ ସେ କଟାଇ ସାରିଥିବା ଅବଧିରେ ସୀମିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ୧୯୮୮ର ଏକ ଡକାୟତି ଓ ବୋମାମାଡ଼ ଘଟଣାରେ ନିମ୍ନ ଅଦାଲତ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଏଥିସହିତ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ଦାୟର କରାଯାଇଥିବା ତଥା ୧୯୯୩ରୁ ବିଚାରାଧୀନ ଥିବା ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ୭ ବର୍ଷରୁ ଅଧିକ ସମୟ ଜେଲ୍‌ ଦଣ୍ଡ ଭୋଗ କରିବା ଓ ଏ ସଂପର୍କିତ ଅପିଲ ୩୦ ବର୍ଷ ଧରି ବିଚାରାଧୀନ ଥିବା ସମୟରେ ସେ ଜାମିନରେ ବାହାରେ ରହିବା ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଟିକିନା ଓରଫ ଟଙ୍କଧର ସାହୁଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

Advertisment

୧୯୮୮ ଜୁନ ୧୬ ରାତିରେ କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆଶାଳପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ‌ଘରେ ମାରଣାସ୍ତ୍ର ଧରି ୧୦ରୁ ୧୨ ଜଣ ବ୍ୟକ୍ତି ଡକାୟତି କରିଥିଲେ। ଗୃହର ମୁଖ୍ୟଙ୍କୁ ଡାକୟତମାନେ ହତ୍ୟା କରିବା ସହିତ ବୋମା ଫୁଟାଇ ଘଟଣାସ୍ଥଳରୁ ପଳାଇଥିଲେ। ଏ ନେଇ କାମାକ୍ଷାନଗର ଥାନାରେ ଏତଲା ରୁଜୁ ହୋଇଥିଲା। ୧୯୮୯ ଜାନୁଆରି ୨୬ରେ କେତେକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହିତ ଜିନିଷପତ୍ର ଜବତ କରିଥିଲା। ଆଇପିସର ଦଫା ୩୯୬ରେ ଚାର୍ଜସିଟ ଦାଖଲ ହୋଇଥିଲା। ମାମଲାର ଶୁଣାଣି କରି ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ ୧୯୯୩ ଅଗଷ୍ଟ ୧୮ରେ ରାୟ ପ୍ରକାଶ କରି ଆବେଦନକାରୀଙ୍କ ସମେତ ତିନି ଜଣଙ୍କୁ ଆଇପିସିର ଦଫା ୩୯୫ ଓ ଇଣ୍ଡିଆନ୍‌ ଏକ୍ସପ୍ଲୋସିଭ୍‌ ଆଇନର ଧାରା ୯(ବି)ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଦଫା ୩୯୫ରେ ୫ ବର୍ଷ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା, ଧାରା ୯(ବି)ରେ ୬ ମାସ ଜେଲ୍‌ ପ୍ରତି ଆସାମୀଙ୍କୁ ପ୍ରଦାନ କରିଥିଲେ। ଡକାୟତି ସମୟରେ ହତ୍ୟା ଅଭିଯୋଗ ପ୍ରମାଣ ନଥିବା ଅଦାଲତ‌ଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। ଏହି ରାୟ ବିରୋଧରେ ଆବେଦନକାରୀଙ୍କ ସମେତ ତିନି ଆସାମୀ ହାଇକୋର୍ଟରେ ୧୯୯୩ରେ ଅପିଲ ଦାୟର କରିଥିଲେ। ଅପିଲ ବିଚାରାଧୀନ ଥିବା ବେଳେ ଶିଶିଭୂଷଣ ଓ ଦିଲ୍ଲୀପ ଦାସଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ମାମଲାର ଶୁଣାଣି‌ରେ ୨୦୨୨ ଅକ୍ଟୋବର୍‌ ୩୧ରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହାପରେ ଟିକିନାଙ୍କ ମାମଲାର ଶୁଣାଣି ‌ହାଇକୋର୍ଟରେ ଚାଲିଥିଲା।