ସମ୍ବଲପୁର: କୋଶଳ ରାଜ୍ୟ ସପକ୍ଷବାଦୀ ନୂଆଁଖାଇରେ ୩ ଦିନ ଛୁଟି ଘୋଷଣା ସହିତ ଅନ୍ୟାନ୍ୟ ୭ ଦଫା ଦାବିରେ ଆଜି ଆର୍‌ଡିସି କାର୍ଯ୍ୟାଳୟରେ ‌ଧସେଇ ପଶିବା ସହ ପୁଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଦୀର୍ଘ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ଆର୍‌ଡିସି କାର୍ଯ୍ୟାଳୟ ପରିସରରେ ହଙ୍ଗାମା କରିଥିଲେ। କୋଶଳସେନା ଆହ୍ବାନରେ ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସ୍ବତନ୍ତ୍ର ରାଜ୍ୟ ସପକ୍ଷବାଦୀ ସଂଗଠନ ପଶ୍ଚିମ ଓଡ଼ିଶା ଯୁବମୋର୍ଚ୍ଚା, କୋଶଳ ମକ୍ତିମୋର୍ଚ୍ଚା, କୋଶଳ କ୍ରାନ୍ତି ସେନା, କୋଶଳ ସମାଜ, ମାହେଶ୍ବରୀ ସେନାର ସଦସ୍ୟମାନେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଏକାଠି ହୋଇଥିଲେ। ‌ସେଠାରୁ ଏକ ବିଶାଳ ରାଲି‌ରେ ଆସି ପୁଲିସକୁ ଠେଲାପେଲାକରି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଓ ଆର୍‌ଡିସିଙ୍କୁ ଡାକିବାକୁ ଦାବି କରିଥିଲେ।

Advertisment

ଆର୍‌ଡିସିଙ୍କ ସଚିବ ସୁକାନ୍ତ ତ୍ରିପାଠୀ ଦାବିପତ୍ର ନେବାକୁ ବାହାରିଥିଲେହେଁ ଆନ୍ଦୋଳନକାରୀମାନେ ତାଙ୍କୁ ଦାବିପତ୍ର‌ ଦେବାକୁ ମନା କରିଦେଇଥିଲେ। ‘ଓଡ଼ିଶା ପୁଲିସ ଗୋ ବ୍ୟାକ୍ ସହିତ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଓ ଆର୍‌ଡିସିଙ୍କ ବିରୋଧରେ ବିଭିନ୍ନ ନକରାତ୍ମକ ସ୍ଲୋଗାନ ଦେଇଥିଲେ। ଏଭଳି ସ୍ଥିତିରେ ଅପରାହ୍‌ଣ ସାଢ଼େ ୪ଟାରେ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ ନିଜ ପ୍ରକୋଷ୍ଠରୁ ବାହାରି ଦାବିପତ୍ର ଗ୍ରହଣ କରିବା ପରେ ଅପରାହ୍‌ଣ ୧ଟାରୁ ସେଠାରେ ଚାଲିଥିବା ଆଜିର ଆନ୍ଦୋଳନ ଶେଷ ହୋଇଥିଲା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ୭ ଦଫା ସମ୍ବଳିତ ଏହି ଦାବିପତ୍ରରେ ନୂଆଁଖାଇ ୩ ଦିନ ଛୁଟି ଘୋଷଣା, ଶିଳ୍ପାନୁଷ୍ଠାନରେ ୫୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଓ ବ୍ଲକ୍ ସ୍ତରରେ ଶୀତଳଭଣ୍ଡାର ସ୍ଥାପନ ଆଦି ଦାବି ରହିଛି। ବୀରେନ୍ଦ୍ର ପାଣିଗ୍ରାହୀ, ସୁଶୀଲ କୁମାର ଗୁରୁ, ଜ୍ଞାନେନ୍ଦ୍ର ବେହେରା ଓ ବୀରବଲ ମହାକୁର ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥ‌ିଲେ।