ସମ୍ବଲପୁର: ଆଜି ଅପରାହ୍‌ଣ ୪ଟା୪୫ରେ ସମ୍ବଲପୁରରେ ଭର୍ଚୁଆଲ୍ ହାଇକୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଉଦ୍‌ଘାଟନ କରାଯାଇଛି। ସମ୍ବଲପୁର ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ଏକକାଳୀନ ଏହା ଉଦ୍‌ଘାଟିତ ହୋଇଛି। ସମ୍ବଲପୁର ସିଭିଲ୍‌ କୋର୍ଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାରପତିଙ୍କ ସହିତ ଆଇନଜୀବୀମାନେ ଉପସ୍ଥିତ ଥିଲେ। ଭର୍ଚୁଆଲ ହାଇକୋର୍ଟ ପାଇଁ ସମ୍ବଲପୁରରେ ଏକ ସ୍ବତନ୍ତ୍ର ଭିଡିଓ କନ୍‌ଫରେନ୍ସିଂ କ୍ୟାବିନ ସ୍ଥାପନ କରାଯିବା ସହିତ ଜଣେ ଏଏସ୍ଓ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଣିକି ସ୍ଥାନୀୟ ମହକିଲ ତଥା ଆଇନଜୀବୀମାନେ ସିଧାସଳଖ ଅନ୍‌ଲାଇନ୍‌ ମାଧ୍ୟମରେ ମୋକଦ୍ଦମା ଦାଖଲ କରିପାରିବେ। ଏହା ବ୍ୟତୀତ କେସ୍‌ର ଶୁଣାଣି ମଧ୍ୟ ହୋଇପାରିବ। ଫଇସଲାର ଅବିକଳ ନକଲ ମଧ୍ୟ ମିଳିପାରିବ।

Advertisment

ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ଡିସେମ୍ବର ୨୦୨୨ରେ ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଓଡ଼ିଶା ହାଇକୋର୍ଟ ରାଜ୍ୟର ୩୦ଟି ଜିଲ୍ଲା ଜଜ୍‌ଙ୍କ ଅଦାଲତ ପରିସରରେ ଏଭଳି ଭର୍ଚୁଆଲ୍‌ ହାଇକୋର୍ଟ ଖୋଲିବା ପାଇଁ ସ୍ଥିର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଂଗୀର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କୋରାପୁଟ ଜିଲ୍ଲାର ଜୟପୁର, ଗଂଜାମ ଜିଲ୍ଲାର ବ୍ରହ୍ମପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହିତ ପୁରୀ, ବାଲେଶ୍ବର ଏବଂ ଭଦ୍ରକଠାରେ ଏହି ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟକ୍ଷମ କରାଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବହୁ ବର୍ଷରୁ ଆନ୍ଦୋଳନ ଚାଲିଥିଲା। ଭର୍ଚୁଆଲ ହାଇକୋର୍ଟ ହେବା ଦ୍ବାରା ଲୋକେ ଏଣିକି କଟକ ଦୌଡ଼ିବାଠାରୁ କିଛି ମାତ୍ରାରେ ଉପକୃତ ହୋଇପାରିବେ।