ମଝି ଚିଲିକାରେ ଅଟକିଲା ଭସାପୋଲ : ୨ ବସ୍‌ ସହିତ ଅଟକିଲେ ୧୫୦ ଯାତ୍ରୀ, ୨ ଘଣ୍ଟା ପରେ ଉଦ୍ଧାର

ବ୍ରହ୍ମଗିରି : ଚିଲିକାରେ ଯାତ୍ରୀ ନେଇ ଯାଉଥିବା ଭସାପୋଲ ପୁଣି ଅଧାରେ ଅଟକିଛି। ଫଳରେ ମଝି ଚିଲିକାରେ ଯାତ୍ରୀଙ୍କୁ ହୀନସ୍ତା ହେବାକୁ ପଡ଼ିଛି। ଆଜି ସକାଳୁ ସାତପଡ଼ାରୁ ଚିଲିକା ଆରପାରିକୁ ଯାତ୍ରୀ ଓ ଯାନବାହନ ଦେଇ ଯାଉଥିବା ସରକାରୀ ଭସାପୋଲଟି ଅଧାରେ ଅଟକିଯାଇଥିଲା। ଫଳରେ ମଝି ଚିଲିକାରେ ଏହି ଭସାପୋଲରେ ଥିବା ଦୁଇଟି ଯାତ୍ରୀବାହି ବସ୍‌ ସହିତ ୧୫୦ରୁ ଅଧିକ ଯାତ୍ରୀ ଫସି ରହିଥିଲେ। ଦୀର୍ଘ ୨ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଖବର ନେବାରେ ଜଣାପଡିଛି ଯେ ଆଜି ସକାଳୁ ସାତପଡ଼ା ଘାଟରୁ ଦୁଇଟି ଯାତ୍ରୀବାହି ବସ୍‌ ସହିତ, ୫୦ ବାଇକ୍‌ ଓ ଯାତ୍ରୀଙ୍କୁ ନେଇ ଭସାପୋଲ ଜହ୍ନିକୁଦା ଘାଟକୁ ଯାତ୍ରା ଆରମ୍ଭ କରିଥିଲା ଭସାପୋଲ। ସାତପଡ଼ା ଘାଟଠାରୁ ଭସାପୋଲଟି ମାତ୍ର ଦୁଇ ଶହ ମିଟର ଯିବା ପରେ ଚାଳକ ହଠାତ୍‌ ନିୟନ୍ତ୍ରଣ ହରାଇ ଥିଲେ। ନିୟନ୍ତ୍ରଣ ହରାଇବା ପରେ ଭସାପୋଲଟି ଚ୍ୟାନେଲ ବାହାରକୁ ଯାଇ ବାଲିକୁଦରେ ଅଟକି ଯାଇଥିଲା। ମଝି ଚିଲିକାରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅନ୍ୟ ଦୁଇଟି ଛୋଟ ଭସାପୋଲ ପହଞ୍ଚିଥିଲା। ଏହା ସହିତ ପ୍ରଥମେ ଭସାପୋଲ ମଧ୍ୟରୁ ଯାତ୍ରୀମାନଙ୍କୁ ଡଙ୍ଗା ଦ୍ୱାରା ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା। ଏହା ପରେ କୂଳରେ ଦୁଇଟି ବଡ଼ ଜେସିବି ରହିଥିବାବେଳେ ଚିଲିକାରେ ଛୋଟ ଭସାପୋଲ ରହି ଲୁହା ତାର ଦ୍ୱାରା ବାଲିକୁଦରୁ ଏହାକୁ ବାହାର କରାଯାଇଥିଲା। ଆଜି ଭସାପୋଲ ମଝି ଚିଲିକାରେ ଅଟକିବା ପରେ ଦୁଇଟି ଯାତ୍ରୀବାହି ବସ୍‌ ବ୍ରହ୍ମପୁରକୁ ଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର