ମଝି ଚିଲିକାରେ ପୁଣି ଫସିଲା ଭସାପୋଲ, ୬୦ ଯାତ୍ରୀ ହିନସ୍ତା‌

ବ୍ରହ୍ମଗିରି : ମଝି ଚିଲିକାରେ ଆଜି ପୁଣି ଥରେ ଭସାପୋଲ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଫସି ରହିଛି। ଦୀର୍ଘ ଦୁଇ ଘଣ୍ଟା ମଝି ଚିଲିକାରେ ଫସିବା ପରେ ଘାଟରେ ସୁରକ୍ଷିତ ଅବସ୍ଥାରେ ଲାଗିଥିଲା। ଗୁରୁବାର ଅପରାହ୍ଣରେ ସାତପଡା ଘାଟରୁ ଭସାପୋଲ ୭୦ ଜଣ ଯାତ୍ରୀ, ୫ଟି ଚାରିଚକିଆ, ୨୦ ବାଇକ ନେଇ ଜହ୍ନିକୁଦା ଘାଟକୁ ବାହାରି ଥିଲା। ସାତପଡା ଘାଟରୁ ଦୁଇଟା ପନ୍ଦର ମିନିଟରେ ଭସାପୋଲ ଯାତ୍ରା ଆରମ୍ଭ କରିବାର ମାତ୍ର ୧୦ ମିନିଟ ଭିତରେ ସାତପଡା ଘାଟଠାରୁ ଏକ କିଲୋମିଟର ମଧ୍ୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଭସାପୋଲର ମୁଖ୍ୟ ଷ୍ଟଅରିଙ୍ଗ ଚେନ୍‌ ଛିଣ୍ତି ଯାଇଥିଲା। ଫଳରେ ଭସାପୋଲଟି ଆଗକୁ ଯାଇ ପାରି ନ ଥିଲା। ଯାତ୍ରୀ ଓ ଗାଡି ସବୁ ଭସାପୋଲରେ ମଝି ଚିଲିକାରେ ଫସି ରହିଥିଲେ। ସାତପଡାରୁ ଟେକନିକାଲ ଟିମ ଯାଇ ଘଟଣାସ୍ଥଳରେ ପହ‌ଞ୍ଚି ମରାମତି କାମ ଆରମ୍ଭ ହୋଇଥିଲା। ଦୀର୍ଘ ୨ ଘଣ୍ଟା ଧରି ମରାମତି ହେବା ପରେ ଭସାପୋଲ ଯାତ୍ରୀ ଓ ଗାଡି ସହିତ ଯାଇ ଜହ୍ନିକୁଦା ଘାଟରେ ସୁରକ୍ଷିତ ଅବସ୍ଥାରେ ପହ‌ଞ୍ଚିଥିବା ଜଣାପଡ଼ିଛି।

ଏନେଇ ସ୍ଥାନୀୟ ସିଡିଏ ଅଧିକାରୀ କହିଛନ୍ତି ହଠାତ୍ ଯାନ୍ତ୍ରିକ ତ୍ରୁଟି ଭସାପୋଲରେ ଦେଖା ଦେବାରୁ ଅଟକି ରହିଥିଲା। ମରାମତି ପରେ ସୁରକ୍ଷିତ ଅବସ୍ଥାରେ ପୁଣି ଥରେ ଭସାପୋଲ ଯାଇ ଜହ୍ନିକୁଦା ଘାଟରେ ପହ‌ଞ୍ଚିଛି। ସୂଚନାଯୋଗ୍ୟ ନିକଟରେ ଭସାପୋଲ ଚ୍ୟାନେଲ ମଝିରେ ଧସି ଦୁର୍ଘଟଣାର ଶିକାର ହୋଇଥିଲା। ଫଳରେ ରାତି ତମାମ ଭସାପୋଲ ମଝି ଚିଲିକାରେ ଫସି ରହିଥିଲା। ମାସକୁ ଦୁଇରୁ ତିନି ଥର ଭସାପୋଲ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଫସି ରହିବା ଘଟଣା ଏବେ ଘଟି ଚାଲିଛି। କେତେବେଳେ ଯାନ୍ତ୍ରିକ ତ୍ରୁଟି ତ ଆଉ କେତେବେଳେ ତାର ଚ୍ୟାନେଲ ବାହାରକୁ ଯାଇ ଦୁର୍ଘଟଣାର ଶିକାର ହୋଇ ଫସି ରହୁଛି।

ସମ୍ବନ୍ଧିତ ଖବର