ମଝି ଚିଲିକାରେ ଫସିଲା ଭସାପୋଲ; ୪ ଟି ୪ଚକିଆ ଗାଡ଼ି ଓ ୨୦ଟି ବାଇକ୍‌ ସହ ଅଟକିଲେ ୫୦ ଯାତ୍ରୀ

ବ୍ରହ୍ମଗିରି : ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସି ରହିଛି। ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ଚିଲିକା ଭିତରକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛି। ଅନ୍ୟପଟେ ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାମରେ ବାଧା ଉପୁଜିଛି। ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫସି ରହିଛନ୍ତି।

ଶୁକ୍ରବାର ଅପରାହ୍ନ ସାଢେ ଚାରିଟାରେ କୃଷ୍ଣପ୍ରସାଦ ବ୍ଲକ୍ ଜହ୍ନିକୁଦା ଘାଟରୁ ୫୦ ଜଣ ଯାତ୍ରୀ, ୪ଟି ଚାରି ଚକିଆ ଗାଡ଼ି, ୨୦ଟି ବାଇକ୍‌ ସହିତ ଭସାପୋଲଟି ସାତପଡ଼ାଘାଟକୁ ଆସୁଥିଲା। ଘାଟଠାରୁ ୭ ଶହ ମିଟର ଆସିବା ପରେ ମଝି ଚିଲିକାରେ ଚ୍ୟାନେଲ ବାହାରକୁ ଯାଇ ଏହା ଅଟକି ରହିଛି। ଭସାପୋଲ ଡ୍ରାଇଭର ଭସାପୋଲକୁ ଚ୍ୟାନେଲକୁ ଆଣିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଏହା ଚ୍ୟାନେଲ ବାହାରକୁ ଚାଲିଯାଇଥିଲା। ଏଠାରେ ଖୋଳା ଯାଇଥିବା ଚ୍ୟାନେଲର ମାଟିରେ ଭସାପୋଲଟି ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ୩୦ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗାରେ ଉଦ୍ଧାର କରି କୂଳକୁ ନେଇଛନ୍ତି। ଅନ୍ୟ ୨୦ ଜଣ ଯାତ୍ରୀ ସେମାନଙ୍କ ଚାରି ଚକିଆ ଗାଡ଼ି ସହିତ ମଝି ଚିଲିକାରେ ଅଟକି ରହିଥିବା ଯାତ୍ରୀମାନେ ସୂଚନା ଦେଇଛନ୍ତି। ଅନ୍ଧାର ହୋଇ ଯାଇଥିବାରୁ ଉଦ୍ଧାର କାମରେ ବିଳମ୍ବ ହେଉଛି। ସ୍ଥାନୀୟ ସିଡିଏ ଅଧିକାରୀ କହିଛନ୍ତି ସାତପଡ଼ାରୁ ଏକ ଜେସିବି ସହିତ ଏକ୍ସାଭେଟର ଘଟଣାସ୍ଥଳୁ ଯାଇଛି। ଉଦ୍ଧାର କାମ ଚାଲିଛି। ଖୋଳା ଯାଇଥିବା ଚ୍ୟାନେଲ ମାଟି ଭିତରେ ଭସାପୋଲଟି ବୁଲାଇବା ବେଳେ ଲାଗି ଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଖୁବ ଶୀଘ୍ର ଭସାପୋଲ ଚ୍ୟାନେଲ ଭିତରକୁ ଆସିବା ପରେ କୂଳକୁ ଫେରିବ ବୋଲି ଏହି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର