ଭିସୁଟ୍‌ ରାଗିଂ ମାମଲା: ଛାତ୍ରାବାସରୁ ତଡ଼ା ହେଲେ ଦୁଇ ଛାତ୍ର , ପରୀକ୍ଷାରୁ ବି ବଂଚିତ ହେବେ

ସମ୍ବଲପୁର : ରାଗିଂରେ ସଂପୃକ୍ତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ର ୨ଜଣ ଛାତ୍ରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ କମିଟି ରିପୋର୍ଟ ମିଳିବା ପରେ ଚତୁର୍ଥ ବର୍ଷର ଦୁଇ ଜଣ ଛାତ୍ରଙ୍କୁ ଛାତ୍ରବାସରୁ ବହିଷ୍କାର କରାଯିବା ସହିତ ଚଳିତ ବର୍ଷ ପରୀକ୍ଷାରୁ ବି ବଂଚିତ କରିବାକୁ ନିଷ୍ପତ୍ତି ହୋଇଛି। ଶନିବାର ସକାଳେ ଜଣେ ଛାତ୍ର ତାଙ୍କ ଘରକୁ ଯାଇଥିବା ବେଳେ ଅନ୍ୟ ଛାତ୍ର ଜଣଙ୍କ ଅଭିଭାବକ ଆସିବା ପରେ ତାଙ୍କୁ ଘରକୁ ପଠାଯିବ ବୋଲି କୁହାଯାଇଛି।

ଗତ ୨୭ ତାରିଖ ଶନିବାର ରାତିରେ ଭୁସିଟ୍‌ ବଶିଷ୍ଠ ଛାତ୍ରାବସରେ ରହୁଥିବା ଚତୁର୍ଥ ବର୍ଷର କିଛି ଛାତ୍ର ନିଶାସକ୍ତ ଅବସ୍ଥାରେ ସେହି ହଷ୍ଟେଲ୍‌ର କନିଷ୍ଠ ଛାତ୍ର ରହୁଥିବା କୋଠରିରେ ପ୍ରବେଶ କରିଥିଲେ। କନିଷ୍ଠ ଛାତ୍ରମାନଙ୍କୁ ଗୋଟିଏ ଜାଗାରେ ଧାଡ଼ିରେ ଆଣ୍ଠେଇ ମୁହଁ ପୋତି ବସିବାକୁ କହିଥିଲେ। ଏହାପରେ ୨ ଘଣ୍ଟା ଧରି ସେମାନଙ୍କୁ ବିଭିନ୍ନ ଅବାନ୍ତର ପ୍ରଶ୍ନ ପଚାରଥିଲେ। ଏଥି ସହିତ କାହାକୁ ମାଡ଼ ମାରିଥିଲେ ତ’ ଆଉ କାହା ମୁହଁରେ ସିଗାରେଟ୍‌ ଧୂଆଁ ଛାଡ଼ିଥିଲେ। ଜଣେ ଛାତ୍ରଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତ ଛାତ୍ର ଦିଲ୍ଲୀସ୍ଥିତ ନେସ୍‌ନାଲ ଆଣ୍ଟି ରାଗିଂ ସେଲ୍‌କୁ ଫୋନ୍ କରି ଅଭିଯୋଗ କରିଥିଲେ। ନେସ୍‌ନାଲ ଆଣ୍ଟି ‌ରାଗିଂ ସେଲ୍‌ର ନିର୍ଦ୍ଦେଶକ୍ରମେ ଭିସୁଟ୍ କତ୍ତୃର୍ପକ୍ଷ ଘଟଣାର ନିରପେକ୍ଷ ତଦନ୍ତ କରାଇଥିଲେ। ତଦନ୍ତ ରିପୋର୍ଟରେ ଦୁଇ ଜଣ ଚତୁର୍ଥ ‌ବର୍ଷ ଛାତ୍ରଙ୍କ ସଂପୃକ୍ତି ଥିବା ସାମ୍‌ନା ଆସିଥିଲା। ଏହା ପରେ ରାଗିଂ କରି ଭିସୁଟ୍ ଭଳି ମର୍ଯ୍ୟଦାଜନକ ଶିକ୍ଷାନୁଷ୍ଠାନକୁ ବଦନାମ କରିଥିବା ସଂପୃକ୍ତ ଦୁଇ ଜଣ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରାଯାଇଥିଲା। ଅନ୍ତିମ ବର୍ଷର ଛାତ୍ର ହୋଇଥିବାରୁ ସେମାନଙ୍କୁ ତରନ୍ତ ଛାତ୍ରବାସରୁ ବହିଷ୍କାର କରିବା ସହିତ ଚଳିତ ବର୍ଷ ପରୀକ୍ଷା ଦେବାରୁ ବଂଚିତ କରିବାକୁ ନିଷ୍ପତ୍ତି ହୋଇଥିବା ଭିସୁଟ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ରାଗିଂ ରୋକିବାକୁ ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ୱାର୍ଡେନ୍‌ ଓ ସହକାରୀ ୱାର୍ଡେନ୍‌ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର