ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଅନିଶ୍ଚିତତାରେ ୬ ହଜାର ଚାଷୀ

ଜବରଦଖଲକାରୀଙ୍କ କବ୍‌ଜାକୁ ଗଲାଣି ଜମି, ୧୯ରେ ୨୨ ମୌଜା ବୈଠକ

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଅନିଶ୍ଚିତତାରେ ୬ ହଜାର ଚାଷୀ

99acres.com

ପୁରୀ : ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଚାଷୀମାନେ ଏବେ ଅଧିକୃତ ଜମି ଫେରିପାଇବେ କି? ଏବେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଯେଉଁ ଜମି ଅଧିକୃତ ହୋଇଥିଲା, ତା’ର ମୂଲ୍ୟ ଏବେ ଆକାଶଛୁଆଁ ହୋଇଗଲାଣି। ଏକର ପିଛା ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜମି ଏବେ କୋଟିରେ ପହଞ୍ଚିଲାଣି। ହେଲେ, ଅଧିକାଂଶ ଜମି ଏବେ ଜବରଦଖଲକୁ ଚାଲିଯାଇଛି । କିଛି ଜାଗାରେ ପ୍ଲଟିଂ ବି ହୋଇସାରିଲାଣି। ଏଭଳି ସ୍ଥିତିରେ ୨୨ ମୌଜାର ପ୍ରାୟ ୬ହଜାର ଜମି ଫେରିପାଇବେ କି ନାହିଁ, ସେ ନେଇ ଚାଷୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

୨୦୦୬ରେ ପୁରୀ-କୋଣାର୍କ ‌ବେଳାମାର୍ଗରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପରିକଳ୍ପନା କରାଯାଇଥିଲା। ଏଥିପାଇଁ ପ୍ରାୟ ୧୦ହଜାର ଏକର ଜମିର ଆବଶ୍ୟକତା ଥିବାରୁ ସରକାର ପୁରୀ ଓ ଗୋପ ତହସିଲର ୨୨ଟି ମୌଜାରୁ ଏହି ଜମି ଅଧିଗ୍ରହଣ ଆରମ୍ଭ କରି ସାରିଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ଏହାକୁ ତୀବ୍ର ବିରୋଧ ହୋଇଥିଲା। ଚାଷ ଜମି ଅଧିଗ୍ରହଣ ହେଲେ ଚାଷୀଙ୍କ ଜୀବିକା ଉଜୁଡ଼ିଯିବ ବୋଲି ଅଭିଯୋଗ ହୋଇଥିଲା। ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଓ ଚାଷୀମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ଦର୍ଶାଇ ଅଧିକୃତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଆଦେଶ ଦେଇଥିଲେ। ଏହି ରାୟ ବି‌ରୋଧରେ ଅନିଲ ଅଗ୍ରୱାଲ୍‌ ଫାଉଣ୍ଡେସନ୍‌ ଓ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅପିଲ୍‌ କରିଥିଲେ।

ଗତକାଲି ସୁପ୍ରିମକୋର୍ଟ ମାମଲାରେ ରାୟ ପ୍ରକାଶ କରିବା ପରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଓ ଚାଷୀ ଆଶ୍ବସ୍ତ ହୋଇଛନ୍ତି। ତେବେ, ଚାଷ ଜମି ସ୍ବତ୍ତ୍ବାଧିକାର କିଭଳି ଫେରିବ, ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ଆନ୍ଦୋଳନର ନେତୃତ୍ବ ନେଉଥିବା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କହିଛନ୍ତି, ବିଶ୍ବବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଉଥିଲା, ତାହା ଚାଷ ଜମି ଥିଲା। ପ୍ରାୟ ୬ ହଜାର ଚାଷୀ ଏହି ଜମି ଉପରେ ନିର୍ଭରଶୀଳ ଥିଲେ। ପାଖରେ ଅଭୟାରଣ୍ୟ ବି ଥିଲା। ପ୍ରଶାସନ ବି ଯେଉଁ ଢ଼ଙ୍ଗରେ ଜମି ଅଧିଗ୍ରହଣ କରୁଥିଲା, ତାହା ଯୁକ୍ତିସଂଗତ ନଥିଲା। ଏଣୁ ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘ‌ର୍ଷ ସମିତି ନେତୃତ୍ବରେ ଶହ ଶହ ଚାଷୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏ ସଂପର୍କରେ ଆସନ୍ତା ୧୯ ତାରିଖରେ ୨୨ ମୌଜାର ଚାଷୀଙ୍କୁ ନେଇ ବୈଠକ ଡକାଯାଇଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe