ରାୟଗଡ଼ା ଜିଲ୍ଲାରେ ପ୍ରାଣୀ ଚିକିତ୍ସା ପାଇଁ ଡାକ୍ତର ଅଭାବ, ୪ ବ୍ଲକରେ ଶୋୟନୀୟ ଅବସ୍ଥା

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଗୃହପାଳତ ପଶୁଙ୍କ ଚିକିତ୍ସା ପାଇଁ ଧୀରେ ଧୀରେ ଡାକ୍ତରଙ୍କ ସଂଖ୍ୟା କମିବାକୁ ଲାଗିଲାଣି, ଯାହା ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଛି। ବହୁ ଗୃହପାଳିତ ପଶୁ ଚିକିତ୍ସା ଅଭାବରେ ଅକାଳରେ ମୃତ୍ୟୁବରଣ କରିବେ। ରାୟଗଡାରେ ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ପଶୁ ଡାକ୍ତରଖାନା ରହିଛି। କିନ୍ତୁ ଜିଲ୍ଲାର ବିଷମକଟକ, ମୁନିଗୁଡା, କାଶୀପୁର ଏବଂ ଗୁଡାରୀରେ ଦୁଇଟି ଲେଖାଏଁ ପଶୁ ଡାକ୍ତରଖାନା ରହିଛି। ଏହି ଅଂଚଳରେ ବହୁ ସଂଖ୍ୟାରେ ଗୃହପାଳିତ ପଶୁ ରହୁଥିବାରୁ ଏଭଳି ଦୁଇଟି ଲେଖାଏଁ ଡାକ୍ତରଖାନା ଖୋଲାଯାଇଛି।

ତେବେ ସରକାରଙ୍କ ତରଫରୁ ଡାକ୍ତରଖାନା ଖୋଲାଯାଇଥିବା ବେଳେ ଏଠାରେ ଡାକ୍ତରଙ୍କର ଅଭାବ ଯୋଗୁଁ ବହୁ ପଶୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି, ଯାହାକୁ ନେଇ ଜିଲ୍ଲାର ଚାଷୀମାନେ ନାହିଁ ନଥିବା ହଇରାଣ ହେବାକୁ ଲାଗିଲେଣି। ବିଭାଗ ଏନେଇ ହାତ ଟେକି ଦେଇଥିବା କହିଛି। ପୂର୍ବରୁ ଏହି ସବୁ ଡାକ୍ତରଖାନାରେ ଜଣେ ଲେଖାଏଁ ଭିଏଏସ ରହୁଥିଲେ କିନ୍ତୁ ଏବେ ପ୍ରାୟତଃ ବହୁ ଡାକ୍ତରଖାନାର ଭିଏଏସ ବଦଳି ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି। ତେଣୁ ଏସବୁ ଢାକ୍ତରଖାନାରେ ଭିଏଏସ ପଦବି ଖାଲି ପଡିଛି।ବିଷମକଟକ ବ୍ଲକରେ ବିଷମକଟକ ଏବଂ ଦୁର୍ଗୀରେ ଦୁଇଟି ଡାକ୍ତରଖାନା ରହିଛି। ବିଷମକଟକ ବ୍ଲକରେ ୨୫୯୯୪ଟି ଗାଈଗୋରୁ ରହିଥିବା ବେଳେ ୭୩୨୮ଟି ମଇଁଷି,୨୧୨୬ଟି ମେଣ୍ଢା,୧୭୨୩୮ଟି ଛେଳି ଏବଂ ୯୦୦ଟି ଘୁଷୁରି ରହିଛି ।

ତେବେ ଏଠାରେ ୩ ଜଣେ ବିଏଏସ ରହିବା କଥା କିନ୍ତୁ ଦୁଇ ଜଣ ବଦଳି ହୋଇ ଚାଲିଯିବାରୁ ଏବେ ଜଣେ ମାତ୍ର ଭିଏଏସ ରହିଛନ୍ତି। ସେହିପରି ଦୁର୍ଗୀରେ ମଧ୍ୟ ଜଣେ ମାତ୍ର ଭିଏଏସ ରହିଛନ୍ତି। ମୁନିଗୁଡା ବ୍ଲକରେ ୧୮୯୪୨ଟି ଗାଈଗୋରୁ ରହିଥିବା ବେଳେ,୪୮୧୯ଟି ମଈଁଷି,୨୧୩୬ଟି ମେଣ୍ଢା,୧୯୪୧୦ଟି ଛେଳି ଏବଂ ୬୬୨ଟି ଘୁଷୁରି ରହିଛି।ତେବେ ମୁନିଗୁଡା ଏବଂ ଆଣ୍ବାଦୋଳାରେ ଗୋଟିଏ ଲେଖାଏଁ ପଶୁ ଡାକ୍ତରଖାନା ରହିଛି। ଏହି ଦୁଇଟି ଯାକ ଡାକ୍ତରଖାନାରେ ଜଣେ ବି ଡାକ୍ତର ନାହାନ୍ତି।

ଉପରୋକ୍ତ ପଶୁମାନଙ୍କର ଚିକିତ୍ସା କିପରି ହେବ ସହଜରେ ଅନୁମେୟ। କାଶୀପୁର ବ୍ଲକରେ କାଶୀପୁର ଏବଂ ଟିକିରିରେ ଗୋଟିଏ ଲେଖାଏଁ ପଶୁ ଡାକ୍ତରଖାନା ରହିଛି।କାଶୀପୁର ବ୍ଲକରେ ୫୭୩୩୧ଟି ଗାଈ ଗୋରୁ ରହିଥିବା ବେଳେ ୬୮୩୧ଟି ମଇଁସି, ୫୮୯୦ଟି ମେଣ୍ଢା, ୨୧୨୧୯ଟି ଛେଳି,୧୧୭୧ଟି ଘୁଷୁରି ରହିଛି। କାଶୀପୁର ଠାରେ ଜଣେ ଭିଏଏସ ରହିଥିବା ବେଳେ ଟିକିରିରେ କେହି ବିଏଏସ ନାହାନ୍ତି। ଗୁଡାରୀ ବ୍ଲକରେ ଗୁଡାରୀ ଏବଂ ଢେପଗୁଡା ଠାରେ ଗୋଟିଏ ଲେଖାଏଁ ପଶୁ ଡାକ୍ତରଖାନା ରହିଛି।ଗୁଡାରି ବ୍ଲକରେ ୮୫୭୩ଟି ଗାଈ ରହିଥିବା ବେଳେ ୧୬୪୯ଟି ମଇଁଷି, ୫୦୯ଟି ମେଣ୍ଢା, ୬୦୧୦ଟି ଛେଳି ଏବଂ ୬୫୭ଟି ଘୁଷୁରି ରହିଛି। କିନ୍ତୁ ଗୁଡାରୀରେ ୩ ଜଣଙ୍କ ବଦଳରେ ଜଣେ ଭିଏଏସ ରହିଥିବା ବେଳେ ଢେଫଗୁଡାରେ ଜଣେ ଭିଏଏସ ରହିଛନ୍ତି। ଅନ୍ୟ ବଳକା ବ୍ଲକ କଥା ନକହିବା ଭଲ।କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ମୋବାଇଲ ଡାକ୍ତରଙ୍କ ଦ୍ବାରା ପଶୁ ଡାକ୍ତରଖାନା ଚାଲୁଛି।ଯ ଦି ଜିଲ୍ଲାର ପଶୁମାନଙ୍କ ରିପୋର୍ଟ ଦେଖିବା ତେବେ ମୋଟ ଗାଈଗୋରୁ ସଂଖ୍ୟା ୨,୪୭,୨୫୯ ହୋଇଥିବା ବେଳେ ୪୮,୨୬୮ଟି ମଈଁଷି,୨୧୫୬୧ଟି ମେଣ୍ଢା,୧,୫୪,୬୨୨ଟି ଛେଳି ଏବଂ ୮୨୭୮ଟି ଘୁଷୁରି ରହିଛି।

ତେବେ ଏତେ ସଂଖ୍ୟକ ପଶୁଙ୍କ ପାଇଁ ଡାକ୍ତରଙ୍କ ଅଭାବ ଗୃହପିଳିତ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ତୁରନ୍ତ ଯେଉଁ ପଶୁଡାକ୍ତର ଖାନାରେ ଡାକ୍ତର ନାହାନ୍ତି ସେଠାରେ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଚାଷୀ ଦାବି କରିଛନ୍ତି।ଦୁର୍ଗମ ଅଂଚଳର ଲୋକେ ପଶୁ ଡାକ୍ତରଖାନା ଆସି ଖାଲି ହାତରେ ଫେରୁଥିବା ଲକ୍ଷ୍ୟ କରାଯାଇଛି।କିଛି ପଶୁ ଡାକ୍ତରଖାନାରେ ଆଟାଣ୍ଢାଣ୍ଟଙ୍କ ଦ୍ବାରା ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।ତେବେ ପଶୁଙ୍କ ଭାଗ୍ୟ ଏବେ ଭଗବାନଙ୍କ ଭରସାରେ।ବିଭାଗ ଏନେଇ କୌଣସି ଉତ୍ତର ରଖୁନାହିଁ। ତେବେ ରାୟଗଡା ଜିଲ୍ଲାକୁ ଡାକ୍ତରମାନେ ବଦଳି ହୋଇ ନଆସିବା ପୂର୍ବରୁ କାହିଁକି ଏଠାରେ ଥିବା ଡାକ୍ତରଙ୍କୁ ରିଲିଭ କରାଗଲା ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।  ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଆଗକୁ ଏହା ଆନ୍ଦୋଳନାତ୍ମକ ରୂପ ନେବ ବୋଲି ଆଶଂକା କରାଯାଇଛି।

ସମ୍ବନ୍ଧିତ ଖବର