ଆଖି ବୁଜିଲେ ‘ଭିକୁ ସେଠ୍‌’, ଆଉ ଶୁଭିବନି ଶାଗୁଣା ସଂଳାପ

ଅଭିନେତା ମହେନ୍ଦ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଚୌଦ୍ବାର/ଭୁବନେଶ୍ୱର : ତାଙ୍କ ପାଟିରୁ ସଂଳାପ ଖସିଲେ ଯାତ୍ରାଦର୍ଶକଙ୍କ ମନରେ ରୋମାଞ୍ଚ ଖେଳିଯାଉଥିଲା। ମଞ୍ଚ ଉପରେ ତାଙ୍କ ଜୀବନ୍ତ ଅଭିନୟ ଦେଖିଲେ ଆଖିର ପଲକ ପଡ଼ୁନଥିଲା। ମାତ୍ର ଏବେ ଆଉ ଶୁଭିବନି ‘ଶାଗୁଣା ବସିଛି ଡେଣା ମେଲାଇ’ର ସେଇ ଛାତିଥରା ସଂଳାପ। ସବୁଦିନ ପାଇଁ ନିରବ ହୋଇଯାଇଛି ‘ଭିକୁ ସେଠ୍‌’ ନାଁରେ ପରିଚିତ ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ମହେନ୍ଦ୍ର ଦାସଙ୍କ ଦୃପ୍ତ ଓ ଗମ୍ଭୀର କଣ୍ଠସ୍ବର। ଅଭିନୟ ସାରି ଦୁନିଆ ରଙ୍ଗମଞ୍ଚରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି ଯାତ୍ରା ଟାଇଗର ମହେନ୍ଦ୍ର। ମାତ୍ର ୫୫ ବର୍ଷ ବୟସରେ ଆଜି ଚୌଦ୍ବାରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମହେନ୍ଦ୍ରଙ୍କ ବିୟୋଗ ଯାତ୍ରା ଜଗତ ଓ ଯାତ୍ରପ୍ରେମୀଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଥିବା‌ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଦୀର୍ଘ ତିନି ଦଶନ୍ଧି ମଧ୍ୟରେ ଯାତ୍ରା ପ୍ରେମୀ ହୁଏତ ଅନେକ ନାଟକର ନାଁ ଭୁଲି ଯାଇଥିବେ। ମାତ୍ର ‘ଖୁମ୍ପି ଦେଲୁ… ଭଲ କଲୁ…, ନାଁ ଟା ତାହେଲେ ମୀନା.. ଓ ଭଲ ନାଚିଲ’… ସଂଳାପ ଏବେ ବି ଯାତ୍ରା ରସିକଙ୍କ ହୃଦୟରେ ସାଇତା ହୋଇ ରହିଛି। ୧୯୯୧ ମସିହାରେ ସଚ୍ଚି ଦାସଙ୍କ ନିର୍ଦେଶନାରେ ଜନତା ଗଣନାଟ୍ୟ ଭେଟି ଦେଇଥିବା ‘ଶାଗୁଣା ବସିଛି ଡେଣା ମେଲାଇ’ର ଖଳନାୟକ ‌ହୋଇ ବି ମହେନ୍ଦ୍ର ପାଲଟି ଯାଇଥିଲେ ଯାତ୍ରା ପ୍ରେମୀଙ୍କ ମନର ନାୟକ। ହିରୋଙ୍କ ଅପେକ୍ଷା ଭିକୁ ସେଠ୍‌ଙ୍କ ଅଭିନୟ ମାୟା ଲଗାଇଥିଲା। ଶେଷରେ ଖାଲି ଏଇ ନାଟକ କାଳଜୟୀ ହେଲାନାହିଁ, ବରଂ ମହେନ୍ଦ୍ର ଦାସଙ୍କୁ ସବୁଦିନ ପାଇଁ ଚରିତ୍ର ଭିତରେ ବାନ୍ଧି ଦେଲା। ଲୋକେ ମହେନ୍ଦ୍ର କହିଲେ ଯେତିକି ବୁଝୁନଥିଲେ ଭିକୁ ସେଠ୍‌ ନାଁରେ ସେତିକି ଚିହ୍ନୁଥିଲେ।

୧୯୬୩ ମସିହାରେ ପୁରୀ ଜିଲ୍ଲା ବୀରନରସିଂହପୁରସ୍ଥିତ କୁଶପଦା ଗ୍ରାମରେ ବାପାମା’ ଥିଲେ ସ୍ବର୍ଗତଃ ହରିହର ଦାସ ଓ ନେତ୍ରମଣୀ ଦାସଙ୍କ କୋଳରେ ଜନ୍ମ ନେଇଥିଲେ ମହେନ୍ଦ୍ର। ପିଲାଦିନେ ଗାଁ ଡ୍ରାମାରେ ଅଭିନୟ କରୁକରୁ ସେ ଯାତ୍ରା ନିଶାରେ ପଡ଼ିଗଲେ। ଘର ପୁରୀରେ ହୋଇଥିଲେ ହେଁ ଦୀର୍ଘବର୍ଷ ହେବ ସେ କଟକ ‌ଚୌଦ୍ବାରସ୍ଥିତ ଚୁଡ଼ାଖିଆରେ ରହି ଆସୁଥିଲେ। ନବେ ଦଶକ ପ୍ରଥମାର୍ଧରେ ସାତଶଙ୍ଖ ଅପେରାରେ ଯୋଗଦେବା ପରେ ପ୍ରଥମ ନାଟକ ‘କନ୍ୟାଦାନ ମହାପୁଣ୍ୟ’ରେ ସେ ନାୟକ ସାଜିଥିଲେ। ସେବେଠୁ ଯାତ୍ରା ମଞ୍ଚ ପାଲଟି ଯାଇଥିଲା ତାଙ୍କ ଘର। ଆକାଶ କଇଁଆ ଚିଲିକା ମାଛ, ଏ କେଉଁ ଯୁଗର ରାମାୟଣ, ରାଧା ହଜିଗଲା ଅଧା ବାଟରେ, କହ ଗୌର ଦାସ କାହାର ଦୋଷ, ମତେ ଭୁଲିବନି ମଧୁମାଳତୀ, ରଙ୍ଗ ବଜାରରେ ରଙ୍ଗ ଜୋକର, ପୁରୀ ଆଉ କେତେ ବାଟ, ଧୀରେଧୀରେ ବାଜେ ଶୁଭ ମହୁରୀ, ଈଶ୍ବରଙ୍କୁ ଦେଖିବ ଆସ, ମୋ ସ୍ବାମୀ ନାହାଁନ୍ତି ଘରେ, ନଖୀ ନାନୀ ପୁଅ ଭଗିଆ ଭଳି ନାଟକରେ ଖଳନାୟକ ଭୂମିକାରେ ଅଭିନୟ ଅଜସ୍ର ପ୍ରସିଦ୍ଧି ଆଣି ଦେଇଥିଲା। ସେହିଭଳି ମହେନ୍ଦ୍ରଙ୍କୁ ଶାଗୁଣା ସହ ଯୋଡ଼ି ନିର୍ମିତ ହୋଇଥିଲା ଶାଗୁଣା ଯାଉଛି ଶ୍ବଶୂର ଘର, ଶାଗୁଣା କରିବ ବାସର ରାତି, ମୁଁ କାଳ ଛଞ୍ଚାଣ, ପୁଣି ଶାଗୁଣା ଫେରିବ ଓ ସବୁଠି ବୁଲୁଛି ଶାଗୁଣା ଆଖି ଭଳି ନାଟକ। ହର ପଟ୍ଟନାୟକଙ୍କ ନିେର୍ଦ୍ଦଶିତ ଓଡିଆ ଚଳଚ୍ଚିତ୍ର ‘ଯଶୋଦା’ରେ ମଧ୍ୟ ସେ ଅଭିନୟ କରିଥିଲେ।

ତାଙ୍କର ତିନି ଝିଅ ମଧ୍ୟରୁ ଦୁଇ ଝିଅ ପିଙ୍କି ଓ ରିଙ୍କି ବିବାହ କରି ସାରିଥିବା ବେଳେ ସାନଝିଅ ଚିଙ୍କି ତାଙ୍କ ସହିତ ରହୁଥିଲେ। ଚୌଦ୍ବାର ପୌରପାଳିକା ୧୦ନମ୍ବର ୱାର୍ଡ ଅନ୍ତର୍ଗତ ଲେବରଟେନାମେଣ୍ଟ କେଲାନିରେ ସେ ନିଜ ପରିବାର ସହ ରହି ଆସୁଥିଲେ। ଚଳିତ ବର୍ଷ ସେ ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ମାତ୍ର ଲକ୍‌ଡାଉନ ଯୋଗୁଁ ଯାତ୍ରା ରିହର୍ସଲ ବନ୍ଦ ଥିବାରୁ ମଞ୍ଚକୁ ଓହ୍ଲାଇ ପାରିନଥିଲେ। ମାତ୍ର ଶେଷରେ ଟିଭି ଚ୍ୟାନେଲ ପାଇଁ ବାଲେଶ୍ବରରେ ବାଘାଯତୀନ ଯାତ୍ରା ମଞ୍ଚରେ ଏକ ଯାତ୍ରାର ସୁଟିଂ କରୁଥିଲେ। ଦୁଇଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ସେ ଘରକୁ ଫେରି ଆସିଥିଲେ।

ଆଜି ସକାଳ ୧୦ଟା ସମୟରେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଚୌଦ୍ବାରର ଏକ ଘରୋଇ ହସ୍ପିଟାଲକୁ ନିଆ ଯିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଘରୋଇ ହସ୍ପିଟାଲରେ ପହ‌ଞ୍ଚିବା ସମୟରେ ଦିନ ପାଖାପାଖି ୧୧ଟା ୩୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ହ‌ର୍ଷମଣି ଓ ଝିଅ ଧରିତ୍ରୀ, ସିୟାଶ୍ରୀ, ଜୟଶ୍ରୀ ଓ ଜ୍ବାଇଁମାନେ ଉପସ୍ଥିତ ଥିଲେ। ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଶୁଭେନ୍ଦୁ ସାମଲ, ପୂର୍ବତନ କାଉନସିଲର ସୁବ୍ରତ ସାମଲ, ଅଭିନେତ୍ରୀ ରାଣୀ ପଣ୍ତା, ଗୌରହରି ଦାସ, ଅଭିନେତ୍ରୀ ଟିକାନା, ଖଳନାୟକ ଶୁଭେନ୍ଦୁ, କମେଡିଆନ ସାନମଣିଙ୍କ ସମେତ ବହୁ କଳାକାର ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିବା ବେଳେ ପୁତୁରା ଦୀପକ ଦାସ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ମହେନ୍ଦ୍ର ଦାସ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ଉପଦେଷ୍ଟା ପଦରେ ଅବସ୍ଥାପିତ ଥିଲେ। ଏନେଇ ସଂଘ ପକ୍ଷରୁ ମହେନ୍ଦ୍ରଙ୍କ ବିୟୋଗରେ ଦୈତାରୀ ପଣ୍ଡା, ଆର୍‌.କେ ହୀରାଲାଲ, ବାପି ପଣ୍ଡା, ସୁବାସ ବେହେରା, ଗୌର ଦାସ, ହୃଷୀକେଶ ମିଶ୍ର, ଦାୟାନିଧି ଉପାଧ୍ୟାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଏଥି ସହ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ସମଗ୍ର ଓଡ଼ିଶାରେ ନିରବ ପ୍ରାର୍ଥନାର ଆୟୋଜନ କରାଯିବ ବୋଲି ଶ୍ରୀ ହୀରାଲାଲ୍‌ କହିଛନ୍ତି। ‌ସେହିପରି ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ବିୟୋଗରେ ରାଜନେତାଙ୍କ ଶୋକ
ଭୁବନେଶ୍ବର : ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସ (ଭିକୁ ସେଠ୍‌)ଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି,ସ୍ବର୍ଗତଃ ଦାସ ଓଡ଼ିଶା ଯାତ୍ରା ଜଗତର ଜଣେ ଦକ୍ଷ କଳାକାର ଥିଲେ। ତାଙ୍କର ଦେହାନ୍ତ ଯୋଗୁ ଯାତ୍ରା କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ତାଙ୍କ ଅଭିନିତ ଶାଗୁଣା ବସିଛି ଡେଣା ମେଲେଇର ସଂଳାପକୁ ଏବେ ବି ବହୁ ଲୋକ ମନେପକାନ୍ତି। ୩୦ ବର୍ଷ ଧରି ଯାତ୍ରା ଜଗତ ସହ ଜଡ଼ିତ ରହି ବିଭିନ୍ନ ଭୂମିକାରେ ଅଭିନୟ କରି ସେ ପ୍ରସିଦ୍ଧି ଲାଭ କରିଥିଲେ। ଉଚ୍ଚକୋଟୀର ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇପାରିଥିଲା। ବିଜେପି ସଭାପତି ଶ୍ରୀ ମହାନ୍ତି ଓ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି, ୯୦ ଦଶକରେ ସ୍ବର୍ଗତଃ ଦାସଙ୍କ ଭିକୁ୍ ସେଠ୍‌ ଖଳନାୟକ ଭୂମିକାରେ ନିଖୁଣ ଅଭିନୟ ଯାତ୍ରା ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତାଙ୍କ ଅବର୍ତ୍ତମାନରେ ଯାତ୍ରା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର