ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀଆନ ବ୍ୟକ୍ତିତ୍ବ ସାରଦା ପ୍ରସନ୍ନ ନାୟକଙ୍କର ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ଗତ ସୋମବାରଠାରୁ ଅସୁସ୍ଥ ହୋଇ ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସଂଧ୍ୟାରେ ୯୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କର ପୁତ୍ର ପାର୍ଥ ନାୟକ।

Advertisment

ଏକାଧାରରେ ଜଣେ ସଫଳ ନିର୍ଦ୍ଦେଶକ, ଗୀତିକାର ଓ ସଂଳାପକାର ଭାବେ ପରିଚିତ ସାରଦା ପ୍ରସନ୍ନଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ୬୦ ଦଶକଠାରୁ ଓଡ଼ିଆ ସିନେମା ସହ ଜଡ଼ିତ ହୋଇଥିବା ସାରଦା ପ୍ରସନ୍ନ ଦର୍ଶକଙ୍କୁ ବହୁ ନିଚ୍ଛକ ଓଡ଼ିଆ ଛବି ଉପହାର ଦେବା ସହ ତାଙ୍କ ଲିଖିତ ବହୁ ଗୀତ ଓଡ଼ିଆ ଶ୍ରୋତାଙ୍କ ମନରେ ଆଜି ବି ଅନୁରଣିତ ହୁଏ। ତାଙ୍କର ବିୟ‌ୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

publive-image

୧୯୬୨ ମସିହାରେ ସାରଦା ପ୍ରସନ୍ନ ନାୟକ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହ ଏଥିରେ ଗୀତିକାର ଓ ସଂଳାପକାର ଭୂମିକା ନିର୍ବାହ କରିଥିଲେ। ଏହି ଚଳଚ୍ଚିତ୍ର ଲାଗି ୧୯୬୩ ମସିହାରେ ସେ ରାଷ୍ଟ୍ରପତି ପୁରସ୍କାର  ଲାଭ କରିଥିଲେ। କେବଳ ସେତିିକି ନୁହେଁ, ଏହି ଚଳଚ୍ଚିତ୍ରରେ ସେ ରଚନା କରିଥିବା ଗୀତ ‘ଆରତ ସୁରେ ବାରେ କରେ ମିନତିରେ..’ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ମହମ୍ମଦ ସିକନ୍ଦର ଆଲାମ  ଗାଇଥିବା ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ବରାରୋପିତ ଏହି ଗୀତ ସେ ସମୟରେ ଚହଳ ସୃଷ୍ଟି କରିଥିଲା।

'ଲକ୍ଷ୍ମୀ' ପରେ ସେ 'କା', 'ସ୍ତ୍ରୀ' ଓ 'ସଂସାର' ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ଅବଦାନ ଲାଗି ୨୦୧୩ ମସିହା ପାଇଁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ନର୍ଦ୍ଦେଶନା ସହ ସେ ଫିଲ୍ମ 'ହୀରାନୀଳା' ଏବଂ 'ସ୍ତ୍ରୀ'ରେ ଅଭିନୟ ମଧ୍ୟ କରିଥିଲେ। ଦୂରଦର୍ଶନରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ। ନିଜର କାର୍ଯ୍ୟକାଳ ସମୟରେ ସେ ଦୂରଦର୍ଶନରେ ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ନିର୍ମାଣ କରିଥିଲେ।