ଅନ୍ଧାରରେ ଭେଟେରାନ ନେତାଙ୍କ ଭବିଷ୍ୟତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରିଗେଡିୟର୍‌ କାମାକ୍ଷା ପ୍ରସାଦ ସିଂହଦେଓ। କେନ୍ଦ୍ର ସରକାରରେ ମନ୍ତ୍ରୀ ବି ହୋଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ବେଶ୍‌ ଗୁରୁତ୍ବ ରଖୁଥିବା ଏହି ଭେଟେରାନ୍‌ ନେତାଙ୍କୁ ଏଥର ଟିକେଟ ଦେଇନି କଂଗ୍ରେସ। ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ି ଲକ୍ଷେରୁ କମ୍‌ ଭୋଟ୍‌ ପାଇଥିବାରୁ ଦଳ ତାଙ୍କୁ ଆଉ ଗୁରୁତ୍ବ ‌ଦେଇନି। ଏହାସହିତ ଦୀର୍ଘଦିନ ଧରି ଅନୁଗୁଳ, ଢେଙ୍କାନାଳରେ କଂଗ୍ରେସ ଚେହେରା ପାଲଟିଥିବା କେ.ପି.ଙ୍କ ରାଜନୈତିକ କ୍ୟାରିୟର୍‌ ଏକପ୍ରକାର ଶେଷ ହୋଇଗଲା ବୋଲି ଅନୁମାନ କରାଯାଉଛି। କେବଳ କେ.ପି. ଏକା ନୁହନ୍ତି, ଅନୁଗୁଳର ଏକାଧିକ ଭେଟେରାନ ନେତାଙ୍କ ଭାଗ୍ୟକୁ ଏହି ନିର୍ବାଚନ ମୋଡ଼ି ଦେଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ, ବରିଷ୍ଠ ନେତା ରବି ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ଛେଣ୍ଡିପଦା ବିଧାୟକ ଖଗେଶ୍ବର ବେହେରାଙ୍କ ରାଜନୈତିକ ଭବିଷ୍ୟତ ଏବେ ଆଶଙ୍କାରେ। ଏମାନେ ଆଉ ଥରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ସମ୍ଭାବନା କମ୍‌ ବୋଲି ଏହି ନିର୍ବାଚନ ସୂଚାଇ ଦେଇଛି। ଏପଟେ ବିଧାୟକ ରମେଶ ସାଏ, କଂଗ୍ରେସ ନେତା ସଂଗ୍ରାମ ମିଶ୍ର, ପୂର୍ବତନ ତାମ୍‌ଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ, ପୂର୍ବତନ ଅନୁଗୁଳ ନଗରପାଳ ଭକ୍ତି ପ୍ରସାଦ ଦାସ, ଗତ ଥର କଂଗ୍ରେସରୁ ଲଢ଼ିଥିବା ବିପ୍ଳବ ଜେନା, ରାଜ୍ୟ ଖାଦ୍ୟ କମିସନ୍‌ ଅଧ୍ୟକ୍ଷ ଅବନୀକାନ୍ତ ସାହୁ, ଅନୁଗୁଳ ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କ ପରି ନେତାଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଦୀର୍ଘଦିନ ଧରି ଅନୁଗୁଳ ଓ ଢେଙ୍କାନାଳ ରାଜନୀତିରେ ବେଶ୍‌ ସକ୍ରିୟ ଥିବା ଭଜମନ ବେହେରା ଢେଙ୍କାନାଳରୁ ସାଂସଦ ଭାବେ ଜିତିବା ସହ ଏକାଧିକ ବାର ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି। କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଛେଣ୍ଡିପଦା, ଆଠମଲ୍ଲିକ ଓ ତାଳଚେରରୁ ବିଧାୟକ ହୋଇଛନ୍ତି। ହେଲେ ବିଜେଡି ଗଠନ ପରଠାରୁ ଏହି ରାଜନେତା ଏକପ୍ରକାର ଅଲୋଡ଼ା ହୋଇପଡ଼ିଥିଲେ। ଏବେ ତାଙ୍କ କ୍ୟାରିୟର୍‌ ଏକପ୍ରକାର ଶେଷ ହୋଇଯାଇଥିବା କୁହାଯାଉଛି। ସେହିପରି ୨୦୦୯ରେ ସମ୍ବଲପୁରରୁ ସାଂସଦ ଭାବେ ଜିତିଥିବା ଅମରନାଥ ପ୍ରଧାନ ପୂର୍ବରୁ ଆଠମଲ୍ଲିକ ଆସନରୁ ୨ ଥର ବିଧାୟକ ଭାବେ ଜିତିବା ସହ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଛନ୍ତି। ହେ‌ଲେ ୨୦୧୪ରେ ସେ ନିର୍ବାଚନ ହାରିବା ପରଠାରୁ ଏକପ୍ରକାର ଅଲୋଡ଼ା ହୋଇପଡ଼ିଛନ୍ତି। କିଛି ମାସ ହେଲା ସେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ବୁଲାବୁଲି କରୁଥିବାରୁ ଏଥର ସେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ କୌଣସି ଦଳରୁ ପ୍ରାର୍ଥୀ ହୋଇ ନଥିବାରୁ ତାଙ୍କ ରାଜନୈତିକ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଥିବା ଚର୍ଚ୍ଚା ହେଉଛି।

ଏପଟେ ଅନୁଗୁଳ ବିଧାନସଭା କ୍ଷେତ୍ରରୁ ୪ଥର ବିଧାୟକ ଭାବେ ଜିତିଥିବା ରଜନୀକାନ୍ତ ସିଂହଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି। ଏପଟେ ତାଙ୍କ ପୁଅ ଅରୁଣାଭ ସିଂହ ମଧ୍ୟ ରାଜନୀତିକୁ ଓହ୍ଲାଇଲେଣି। ତେଣୁ ରଜନୀକାନ୍ତ ସିଂହଙ୍କ ରାଜନୈତିକ ଭବିଷ୍ୟତ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ତାଙ୍କ ବଦଳରେ ପତ୍ନୀ ଓ ପୁଅ ରାଜନୈତିକ ଉତ୍ତରାଧିକାରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ସେହିପରି ପାଳଲହଡ଼ାରୁ ବିଧାୟକ ଓ ଦେବଗଡ଼ ଆସନରୁ ସାଂସଦ ଭାବେ ଜିତିଥିବା ବରି‌ଷ୍ଠ ନେତା ରବି ନାରାୟଣ ପାଣି ଏଥର ନିର୍ବାଚନରେ ଭାଗ ନେଇନାହାନ୍ତି। ୨୦୦୯‌ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିବା ରବି ପାଣିଙ୍କୁ ୨୦୧୪ରେ ବିଜେଡି ଟିକେଟ ଦେଇ ନଥିଲା। ଏହାପରେ ଦଳରେ ‌ସେ ଅଲୋଡ଼ା ହୋଇପଡ଼ିବାରୁ ବିଜେପିରେ ଯୋଗ ଦେଇଥିଲେ। ଏଠାରେ ମଧ୍ୟ ଗୁରୁତ୍ବ ନ ମିଳିବାରୁ କିଛି ଦିନ ତ‌ଳେ ବିଜେପିରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ସେ ପ୍ରାର୍ଥୀ ହେଉଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥର ନିର୍ବାଚନ ଲଢ଼ୁନାହାନ୍ତି ରବି ପାଣି। ତେଣୁ ଏହା ତାଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଶେଷ ହୋଇଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର