କଟକ : ଓଲିଉଡ୍ର ଲୋକପ୍ରିୟ ‘ମା’ ଅନିତା ଦାସ ଆଉ ନାହାନ୍ତି। ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଓଲିଉଡର ନିରୂପା ରୟ ଭାବେ ସ୍ୱତନ୍ତ୍ର ପରିଚୟ ଆଉ ଅଭିନୟର ସ୍ୱତନ୍ତ୍ର ଛାପ ଛାଡି ଯାଇଥିବା ଅନିତା ଆଜି ହୃଦଘାତର ଶିକାର ହୋଇଛନ୍ତି। ରୂପେଲି ପରଦାରେ ଦୁଃଖିନୀ ମା’ ଭୂମିକାରେ ଅଭିନୟ କରି ପ୍ରଶଂସକଙ୍କ ଆଖିରୁ ଲୁହ ଝରାଉଥିବା ଅନିତାଙ୍କ ବିୟୋଗରେ ଆଜି ସାରା ଓଲିଉଡ୍ ଇଣ୍ଡଷ୍ଟ୍ରି ଏବଂ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଲୁହ ଝରାଇଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଟକର ମିସନ୍ ରୋଡ୍ସ୍ଥିତ ବାସଭବନରେ ଅନିତା ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ମରଶରୀରକୁ ତାଙ୍କ ଗାଁ ଯାଜପୁର ରୋଡର ଡୋଲିପୁର ନିଆଯାଇଛି। ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରିବାର କାର୍ଯ୍ୟକ୍ରମ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନିତା ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅବିବାହିତ ଥିବା ଅନିତା ତାଙ୍କ ଘରେ ଏକୁଟିଆ ଥିବା ବେଳେ ଆଜି ତାଙ୍କ ଛାତିରେ ଯନ୍ତ୍ରଣା ସଂପର୍କରେ ଘରେ କାମ କରୁଥିବା ସହାୟକ ଅନିତାଙ୍କ ପୁତୁରା ତଥା ଅଭିନେତା, ବିଧାୟକ ଆକାଶ ଦାସନାୟକଙ୍କୁ ସୂଚନା ଦେଇଥିଲେ। ଆକାଶ କଟକରେ ପହଞ୍ଚି ଡାକ୍ତରଙ୍କୁ ଡାକି ଅନିତାଙ୍କ ପରୀକ୍ଷା କରିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣା ପଡ଼ିଥିଲା। ଆଜି ଦିନ ପାଖାପାଖି ୧୧ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଭିନେତା ମିହିର ଦାସ, ଅଜିତ ଦାସ, କୁନା ତ୍ରିପାଠୀ, ଅଭିନେତା ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରଏ, ସ୍ନିଗ୍ଧା ମହାନ୍ତି, ଅନୁ ଚୌଧୁରୀ, କେଶବ ରାଉତ, ରାଇମୋହନ ପରିଡା, ବୈଷ୍ଣବ ପରିଡା, ନମ୍ରତା, ଅପରାଜିତା ମହାନ୍ତି, ବୁଲୁ, ପିଣ୍ଟୁ ନନ୍ଦଙ୍କ ଭଳି ବହୁ ଅଭିନେତା, ନେତା ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମିସନ ରୋଡସ୍ଥିତ ବାସଭବନକୁ ଯାଇ ଅନିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
୧୯୫୭, ଅକ୍ଟୋବର ୧ ତାରିଖରେ ଯାଜପୁର ରୋଡର ଡୋଲିପୁରରେ ବନମାଳି ଦାସ ଓ ସତ୍ୟଭାମା ଦାସଙ୍କ ଓରସରୁ ଜନ୍ମିତ ଅନିତା ଶୈଳବାଳା କଲେଜରୁ ବିଏ ପାସ୍ କରିଥିଲେ। ସେ ଥିଲେ ୬ ଭଉଣୀ ଓ ୨ ଭାଇଙ୍କ ମଧ୍ୟରେ ଚତୁର୍ଥ ସନ୍ତାନ। ଓଡ଼ିଶୀ ନୃତ୍ୟ ଶିକ୍ଷା କରିବା ପରେ ସେ ଅକ୍ଷୟ ମହାନ୍ତି, ହେମନ୍ତ ଦାସ, ବିଜୟ ମିଶ୍ରଙ୍କ ପରାମର୍ଶରେ ୧୯୭୫ରେ ପ୍ରଥମେ ଯାଯାବର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପରକୁ ପର କୃଷ୍ଣ ସୁଦାମା, ଭକ୍ତ ସାଲେବେଗ, ଏଇତ ଦୁନିଆ, ସ୍ୱପ୍ନ ସାଗର, ରାମାୟଣ, ଗଢି ଜାଣିଲେ ଘର ସୁନ୍ଦର, ମା ଓ ମମତା, ବନ୍ଧୁ ମହାନ୍ତି, ନାଗ ଫାସ, ତଅପୋଇ, ଶଙ୍ଖମହୁରି, ସଉତୁଣି, ମଥୁରା ବିଜୟ, ଅଲିଭା ଦାଗ, ତପସ୍ୟା, ରାମ ବଳରାମ, ପରିବାର, ପୁଅ ମୋର କଳା ଠାକୁର, ବାହୁଡିବେ ମୋ ଜଗାବଳିଆ, କି ହେବ ଶୁଆ ପୋଷିଲେ, ଅଗ୍ନୀ ପରୀକ୍ଷା, ଅଣ୍ଟି ଛୁରୀ ତଣ୍ଟି କାଟେ, ଲକ୍ଷ୍ମୀ ପ୍ରତିମା ଭଳି ଶହେରୁ ଅଧିକ ଫିଲ୍ଲରେ ଅଭିନୟ କରିଥିଲେ। ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ଅଭୟ। ଏହା ୨୦୧୭ରେ ରିଲିଜ୍ ହୋଇଥିଲା। ସେ ଅନେକ ଆଲବମ୍ ଓ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ। ଓଡ଼ିଆ ବ୍ୟତୀତ ବଙ୍ଗଳା, ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ। ସେ ୧୯୮୦ରେ ଚଳଚ୍ଚିତ୍ର ତପସ୍ୟା, ୧୯୮୩ରେ ଭକ୍ତ ସାଲବେଗ ଏବଂ ୧୯୮୭ରେ ଏଇତ ଦୁନିଆ ଫିଲ୍ମ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ପ୍ରାୟ କୋଡିଏରୁ ଅଧିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି।