ହାରିଗଲେ ହାକିମ ବାବୁ : ଅଜିତ ଦାସଙ୍କୁ ଛଡ଼ାଇନେଲା କରୋନା, ଚଳଚ୍ଚିତ୍ର ଜଗତ ସ୍ତବ୍ଧ; ଚଳଚ୍ଚିତ୍ରପ୍ରେମୀ ମ୍ରିୟମାଣ

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ‘ଯଦି ମୁଁ କହିପାରନ୍ତି ତାହେଲେ ବଞ୍ଚି ଯାଆନ୍ତି, ଯଦି ମୁଁ ବଞ୍ଚି ଥାଆନ୍ତି ତାହେଲେ କହିପାରନ୍ତି।’ ରୁପେଲି ପରଦାରେ ହାକିମ ବାବୁଙ୍କ ମୁହଁର ଏ ଅସହାୟ ସଂଳାପ ଶେଷରେ ସତ ହେଲା। ନା ସେ ବଞ୍ଚିଲେ, ନା ଶେଷ କଥା କହିପାରିଲେ। ‘ହାକିମ ବାବୁ’ ଚଳଚ୍ଚିତ୍ରରେ କାହ୍ନୁ ମାଝି ସାଜି ଚଳଚ୍ଚିତ୍ରପ୍ରେମୀଙ୍କ ମନ ଜିଣିଥିବା ବିଶିଷ୍ଟ ଅଭିନେତା ଅଜିତ ଦାସ(୭୧) ସବୁଦିନ ପାଇଁ ଜୀବନ ଯୁଦ୍ଧରେ ହାରିଗଲେ। କରୋନା ଆକ୍ରାନ୍ତ ହୋଇ ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଆଜି ଦିନ ୨ଟା ୨୬ମିନିଟ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ପରଲୋକ ଖବର ପ୍ରଚାର ହେବା କ୍ଷଣି ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ଦେଢ଼ମାସ ତଳେ ଅନ୍ତରଙ୍ଗ ବନ୍ଧୁ ମହାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗର ଦୁଃଖ ଏଯାଏ ମନରୁ ଯାଇ ନ ଥିବାବେଳେ ଆଜି ଅଜିତଙ୍କ ଏଭଳି ଆକସ୍ମିକ ବି‌ୟୋଗ ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କୁ ମ୍ରିୟମାଣ କରିଦେଇଛି। ଶ୍ରୀ ଦାସଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ନାଟ୍ୟ ଓ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପରିବାର ଲୋକଙ୍କ ସୂଚନା ମୁତାବକ, ଅଜିତ ଓ ତାଙ୍କ ପତ୍ନୀ ମାୟା କିଛି ମାସ ଆଗରୁ ମୁମ୍ବାଇରେ ରହୁଥିବା ବଡ଼ଝିଅ ରୂପାଙ୍କ ପାଖକୁ ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁଁ ପ୍ରାୟ ୪ ମାସ ଧରି ସେଠାରୁ ଫେରି ପାରି ନ ଥିଲେ। କଟକଣା କୋହଳ ହେବା ପରେ ଗଣେଶ ପୂଜା ପୂର୍ବରୁ ଭୁବନେଶ୍ବରସ୍ଥିତ ନିଜ ଘରକୁ ଫେରିଥିଲେ। ନିଜର କିଛି ଛାତ୍ରଛାତ୍ରୀଙ୍କ ସହ ଘରେ ଗଣେଶ ପୂଜା ବି ପାଳିଥିଲେ। କିଛି ଦିନ ପୂର୍ବରୁ ମା’ ଶତଦଳ ଦାସଙ୍କର ଶ୍ରାଦ୍ଧ ପକାଇଥିଲେ। ମା’ଙ୍କର ମୃତ୍ୟୁ ଓ ଗତବର୍ଷ ୩ ଭାଇଙ୍କ ମଧ୍ୟରୁ ସାନଭାଇ ସଞ୍ଜିତଙ୍କ ମୃତ୍ୟୁ ତାଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଦେଇଥିଲା। ତେ‌ବେ ଶ୍ରାଦ୍ଧ ପରଠୁ ଅଜିତ ଓ ମାୟାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ କ‌ରୋନା ପରୀକ୍ଷା କରିବା ପରେ ଉଭୟ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ମାୟା ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଗତକାଲି ଯାଏ ଅଜିତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିଲା। ଆଜି ହଠାତ୍‌ ତାଙ୍କର ରକ୍ତଚାପ ବଢ଼ିଯିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତେବେ ଡାକ୍ତରମାନଙ୍କ ସବୁ ଚେଷ୍ଟା ସତ୍ତ୍ବେ କରୋନା ତାଙ୍କୁ ଆମ ସମସ୍ତଙ୍କଠାରୁ ଛଡ଼ାଇ ନେଇଥିଲା।

୧୯୪୯ ମସିହା ଜାନୁଆରି ୨୦ ତାରିଖରେ ମୟୂରଭଂଜର କରଞ୍ଜିଆରେ ଶୈଳେଶ ଚନ୍ଦ୍ର ଦାସ ଓ ଶତଦଳ ଦାସଙ୍କଠୁ ଜନ୍ମ ନେଇଥିଲେ ଅଜିତ୍‌। ପିଲାବେଳୁ ବଡ଼ବାପା ସୁଧୀର ଚନ୍ଦ୍ର ଦାସଙ୍କ ନାଟ୍ୟ ଦଳରେ ନାଟୁଆମାନଙ୍କ ଅଭିନୟକୁ ନିରେଖି ଦେଖୁଦେଖୁ ‌ସେ ନାଟକ ପ୍ରେମରେ ପଡ଼ିଗଲେ। ବାପା ଶୈଳେଶ ଦାସ ଓକିଲ ଥିଲେ ବି ନାଟକରେ ଅଭିନୟ କରୁଥିଲେ। ତେଣୁ ଅଜିତଙ୍କ ରକ୍ତରେ ଅଭିନୟ ଥିଲା। ଖଜୁରୀ ସାଗର ସ୍କୁଲ୍‌ରେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ପ୍ରଥମ ନାଟକ ‘ଝରା ବଉଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ସମସ୍ତଙ୍କ ମନ ଜିଣିଲେ। କଲେଜରେ ମଧ୍ୟ ଅଭିନୟ ଧାରା ଜାରି ରହିଲା। ଥିଏଟରରେ ନାଟ୍ୟାଭିନୟ ଜାରି ରଖିଥିବା ବେଳେ ବିଜୟ ମହାନ୍ତି ତାଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି), ନୂଆଦିଲ୍ଲୀରୁ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ବଲିଉଡ୍‌ ଅଭିନେତା ରାଜ ବବ୍ବର ଓ ଅଜିତ ଭଚାନି ତାଙ୍କର ସହପାଠୀ ଥିଲେ। ପ୍ରଶିକ୍ଷଣ ଶେଷ ହେବା ପରେ ବମ୍ବେ ଯାଇ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିବେ ବୋଲି ଭାବିଥିଲେ ହେଁ ମନ ଓଡ଼ିଶାକୁ ଟାଣି ଆଣିଲା। ୧୯୭୬ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କଲେ। ଶେଷରେ ସେଠାରୁ ଅଧ୍ୟକ୍ଷ ଦାୟିତ୍ବ ସମ୍ପନ୍ନ କରି ଅବସର ନେଲେ।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଓ ଅଭିନେତା ଧୀର ବିଶ୍ବାଳ ତାଙ୍କୁ ୧୯୭୬ ମସିହାରେ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଅଭିନୟର ସୁଯୋଗ ଦେଲେ। ଏହାପରେ ସେ ଆଉ କିଛି ଚଳଚ୍ଚିତ୍ରରେ ଖଳନାୟକ ଭୂମିକା ନିଭାଇବା ପରେ ନାୟକ ସାଜିଲେ। ଶଙ୍ଖ ମହୁରୀ, ବଳିଦାନ, କୁଳଚନ୍ଦ୍ରମା, ଫୁଲ ଚନ୍ଦନ, ପରଝିଅ ଘର ଭାଙ୍ଗେନା, ସହରୀ ବାଘ, ତୁଣ୍ଡ ବାଇଦ, ଗୋଲାମ ଗିରି, ସୁନା ଚଢ଼େଇ, ରଜନୀଗନ୍ଧା, ଆମ ଘର ଆମ ସଂସାର, ମମତାର ଡୋରି, ପରଦେଶୀ ଚଢ଼େଇ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, ସ୍ତ୍ରୀ, ସରପଞ୍ଚ ବାବୁ, ଘର ମୋର ସ୍ବର୍ଗ, ଲକ୍ଷେ ଶିବ ପୂଜି ପାଇଛି ପୁଅ, କପାଳ ଲିଖନ, ଫୁଲ ଚନ୍ଦନ, ପର୍ଶୁରାମ, ଜଗା ହାତରେ ପଘା ଭଳି ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ମନ ଜିଣିଥିଲେ ଅଜିତ। ୨୦୧୦ ମସିହାରେ ନାଟ୍ୟ ନିର୍ଦେଶନା ପାଇଁ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ସହ ବହୁ ସମ୍ମାନର ଅଧିକାରୀ ହୋଇଥିଲେ।

ଚଳଚ୍ଚିତ୍ରରେ ଅଭିନୟ ସାଙ୍ଗକୁ ମଞ୍ଚ ଅଭିନୟ ଓ ନିର୍ଦ୍ଦେଶନାରେ ବି ସକ୍ରିୟ ଥିଲେ ଅଜିତ। ନିଜ ବରମୁଣ୍ଡା ହାଉସିଂବୋର୍ଡସ୍ଥିତ ଘରେ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଥିଏଟର’ (ଅଜିତ) ନାଟ୍ୟାନୁଷ୍ଠାନ ଗଢ଼ି ଏହା ଜରିଆରେ ଶହଶହ କଳାକାର ତିଆରି କରିଥିଲେ। ଏଥିସହ ଉଚ୍ଚ ମାନର ନାଟକ ଭେଟି ଦେଇଥିଲେ। ଗଜପତି କପିଳେନ୍ଦ୍ର ଦେବଙ୍କ ରଚିତ ସଂସ୍କୃତ ନାଟକ ପର୍ଶୁରାମ ବିଜୟ ସହ ଶାସ୍ତି, ତଟ ନିରଂଜନା, ଛ’ମାଣ ଆଠ ଗୁଣ୍ଠ, ବୁଢ଼ା ଶଙ୍ଖାରୀ, ଜୟଦେବ, ରେବତୀ, ମାମୁ, ମଲାଜହ୍ନକୁ ନାଟକ ରୂପ ଦେଇ ବେଶ୍‌ ଲୋକପ୍ରିୟତା ସାଉଁଟିଥିଲେ।

ସ୍ବର୍ଗତ ଦାସଙ୍କର ୩ ଝିଅ ମଧ୍ୟରୁ ୨ ଝିଅ ବା‌ହାରେ ଥିବାରୁ ଆସନ୍ତାକାଲି ଆସିବା ପରେ ପୂର୍ବାହ୍ନ ୧୧ଟାରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ଆସନ୍ତାକାଲି ତାଙ୍କୁ ଶ୍ମଶାନରେ ଗାର୍ଡ ଅଫ୍‌ ଅନର ମଧ୍ୟ ଦିଆଯିବ।

ସମ୍ବନ୍ଧିତ ଖବର