ଭୋଗରାଇ/ଜଳେଶ୍ୱର : ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ବର୍ଷୀୟାନ ରାଜନେତା ଓ ସୁଲେଖକ ଡ.କାର୍ତ୍ତିକେଶ୍ବର ପାତ୍ର(୮୧) ଆଉ ନାହାନ୍ତି। ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆଯାଉଥିବାବେଳେ ସୋମବାର ରାତି ପ୍ରାୟ ୧୧ଟା ୪୦ରେ ପାଣିକୋଇଲି ନିକଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ରାଜ୍ୟର ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ପରିଚିତ ଡ.ପାତ୍ରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ଭୋଗରାଇ ଏବଂ ସମଗ୍ର ବାଲେଶ୍ବର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଗତ ୩/୪ଦିନ ହେଲା ଜ୍ବରରେ ପୀଡ଼ିତ ହୋଇଥିବା ଡ.ପାତ୍ର ଗତକାଲି ତାଙ୍କର କରୋନା ପରୀକ୍ଷା କରାଇବାରୁ ପଜିଟିଭ୍ ଆସିଥିଲା। ସେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ ଏବଂ ସୁସ୍ଥ ମଧ୍ୟ ଅନୁଭବ କରୁଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ଅଚାନକ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ବର ଅଣାଯାଉଥିଲା। ସାଙ୍ଗରେ ପତ୍ନୀ ତଥା ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର ଏବଂ ଏକମାତ୍ର ପୁଅ ଦେବାଶିଷ ପାତ୍ର ମଧ୍ୟ ଥିଲେ। ତେବେ ପାଣିକୋଇଲି ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

publive-image

୧୯୪୧ ମସିହାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ସୁନ୍ଦରାଡ଼ି ଗାଁରେ ଜନ୍ମଲାଭ କରିଥିବା ଡ.ପାତ୍ର ତାଙ୍କ ମହେଶପୁରସ୍ଥିତ ଫାର୍ମହାଉସରେ ରହୁଥିଲେ। ଛାତ୍ରଜୀବନରେ ଜଣେ ମେଧାବୀ ଓ ସୃଜନଶୀଳ ଛାତ୍ର ଭାବେ ପରିଚିତ ଥିବା ଡ.ପାତ୍ର ଏମ୍‌ଏ ପାସ୍ କରିବା ପରେ ଶିକ୍ଷକତା ବୃତ୍ତିକୁ ଆଦରିଥିଲେ। ତେବେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସହିତ ଜଡ଼ିତ ଥିବ‌ାରୁ ସେ ପ୍ରଥମେ ଜନକଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୭ରେ ସେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳରେ ଯୋଗ ଦେଇ ୧୯୭୧ ମସିହାରେ ଭୋଗରାଇ ନିର୍ବାଚନ ମଣ୍ଡଳୀ‌ରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଶିଷ୍ଟ ସ୍ବାଧୀନତା‌ ସଂଗ୍ରାମୀ ତଥା ପ୍ରବୀଣ ପିଏସ୍‌ପି ନେତା ପ୍ୟାରିମୋହନ ଦାସଙ୍କୁ ହରାଇ ବିଜୟୀ ହୋଇଥିଲେ। ୧୯୭୪ରେ ସେ ବାଲେଶ୍ବର ଆଉ ଜଣେ ଟାଣୁଆ ପିଏସ୍‌ପି ନେତା ସମରେନ୍ଦ୍ର କୁଣ୍ଡୁଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ବିଧାନସଭାକୁ ଯାଇଥିଲେ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ୧୯୭୭‌ ନିର୍ବାଚନରେ ସେ କଂଗ୍ରେସ ଦଳରୁ ପୁନର୍ବ‌ାର ପ୍ରାର୍ଥୀ ହୋଇଥିଲେ ହେଁ ଜନତା ପାର୍ଟିର ପ୍ରାର୍ଥୀ ସୁଶାନ୍ତ ଚାନ୍ଦଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ତିନି ବର୍ଷ ନ ପୂରୁଣୁ ୧୯୮୦ରେ ସେ ସୁଶାନ୍ତ ଚାନ୍ଦକୁ ହରାଇ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ। ୧୯୮୫ ନିର୍ବାଚନରେ ତାଙ୍କ ବଦଳରେ ତାଙ୍କ ପତ୍ନୀ ଉମାରାଣୀ ପାତ୍ରଙ୍କୁ କଂଗ୍ରେସ ଟିକଟ ମିଳିଥିଲା ଏବଂ ସେ ତାଙ୍କୁ ନିର୍ବାଚନ ବୈତରଣୀ ପାରି କରାଇଥିଲେ। ୧୯୯୧ରେ ସେ ବାଲେଶ୍ବର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପୂର୍ବତନ ବୈଦେଶିକ ମନ୍ତ୍ରୀ ଜନତା ଦଳର ସମରେନ୍ଦ୍ର କୁଣ୍ଡୁଙ୍କୁ ପୁଣିଥରେ ପରାସ୍ତ କରିଥିଲେ। ରାଜ୍ୟ କଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ ଡ.ପାତ୍ର ଓଡ଼ିଶା ଖଦୀବୋଡ଼ ଏବଂ ଆଗ୍ରୋ ଇଣ୍ଡିଷ୍ଟ୍ରିଜ୍ କର୍ପୋରେସନ୍‌ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ଦଳୀୟ ଟିକଟରୁ ବଞ୍ଚିତ ହେବାରୁ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ବର ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାସ୍ତ ହୋଇଥିଲେ। ‌ଏହାପରଠାରୁ ସେ ସକ୍ରିୟ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ ମଧ୍ୟ ୨୦୧୯ ନିର୍ବାଚନ ବେଳେ କଂଗ୍ରେସକୁ ଫେରି ଆସିଥିଲେ।

କେବଳ ଜଣେ ରାଜନେତା ଭାବରେ ନୁହେଁ, ଜଣେ ସାହିତ୍ୟିକ ଭାବେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ନିରନ୍ତର ସାହିତ୍ୟ ସାଧନା ଜାରି ରଖିଥିବା କାରୁବାକୀ, ଇତିହାସର ଛାଇ, କଳିଙ୍ଗ କନ୍ୟା, ଆକାଶର ଆଖି, ସୁବର୍ଣ୍ଣ ଶାମୁକା, ଶତାବ୍ଦୀର ଶିକାର, ମମତାର ମୋତି, ବାହକ ବାହୁଡ଼ା, ଉତ୍କଳର ନୌବାଣିଜ୍ୟ, ନର୍କର ନାମ ଅମରାବତୀ, ସମ୍ରାଟ ଖାରବେଳ ଭଳି ୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ, ଐତିହାସିକ ଗବେଷଣାମୂଳକ ପୁସ୍ତକ ଓ ପ୍ରବନ୍ଧ ପୁସ୍ତକ ଲେଖି ସେ ସାରସ୍ବତ ମହଲରେ ସୁନା‌ମ ଅର୍ଜନ କରିଥିଲେ। ଶେଷ ଜୀବନ ପର୍ଯ୍ୟନ୍ତ ସମାଜସେବା ଓ ସାହିତ୍ୟ ସାଧନାରେ ବ୍ରତୀ ଥିବା ଡ.ପାତ୍ରଙ୍କର ଏଭଳି ଆକସ୍ମିକ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।