ସାଇବର ଠକଙ୍କ ପାଲରେ ପ୍ରାଣୀ ଚିକିତ୍ସକ, ଆକାଉଣ୍ଟରୁ ଉଠାଇ ନେଲେ ୯ ଲକ୍ଷ ୬୬ ହଜାର

ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପ୍ରାଣୀଧନ ସହକାରୀ ଚିକିତ୍ସକ ଡାକ୍ତର ଜିତାଂଶୁ ଶେଖର ମହାନ୍ତି ସାଇବର୍‌ ଠକଙ୍କ ଶିକାର ହୋଇଛନ୍ତି। ସାଇବର ଠକମାନେ ଶ୍ରୀ ମହାନ୍ତି ଏବଂ ତାଙ୍କ ପତ୍ନୀଙ୍କ ମିଳିତ ଜମାଖାତାରୁ ୯ଲକ୍ଷ ୬୬ ହଜାର ଟଙ୍କା ଉଠାଇ ନେଇଛନ୍ତି।

ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ାରେ ଏକ ଭଡ଼ା ଘରେ ରହି ତାଙ୍କ ଅଫିସ କାର୍ଯ୍ୟ କରନ୍ତି। ଭୁବନେଶ୍ବରରେ ତାଙ୍କର ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପତ୍ନୀ ସଙ୍ଗୀତା ସେଠାରେ ରହି ଦେଖାରଖା କରୁଛନ୍ତି। ସ୍ବାମୀ, ସ୍ତ୍ରୀଙ୍କ ନାମରେ କଟକ ମହାନଦୀ ବିହାର ବ୍ୟାଙ୍କ ଅଫ ଇଣ୍ତିଆ ଶାଖାରେ ଏକ ଯୁଗ୍ମ ବ୍ୟାଙ୍କ ଜମା ଖାତା ରହିଛି। ଉକ୍ତ ବ୍ୟାଙ୍କରୁ ଗୃହ ଋଣ କରି ଶ୍ରୀ ମହାନ୍ତି ଭୁବନେଶ୍ବରରେ ଘର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମୟରେ ଋଣ ଟଙ୍କା ତାଙ୍କ ଜମା ଖାତାକୁ ଆସିଥାଏ। ମାତ୍ର ଗତ ମାର୍ଚ୍ଚ ୧୩ ତାରିଖରେ ସଙ୍ଗୀତାଙ୍କ ଜମା ଖାତାରୁ ୧୦ ହଜାର ଟଙ୍କା ଉଠିଥିବା ନେଇ ମୋବାଇଲରେ ମେସେଜ୍‌ ଆସିଥିଲା। ଉଭୟ ପତି, ପତ୍ନୀ ଘରେ ଥିବାବେଳେ ଏବଂ ଜମାଖାତାରୁ ଟଙ୍କା ଉଠାଇ ନ ଥିବାବେଳେ କିପରି ଟଙ୍କା ଉଠିଲା ସେ ନେଇ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ପରେ ସଂପୃକ୍ତ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ବ୍ୟାଙ୍କ ଖାତାର ଏକ ମିନି ଷ୍ଟେଟମେଣ୍ଟ ବହାର କରିଥିଲେ। ସେଥିରୁ ଜଣାପଡିଲା ଯେ, ଏହି ଜମାଖାତାରୁ ପର୍ଯ୍ୟାୟ କ୍ରମେ କେହି ୯ ଲକ୍ଷ ୬୬ହଜାର ଟଙ୍କା ଉଠାଇ ନିଆଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ସାଇବର ଠକେଇ ହୋଇଥିବା ଜାଣିବା ପରେ ଦମ୍ପତି ପ୍ରଥମେ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ୧୦ ଲକ୍ଷ ଟଙ୍କାରୁ କମ୍‌ ପରିମାଣ ହୋଇଥିବାରୁ କଟକ ସାଇବର୍‌ ଥାନା ଏହି ମାମଲାକୁ କେନ୍ଦ୍ରାପଡା ଏସ୍‌ପିଙ୍କ ନିକଟକୁ ପଠାଇ ଦେଇଥିଲା।

ଶ୍ରୀ ମହାନ୍ତି କହିଛନ୍ତି, ଗତ ଡିସେମ୍ବର ମାସରୁ ପର୍ଯ୍ୟାୟକ୍ରମେ ତାଙ୍କ ଯୁଗ୍ମ ଖାତାରୁ ୫ ହଜାର, ୧୦ ହଜାର କରି ଦୁର୍ବୃତ୍ତମାନେ ଉଠାଇ ନେଇଛନ୍ତି। ମାତ୍ର ଟଙ୍କା ଉଠିବା ପରେ ତାଙ୍କ ମୋବାଇଲକୁ କୈାଣସି ମେସେଜ୍‌ ମଧ୍ୟ ଆସି ନ ଥିଲା। ଏପରିକି ତାଙ୍କୁ କୈାଣସି ଫୋନ କଲ୍‌ ଆସି ନ ଥିଲା କି କୈାଣସି ଓଟିପି ନମ୍ବର କେହି ମାଗି ନ ଥିଲେ। ତେବେ ଶେଷ ୧୦ ହଜାର ଟଙ୍କା ଉଠିବା ପରେ ସଙ୍ଗୀତାଙ୍କ ମୋବାଇଲକୁ ଏହି ମେସେଜ ଆସିଥିଲା ବୋଲି ସେ କହିଛନ୍ତି। ତାଙ୍କ ପାଖରେ ଏଟିଏମ କାର୍ଡ ଥିବା ବେଳେ ଜମାଖାତାରେ ଥିବା ଟଙ୍କାକୁ କିପରି ଦୁର୍ବୃତ୍ତମାନେ ଉଠାଇ ନେଲେ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ଜାଣି ପାରିଲେନି ତାହାକୁ ନେଇ ସେ ‌ସନ୍ଦେହ ପ୍ରକାଶ କରିଛନ୍ତି। ସେ ସଦର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ ମାମଲା(୧୬୬/୨୧)ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି। ବ୍ୟାଙ୍କ ଜମାଖାତାରେ କେଉଁ ସ୍ଥାନରୁ ଓ କେଉଁ ଏଟିଏମ୍‌ରୁ ଏହି ଟଙ୍କା ଉଠାଣ ହୋଇଛି ତାହାର କୌଣସି ସୂଚନା ନ ଥିଲେ ବି ଦିଲ୍ଲୀର କୌଣସି ଏକ ଏଟିଏମରୁ ଅଭିନବ ଉପାୟରେ ଦୁର୍ବୃ୍ତ୍ତମାନେ ଏହି ଟଙ୍କା ଉଠାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର