କରୋନା ଆଗ ଧାଡ଼ିର କର୍ମଚାରୀ ହେଲେ ପ୍ରାଣୀ ଚିକିତ୍ସକ, ଏସ୍‌ମା ଲାଗୁ କଲା ଗୃହ ବିଭାଗ

ଆଗଧାଡ଼ିର ଯୋଦ୍ଧା ତାଲିକାରେ ସାମିଲ୍‌ ହେଲେ ବ୍ୟାଙ୍କ, ବୀମା, ଜଙ୍ଗଲ ବିଭାଗ କର୍ମଚାରୀ

ଭୁବନେଶ୍ବର : ପ୍ରାଣୀ ଚିକିତ୍ସକମାନଙ୍କର ଆନ୍ଦୋଳନକୁ ନେଇ ସକାଳେ ଗୃହ ବିଭାଗ ଏସ୍‌ମା ଲାଗୁ କଲା। ସନ୍ଧ୍ୟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଭେଟେରିନାରୀ ସର୍ଭିସ ସଂଘର ପ୍ରତିନିଧିମାନେ ଆଲୋଚନା କଲେ। ସଂଘର ଦାବି ନେଇ ସରକାର ସକାରାତ୍ମକ ଦିଗରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ମିଳିଲା। ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ସଂଘ ସମୂହ ଛୁଟିରେ ଯିବା ନେଇ ସଂଘ ଚେତାବନୀ ଦେଇଥିଲା। କିନ୍ତୁ ମନ୍ତ୍ରୀ ଓ ସଚିବଙ୍କ ପ୍ରତିଶ୍ରୁତି ପରେ ସଂଘ ନିଜ ଜିଦରୁ ଓହରିଛି। ଆସନ୍ତାକାଲି ସଂଘର ସାଧାରଣ ପରିଷଦ ବୈଠକ ବସି ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖାଯିବ ବୋଲି ସଂଘ ସଭାପତି ସୂଚନା ଦେଇଛନ୍ତି।

ଗତ ଏପ୍ରିଲ ମାସରୁ ଓଡ଼ିଶା ଭେଟନାରି ସର୍ଭିସ ସଂଘ ସରକାରଙ୍କ ପାଖରେ ମୁଖ୍ୟତଃ କେତୋଟି ଦାବି କରିଆସୁଥିଲା। ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା। ସଂଘର ପ୍ରଥମ ଦାବି ଥିଲା ସେମାନଙ୍କୁ କରୋନା ଆଗ ଧାଡ଼ିର କର୍ମଚାରୀ ଭାବେ ଘୋଷଣା କରାଯାଉ। ଚାକିରିରେ ଯୋଗ ଦେବାବେଳୁ ସେମାନଙ୍କୁ ଜୁନିୟର କ୍ଲାସ୍‌ ଓ୍ବାନ୍‌ର ମାନ୍ୟତା ମିଳୁ। ଏହି ଦାବି ପୂରଣ ନେଇ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ବି ଫଳ ମିଳିଲାନାହିଁ। ତେଣୁ ଚଳିତ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବାକୁ ସଂଘ ଘୋଷଣା କଲା। କୋଭିଡ ସମୟରେ କୌଣସି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସରକାରୀ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ମହାମାରୀ ସମୟରେ ଗୋରୁଗାଈଙ୍କ ଚିକିତ୍ସା ପାଇଁ ସରକାର ପ୍ରାଣୀ ଚିକିତ୍ସକମାନଙ୍କୁ ଅତ୍ୟାବଶ୍ୟକ ସେବା ବର୍ଗରେ ସାମିଲ କରିଛନ୍ତି। ତେଣୁ ସେମାନଙ୍କ କାର୍ଯ୍ୟ ବନ୍ଦ କିମ୍ବା ସମୂହ ଛୁଟି ଘୋଷଣାକୁ ଗୃହ ବିଭାଗ ଏସ୍‌ମା ଆଇନ ଅନୁଯାୟୀ ଗୁରୁବାର ଅସିଦ୍ଧ ଘୋଷଣା କଲା। ଆସନ୍ତା ୬ ମାସ ପାଇଁ କୌଣସି ପ୍ରକାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଗଲା।

ତେବେ ସନ୍ଧ୍ୟାରେ ସଂଘର ପ୍ରତିନିଧିମାନେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଓ ବିଭାଗୀୟ ଶାସନ ସଚିବ ଆର୍‌.ରେଘୁପ୍ରସାଦଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନିୟର କ୍ଲାସ ଓ୍ବାନ୍‌ ଦାବି ନେଇ ଫାଇଲ ଅର୍ଥ ବିଭାଗକୁ ପଠାଯାଇଛି। କାର୍ଯ୍ୟଶୈଳୀ ନେଇ ଭେଟେରିନାରୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାଣୀ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାମରେ ସେମାନଙ୍କୁ ନିୟୋଜିତ ନ କରିବାକୁ ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକମାନେ ଆଗ ଧାଡ଼ିକର କରୋନା କର୍ମଚାରୀ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ସଂଘ ଏହି ଆନ୍ଦୋଳନରୁ ଓହରିବ ବୋଲି ଓଡ଼ିଶା ଭେଟେରିନାରୀ ସର୍ଭିସ ସଂଘ ସଭାପତି ଯଦୁନାଥ ପରିଡ଼ା କହିଛନ୍ତି ।

ଆଗଧାଡ଼ିର ଯୋଦ୍ଧା ତାଲିକାରେ ସାମିଲ୍‌ ହେଲେ ବ୍ୟାଙ୍କ, ବୀମା, ଜଙ୍ଗଲ ବିଭାଗ କର୍ମଚାରୀ
ଭୁବନେଶ୍ବର : ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବା ପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ଆଜି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସମସ୍ତ ମହାନଗର ନିଗମ କମିସନର ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜଙ୍ଗଲ ବିଭାଗ ଅଧିକାରୀ ଓ ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନିର କର୍ମଚାରୀ, ଏନ୍‌ସିପିଆଇ, ଅପ‌ରେଟର୍‌, ଭେଣ୍ଡର, ଟଙ୍କା ନେଣଦେଣ କରୁଥିବା ସଂସ୍ଥାର କର୍ମଚାରୀ, ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀ, ଗ୍ରାହକ ସେବା ଅଧିକାରୀ, ରେଳ କର୍ମଚାରୀ, ଡିସିପିୟୁ କର୍ମଚାରୀ, ଚାଇଲ୍ଡ ଲାଇନ୍ କର୍ମଚାରୀ, ୧୮୧ ହେଲ୍‌ପଲାଇନ୍ କର୍ମଚାରୀ, ଶିଶୁ ଯତ୍ନ ପ୍ରତିଷ୍ଠାନ, ଅକ୍ସିଜେନ୍ ପ୍ଲାଣ୍ଟ କର୍ମଚାରୀ, ଫିଲିଂ ଷ୍ଟେସନ କର୍ମଚାରୀଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। ଏହି କର୍ମଚାରୀମାନଙ୍କୁ ଆଗଧାଡ଼ିର କର୍ମୀ ଘୋଷଣା କରାଯାଇଥିଲେ ହେଁ ଅଧିକ ଟିକା ମହଜୁଦ୍ ହେଲେ ଯାଇ ସେମାନଙ୍କୁ ଟିକା ପ୍ରଦାନ କରାଯିବ। ଏବେ ପ୍ରଥମେ ଦ୍ବିତୀୟ ଡୋଜ୍ ନେବାକୁ ଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ।

ସମ୍ବନ୍ଧିତ ଖବର