ଭୁବନେଶ୍ବର : ପ୍ରାଣୀ ଚିକିତ୍ସାେର ନିୟୋଜିତ ବୈଷୟିକମାନଙ୍କ ସମସ୍ୟା ସମ୍ବଳିତ ଯେଉଁ ୫ଦଫା ଦାବି ଉପସ୍ଥାପିତ କରାଯାଇଥିଲା, ତାହାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି। ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଏନେଇ କ୍ଷୋଭ ପ୍ରକାଶ କରିଛି। ଯଦି ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ଦିଆନଯାଏ , ତେବେ ଆଗାମୀଦିନରେ ପଞ୍ଚାୟତ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ସଂଘର ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ପୌରୋହିତ୍ୟରେ ଆଜି ସଂଘର ଏକ ଜରୁରୀକାଳୀନ ବୈଠକ ବସିଥିଲା। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ, ଯେଉଁଥିରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲେ। ଏହି ୫ ଦାବି ମଧ୍ୟରୁ ଗୋଟିଏ ହେଉଛି ଦରମାରେ ଅସଙ୍ଗତି। ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ସମାନ ପଦବିରେ ଅବସ୍ଥାପିତ କର୍ମଚାରୀଙ୍କୁ ମୂଳ ଦରମା ୨୯,୨୦୦ ଟଙ୍କା ତଥା ହରିୟାନା ଓ ଉତ୍ତରାଖଣ୍ଡରେ ମୂଳ ଦରମା ୩୫,୪୦୦ ଟଙ୍କା ଦିଆଯାଉଥିବାବେଳେ ସେମାନଙ୍କୁ ଦିଆଯାଉଛି ୨୧,୭୦୦ ଟଙ୍କା। ପ୍ରାଣୀଧନ ନିରୀକ୍ଷକଙ୍କ କ୍ଷେତ୍ରରେ ଦରମା ୨୦୧୬ ମସିହା ଜାନୁଆରି ୧ରୁ ଲାଗୁ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା।
ଅନ୍ୟଦାବି ଗୁଡ଼ିକ ମଧ୍ୟରେ, ପ୍ରଚଳିତ ଡିପ୍ଲୋମା ପାଠ୍ୟକ୍ରମର ନାମକରଣ ସହିତ ମଧ୍ୟପ୍ରଦେଶ ରାଜ୍ୟ ପରି କାର୍ଯ୍ୟରତ ସମସ୍ତ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଅଭିଜ୍ଞତା ଭିତରେ ଡିପ୍ଲୋମା ପ୍ରଦାନ କରାଯିବା, ୩୦ ବର୍ଷ ଚାକିରି କରି ମଧ୍ୟ ବିନା ପଦୋନ୍ନତିରେ ବହୁ ପ୍ରାଣୀଧନ ନିରୀକ୍ଷକ ଅବସର ନେଉଥିବା ବେଳେ ଛଅ ଦଶନ୍ଧିଧରି କରାଯାଉନଥିବା କ୍ୟାଡର୍ ରୁଲ୍କୁ ପୁନର୍ଗଠନ କରିବା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଚୁକ୍ତିଭିତ୍ତିକ ପ୍ରାଣୀଧନ ନିରୀକ୍ଷକମାନଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଏମ୍ଏସିପି କ୍ଷେତ୍ରରେ ନିୟମିତ ଭାବେ ଚାକିରି କାଳରେ ଗଣନା କରିବା ଅନ୍ତର୍ଭୁକ୍ତ।
ଏହି ଦାବି ପୂରଣ ନହେଲେ ଆଗାମୀଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଏବଂ ଏହାପୂର୍ବରୁ ଆସନ୍ତା ୧୦ ତାରିଖରୁ କଳାବ୍ୟାଜ୍ ପରିଧାନ କରିବେ ସଂଘର ସଭାପତି ଶ୍ରୀ ରଣା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି।