କଟକ/ବାରିପଦା/ସୁନ୍ଦରଗଡ଼: ବିଭିନ୍ନ ଦାବି ନେଇ ପ୍ରାଣୀଚିକିତ୍ସକମାନେ ୨୩ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ସାରା ରାଜ୍ୟରେ ତାତିଲେଣି ପଶୁପାଳକ ଓ ପଶୁପ୍ରେମୀ। ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ଓ ପ୍ରତିବାଦ ହୋଇଛି। କେଉଁଠି ମଲା କୁକୁଡା ରଖି ତ କେଉଁଠି ଆହତ ବାଛୁରୀକୁ ରଖି ଆନ୍ଦୋଳନକାରୀ ଚିକିତ୍ସା ସେବା ଦାବି କରିଛନ୍ତି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଷା କୁକୁର ଓ ମୃତ କୁକୁଡାଙ୍କୁ ଧରି ପଶୁପାଳକ ଓ ପଶୁପ୍ରେମୀମାନେ ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା​ ସହ କାର୍ଯ୍ୟାଳୟକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ କଥା କଟାକଟି ହୋଇଥିଲା। ପଶୁ-ପକ୍ଷୀଙ୍କୁ ଚିକିତ୍ସା ମିଳୁ ନ ଥିବା ବେଳେ ବୀମା ସୁବିଧା ପାଇଁ ଆବଶ୍ୟକ କାଗଜପତ୍ର କାମ ମଧ୍ୟ ଅଟକି ରହୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ସେମାନେ ପ୍ରଶ୍ନ କରିଥିଲେ ଯେ, ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ କେମିତି ନିଜ ଗାଈ, ଗୋରୁ, ପୋଷାକୁକୁରଙ୍କ ଚିକିତ୍ସା ପାଇବେ? ଚିକିତ୍ସା ନପାଇ ମରିଯାଇଥିବା କୁକୁଡ଼ା, ବୀମାଭୁକ୍ତ ଗାଈ, ଛେଳି, ମେଣ୍ଢାଙ୍କ ବ୍ୟବଚ୍ଛେଦ ହୋଇ ପାରି ନାହିଁ। ଫଳରେ, ବୀମାରାଶି କେମିତି ପାଇବେ ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ଆନ୍ଦୋଳନରେ ‘କେଭ୍‌ ଫର୍‌ ଆନିମଲ୍‌ ଫାଉଣ୍ଡେସନ୍‌’ର ସୌମ୍ୟରଞ୍ଜନ ମହାନ୍ତି, ସଞ୍ଜୟ ମୁଦୁଲି, ପି. ବେହେରା, ଜ୍ଞାନରଞ୍ଜନ ଦାଶ, ଅଶ୍ବିନୀ ନାୟକ, ସୁବ୍ରତ ବାରିକ ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ପଶୁପ୍ରେମୀ ଓ ଚାଷୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଟକ ଜିଲ୍ଲାର ୫୩ ଜଣ ପ୍ରାଣୀ ଚିକିତ୍ସକ ଓ ଅଧିକାରୀ ସମୂହ ଛୁଟିରେ ରହିଛନ୍ତି। ଏହି କାରଣରୁ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

Advertisment

ପୋଷା କୁକୁର, ମଲା କୁକୁଡା ଧରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଲା କୁକୁଡ଼ା ରଖି ପ୍ରତିବାଦ
ଆହତ ବାଛୁରିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ରଖି ସୁନ୍ଦରଗଡ଼ରେ କାଲିଠୁ ପ୍ରତିବାଦ

ସେହିପରି ମୟୂରଭଞ୍ଜର ଜିଲ୍ଲାର ୮୩ ଜଣ ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଚିକିତ୍ସା ଅଭାବରୁ ଗାଈ, ଛେଳି, କୁକୁଡ଼ା ଆଦି ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଧାରା ଲାଗିରହିଛି। ଗତ ୭ ତାରିଖ ଦିନ ମଲା ଗାଈ ଧରି ଦୁଇଜଣ ମହିଳା ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ। ଅନୁରୂପ ଭାବେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଶତାଧିକ ମହିଳା ମଲା କୁକୁଡ଼ା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଠୁଳ କରିବା ସହ କ୍ଷତିପୂରଣ ମାଗିଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁଁ ଚିକିତ୍ସା ବିନା କୁକୁଡ଼ାମାନେ ମରିଯାଉଛନ୍ତି ବୋଲି ମମତା ଜେନା ଓ ଦୀପ୍ତିମୟୀ ମଲ୍ଲିକ ଅଭିଯୋଗ ଆଣିଛନ୍ତି। ଆଜିର ଏହି ଅଭିନବ ପ୍ରତିବାଦ ଯୋଗୁଁ ପ୍ରାୟ ୩ ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ମଲା କୁକୁଡ଼ା ଧରି ଫେରିଯାଇଥିଲେ।

୮ ତାରିଖରୁ ଦୁର୍ଘଟଣାରେ ଗୁରୁତର ଆହତ ବାଛୁରୀକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ରଖି ସୁନ୍ଦରଗଡ଼ର କିଛି ଯୁବକ ପ୍ରତିବାଦ ଜଣାଇଛନ୍ତି। ସ୍ଥାନୀୟ ରାଣୀବଗିଚା ବାଇପାସ୍‌ ରାସ୍ତାରେ ଦୁର୍ଘଟଣାରେ ଆହତ ବାଛୁରୀକୁ ନେଇ ସ୍ବେଚ୍ଛାସେବୀ ସୁମନ୍ତ ମହାପାତ୍ର, ଅଶୋକ ସାହୁଙ୍କ ସ‌ମେତ କିଛି ଯୁବକ ନିକଟସ୍ଥ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଯାଇଥିଲେ। କିନ୍ତୁ ପ୍ରାଣୀ ଚିକିତ୍ସକମାନେ ସମୂହଛୁଟିରେ ଥିବାରୁ ସେଠାରେ ବାଛୁରୀର ଚିକିତ୍ସା ହୋଇପାରିନଥିଲା। ଶେଷକୁ ଯୁବକମାନେ ବାଛୁରୀକୁ ଜିଲ୍ଲାପାଳଙ୍କ କା‌ର୍ଯ୍ୟାଳୟକୁ ନେଇ ଆସି ତୁରନ୍ତ ଚିକିତ୍ସା ଦାବି କରିଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ବସନ୍ତ ଧଳ ଜିଲ୍ଲାପାଳଙ୍କ କା‌ର୍ଯ୍ୟାଳୟକୁ ଆସି ଚିକିତ୍ସା କରିଥିଲେ ମଧ୍ୟ ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ଆବଶ୍ୟକ କହି ନିଜ ଅସହାୟତା ପ୍ରକାଶ କରିଥିଲେ। ଶୁକ୍ରବାର ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ପୌରନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ ପ୍ରମୁଖ ଆସି ବାଛୁରୀକୁ ରାଜଗାଙ୍ଗପୁର ଗୋଶାଳାକୁ ସ୍ଥାନାନ୍ତର କରିଥିଲେ। ଜିଲ୍ଲାରେ ଏବେ କୁକୁଡ଼ାମଡ଼କ ଆରମ୍ଭ ହୋଇଯାଇଛି। ୨ ସପ୍ତାହ ମଧ୍ୟରେ ଅଜଣାରୋଗରେ ୭ ହଜାରରୁ ଅଧିକ କୁକୁଡ଼ା ମରିଥିବା କୁହାଯାଉଛି। ଛତିଶଗଡ଼ ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ଗତବର୍ଷ ଡିସେମ୍ବରରେ ବାର୍ଡଫ୍ଲୁ ରୋଗ ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀସମ୍ପଦ ବିଭାଗ ସୀମାବର୍ତ୍ତୀ ଅଞ୍ଚଳର କୁକୁଡ଼ାଫାର୍ମରୁ ସେରମ ନମୁନା, ଶ୍ବାସନଳୀ ଓ ମଳଦ୍ବାରରୁ ସ୍ବାବ୍‌ ସଂଗ୍ରହ କରି ରାଜ୍ୟ ପ୍ରାଣୀରୋଗ ନିଦାନକେନ୍ଦ୍ରକୁ ପଠାଇଥିଲେ। ତା’ର ରିପୋର୍ଟ ଆସି ନଥିବା ବେଳେ ଏବେ କୁକୁଡ଼ାମଡ଼କ କୃଷକମାନଙ୍କୁ ଚିନ୍ତାରେ ପକାଇଛି।