ପ୍ରାଣୀଧନ ନିରୀକ୍ଷକଙ୍କ ଧାରଣା ଆରମ୍ଭ

ସାରା ରାଜ୍ୟରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଚଳ

ଭୁବନେଶ୍ୱର : ଗ୍ରେଡ୍‌ ପେ’ରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ହେଉଥିବା ପାତର ଅନ୍ତର ଅଭିଯୋଗରେ ଆଜିଠାରୁ ରାଜ୍ୟ ପ୍ରାଣୀଧନ ନିରୀକ୍ଷକମାନେ ରାଜଧାନୀରେ ଧାରଣା ଆରମ୍ଭ କରିଛନ୍ତି। ଏହାଫଳରେ ରାଜ୍ୟରେ ଥିବା ପ୍ରାଣୀ ଚିକିତ୍ସାସେବା ଏକପ୍ରକାର ଅଚଳ ହୋଇଯାଇଛି।

ଧାରଣାରତ କର୍ମଚାରୀଙ୍କ କହିବାନୁଯାୟୀ, ବର୍ଷବ୍ୟାପୀ ନିରୀକ୍ଷକମାନେ ୨୪ଘଣ୍ଟିଆ ସେବା ଯୋଗାଉଥିବା ବେଳେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ନିଯୁକ୍ତ ସହାୟକଙ୍କଠାରୁ କମ୍‌ ଦରମା ପାଉଛନ୍ତି। ଦୀର୍ଘଦିନ ଚାକିରି ପରେ ମଧ୍ୟ ସେମାନଙ୍କ ଗ୍ରେଡ୍‌ ପେ’ ୨ହଜାର ଟଙ୍କା ରହିଛି। ସରକାରଙ୍କ ପକ୍ଷରୁ ତାଙ୍କୁ ତୃତୀୟ ଶ୍ରେଣୀ କର୍ମଚାରୀର ମାନ୍ୟତା ଦିଆଯାଇଥିବା ବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ପାଉଛନ୍ତି। ଦେଶର ୧୨ଟି ରାଜ୍ୟରେ ପ୍ରାଣୀଧନ ନିରୀକ୍ଷକମାନେ ୨୮ଶହ ଟଙ୍କାର ଗ୍ରେଡ୍‌ ପେ’ ପାଉଥିବା ବେଳେ ଓଡ଼ିଶାରେ ପାତରଅନ୍ତର କରାଯାଉଛି। +୨ ବିଜ୍ଞାନ ପରେ ପଶୁ ଚିକିତ୍ସା ବିଜ୍ଞାନରେ ୨ବର୍ଷୀୟା ପାଠ ପଢ଼ିବା ପରେ ପଶୁଧନ ନିରୀକ୍ଷକଭାବେ ନିଯୁକ୍ତି ଦିଆଯାଉଥିଲେ ହେଁ ଠିକା କର୍ମଚାରୀଙ୍କ ଭଳି ନିୟମିତ ହେବା ପାଇଁ ୬ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ପ୍ରାଣୀଧନ ନିରୀକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି।

ପ୍ରାଣୀଧନ ଚିକିତ୍ସା ପାଇଁ ରାଜ୍ୟରେ ୨୯୨୯ଟି ପଶୁ ଡାକ୍ତରଖାନା ରହିଛି। ଏହି ଡାକ୍ତରଖାନାଗୁଡ଼ିକରେ ସେବା ଯୋଗାଇବା ଦାୟିତ୍ୱ ରହିଛି ପ୍ରାଣୀଧନ ନିରୀକ୍ଷକଙ୍କର। ରାଜ୍ୟରେ ଏଥିପାଇଁ ୩୪୩୮ଟି ପ୍ରାଣୀଧନ ନିରୀକ୍ଷକ ପଦବି ରହିଥିବା ବେଳେ ୨୬୬୨ଜଣ କାର୍ଯ୍ୟରତ ଅଛନ୍ତି। ୧୮୭ଟି ପଦବି ଖାଲି ପଡ଼ିଛି। ଏହାସହ କାର୍ଯ୍ୟରତ ଅନେକ କର୍ମଚାରୀ ବିଭିନ୍ନ ପରୀକ୍ଷାଗାରରେ ନିଯୁକ୍ତ ହୋଇଥିବା ବେଳେ ଜଣେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ୩/୪ଟି ପଶୁ ଚିକିତ୍ସା କେନ୍ଦ୍ରର ଦାୟିତ୍ୱ ଦିଆଯାଇଛି। ନେିଯୁକ୍ତ ହୋଇଥିବା ୨୬୬୨ଜଣ ପ୍ରାଣୀଧନ ନିରୀକ୍ଷକଙ୍କ ମଧ୍ୟରୁ ୬୧୨ଜଣ ଠିକାରେ କାମ କରୁଛନ୍ତି। ଧାରଣାରେ ପ୍ରାୟ ୨ହଜାର ପ୍ରାଣୀଧନ ନିରୀକ୍ଷକ ସାମିଲ ହୋଇଥିବା ସଂଘର ସଂଗଠନର କର୍ମକର୍ତା ଶୁଭେନ୍ଦୁ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର