ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର : ୪୦ ଏଲ୍‌ଆଇଙ୍କ ଜାଗାରେ ୧୧

କାମାକ୍ଷାନଗର : ପ୍ରାଣୀ ଚିକିତ୍ସା ସେବାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ କର୍ମଚାରୀ ଅଭାବ ଯୋଜନାକୁ ଆଗକୁ ବଢାଇ ପାରୁନାହିଁ। ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁନି। ଏପରି ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ। ଏଠି ପ୍ରାଣୀ ଚିକିତ୍ସା ବିଭାଗ ଭଗବାନଙ୍କ ଭରସାରେ ଚାଲୁଛି। କାମାକ୍ଷାନଗର ଉପଖଣ୍ଡ ୪ଟି ବ୍ଲକ ଅଧୀନରେ ୪୦ ଏଲଆଇଙ୍କ ସ୍ଥାନରେ ମାତ୍ର ୧୧ଜଣ କାମ କରୁଛନ୍ତି। କର୍ମଚାରୀ ଅଭାବରୁ ଏଠାରେ ପ୍ରାଣୀ ଚିକିତ୍ସା ‌ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପଦବି ଖାଲି ପଡ଼ିଥିବାରୁ କେତେକ ସେଣ୍ଟରରେ ଏବେ ତାଲା ଝୁଲୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବି ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ଏଲ୍‌ଆଇମାନେ ଗ୍ରାମାଞ୍ଚଳରେ ପ୍ରାଥମିକ ଚିକିତ୍ସାଠାରୁ ଆରମ୍ଭ କରି ଟୀକାକରଣ, କୁତ୍ରିମ ପ୍ରଜନନ ସାଙ୍ଗକୁ ଅନ୍ୟାନ୍ୟ ସରକାରୀ କାମରେ ନିୟୋଜିତ ହୋଇଥାନ୍ତି। ହେଲେ, କାମାକ୍ଷାନଗର ଉପଖଣ୍ଡରେ ଏଲଆଇଙ୍କ ଅଭାବ ନାନା ସମସ୍ୟା ସୃଷ୍ଟି କରୁଛି। ୪ଟି ବ୍ଲକ ଅଧୀନରେ ୪୦ ଜଣ ଏଲଆଇ ରହିବା କଥା। ହେଲେ, ଏଠାରେ କାମ କରୁଛନ୍ତି ମାତ୍ର ୧୧ଜଣ। ୨୦୨୧ରେ ଏମାନଙ୍କ ମଧ୍ୟରୁ ୩ ଜଣ ଅବସର ନେବେ ବୋଲି ସୂଚନା ମିଳିଛି। ଭୁବନ ବ୍ଲକରେ ୯ଜଣଙ୍କ ସ୍ଥ‌ାନରେ ୨ଜଣ ଏଲଆଇ ଥିବା ବେଳେ କାମାକ୍ଷାନଗର ବ୍ଲକରେ ୧୦ରୁ ୩ , କଙ୍କଡାହାଡ଼ ବ୍ଲକରେ ୧୨ ସ୍ଥାନରେ ୩ ଓ ପରଜଙ୍ଗ ବ୍ଲକରେ ୯ ବଦଳରେ ୩ ଜଣ ଅଛନ୍ତି। ପଦବି ଖାଲି ପଡ଼ିଥିବାରୁ ଜଣେ ଏଲଆଇଙ୍କୁ ୩ରୁ ୪ଟି ସେଣ୍ଟର ଦାୟିତ୍ବ ତୁଲାଇବାକୁ ପଡ଼ୁଛି। ଗୋଟିଏ ସେଣ୍ଟର ଉପରେ ୩ରୁ ୪ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ଏଠାରେ କାର୍ଯ୍ୟରତ ଏଲଆଇମାନେ ଅତ୍ୟଧିକ କାର୍ଯ୍ୟଭାରରେ ଭାରକ୍ରାନ୍ତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଅଧିକାଂଶ ସେଣ୍ଟରରେ ତାଲା ପଡ଼ିଛି ତ ଆଉ କେତେକ ସେଣ୍ଟରରେ ଗଛ ଉଠି ଜଙ୍ଗଲ ପାଲଟି ଗଲାଣି।

ଉଲ୍ଲେଖ ଥାଉକି, ଏବେ ଜିଲ୍ଲାରେ ୧୦ ଜଣ ଏଲଆଇ ତାଲିମ ନେଇ ସାରିଛନ୍ତି। କିନ୍ତୁ କୋଭିଡ ପାଇଁ ନିଯୁକ୍ତି ହୋଇ ପାରୁନାହିଁ। ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଜଗନ୍ନାଥ ନନ୍ଦଙ୍କୁ ପଚାରିବାରୁ କର୍ମଚାରୀ କମ ଥିବାରୁ ଅସୁବିଧା ହେଉଛି। ତଥାପି କାମାକ୍ଷାନଗର ଉପଖଣ୍ଡରେ ୨୦ ଜଣ ଗୋମିତ୍ର କାମ କରୁଛନ୍ତି । ବାକି ଯେଉଁ ୧୦ ଜଣ ତାଲିମ ନେଇଛନ୍ତି ସେମାନେ ଜାନୁଆରିରେ କାର୍ଯ୍ୟରେ ଯୋଗଦେବେ। ଏସବୁ ସମସ୍ୟା ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର