ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଅ, କେତେ ଦିନ ପଡ଼ୋଶୀଙ୍କ ଉପରେ ନିର୍ଭର କରିବା
ଭୁବନେଶ୍ବର : କେବଳ ଚାଉଳରେ ଆମେ ବଳକା ରାଜ୍ୟ। ଆଉ ସବୁ ଖାଦ୍ୟଶସ୍ୟରେ ଚାହିଦାକୁ ଚାହିଁ ଉତ୍ପାଦନ ନାହିଁ। ଆଳୁ, ଗହମ ଠାରୁ ଆରମ୍ଭ କରି ପନିପରିବା, ମାଛ, ଅଣ୍ଡା ଯାଏ ସବୁ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। କେତେ ଦିନ ଆଉ ଏମିତି ପର ଉପରେ ନିର୍ଭର କରିବା? ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଇବାକୁ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏହି ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପରାମର୍ଶ ବି ଦେଇଥିଲେ, ଯେଉଁଠି ଯେଉଁ ସାମଗ୍ରୀ ଉତ୍ପାଦନ ଅଧିକ ହେଉଛି, ସେଠାରେ ସେହି ସାମଗ୍ରୀ ପାଇଁ ଶୀତଳ ଭଣ୍ଡାର ଖୋଲାଯାଉ। ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଉ। ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉ। ସରକାର ଆନ୍ତରିକତାର ସହ ଉଦ୍ୟମ କରନ୍ତୁ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଖାଉଟି ସାମଗ୍ରୀର ଉତ୍ପାଦନ, ବାର୍ଷିକ ଚାହିଦା, ଅନ୍ୟ ରାଜ୍ୟରୁ ଆମଦାନୀ ଓ ଦର ନିର୍ଦ୍ଧାରଣ ସମ୍ପର୍କରେ ମୂଳ ପ୍ରଶ୍ନ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତରରେ କହିଥିଲେ, ଓଡ଼ିଶା ଏକ ଖାଉଟି ରାଜ୍ୟ ଅଟେ। ଚାଉଳ ବାଦ୍ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯଥା ଗହମ, ଡାଲି, ଖାଇବା ତେଲ, ଆଳୁ, ପିଆଜ ଓ ଚିନି ଇତ୍ୟାଦି ପାଇଁ ଏହା ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଉପରେ ନିର୍ଭର କରିଥାଏ। ରାଜ୍ୟ ବାହାରୁ ଆମଦାନୀ କରାଯାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ଯଦିଓ ରାଜ୍ୟ ସରକାର ନିର୍ଦ୍ଧାରଣ କରି ନ ଥା’ନ୍ତି, ତେବେ ତିରୋଟ ସମୟରେ ଏହାକୁ ନିୟନ୍ତ୍ରଣ କରିଥାଆନ୍ତି।
ଅମର ଶତପଥୀ, ସୁରେଶ ରାଉତରାୟ, ପ୍ରଦୀପ ମହାରଥୀ, ସୁବାସ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।