ପୁଣି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ କଥା ଉଠାଇଲା ଭିଏଚ୍‌ପି

ସିବିଆଇ ତଦନ୍ତ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର : ୧୦ ବର୍ଷ ପରେ ପୁଣି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭତ୍ସନା କରାଯାଇଛି। ଏଥିସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି। ନ ହେଲେ ଆନ୍ଦୋଳନ କରାଯିବ ବୋଲି ଭିଏଚ୍‌ପିର କେନ୍ଦ୍ରୀୟ ପ୍ରନ୍ୟାସୀ ମଣ୍ଡଳ ଏବଂ ପ୍ରବନ୍ଧ ସମିତିର ମିଳିତ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି।

ଭୁବନେଶ୍ୱରରେ ଚାଲିଥିବା ଅଧିବେଶନର ଦ୍ୱିତୀୟ ଦିବସରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ଉପରେ ଆଲୋଚନା ହୋଇଥିଲା। ଅଧିବେଶନ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଜୈନ କହିଲେ, ପୂଜ୍ୟ ଲକ୍ଷ୍ମଣାନନ୍ଦ ଓଡ଼ିଶାର ବନବାସୀ ସମ୍ପ୍ରଦାୟଙ୍କ ସଂସ୍କୃତି, ଗାରିମା, ଧର୍ମ ଓ ସଂସ୍କାରର ସଂରକ୍ଷକ ଥିଲେ। ୨୦୦୮ରେ ତାଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଇତିମଧ୍ୟରେ ୧୦ ବର୍ଷ ବିତିଥିଲେ ମଧ୍ୟ ହତ୍ୟାକାରୀ ଖୁଲ୍‌ମଖୁଲା ବୁଲୁଛନ୍ତି। ସେମାନଙ୍କୁ ଗିରଫ କରି ଦଣ୍ଡବିଧାନ କରିବା ବଦଳରେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ପରେ ଯେଉଁମାନେ ପ୍ରତିବାଦ କରିଥିଲେ ସେମାନଙ୍କ ନାଁରେ ମାମଲା କରାଯାଇଛି। ଘଟଣାର ତଦନ୍ତ ଲାଗି ପାଣିଗ୍ରାହୀ ଓ ନାଇଡୁ କମିସନ ଗଠନ ହୋଇଥିଲେ ତାହାର ରିପୋର୍ଟକୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି। ବରଂ ହତ୍ୟାକରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିଛି। ତେଣୁ ସିବିଆଇ ଦ୍ୱାରା ଘଟଣାର ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ। ଯେଉଁମାନଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ହୋଇଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ତଦନ୍ତ ଲାଗି ଗଠିତ ହୋଇଥିବା ଦୁଇଟି ଯାକ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।

ଧର୍ମାନ୍ତରୀକରଣ ନେଇ ମଧ୍ୟ ଅଧିବେଶନରେ ଆଲୋଚନା ହୋଇଛି। ସୁନ୍ଦରଗଡ଼, ଗଜପତି ଏବଂ କନ୍ଧମାଳ ପରି ଜିଲ୍ଲାରେ ଧର୍ମାନ୍ତରୀକରଣ ବଢ଼ିଛି। ଖ୍ରୀଷ୍ଟିଆନ ମିସନାରିଙ୍କୁ ରାଜ୍ୟ ସରକାର ସମର୍ଥନ କରୁଛନ୍ତି। ଯାହାର ଉଦାହରଣ ଭୁବନେଶ୍ୱରରେ ଅଭିମନ୍ୟୁ ସାମନ୍ତସିଂହାର ରାସ୍ତାର ନାମକୁ ପରିବର୍ତନ କରାଯାଇ ମଦର ଟେରେସାଙ୍କ ନାଁରେ କରାଗଲା। ସୁଲଭ ଶୌଚାଳୟ ନିର୍ମାଣ ଲାଗି ମିସନାରିଙ୍କ ଦ୍ୱାରା ପରିଚାଳିତ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମରୁ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ଜୈନ କହିଛନ୍ତି। ଏହି ସମ୍ପାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ, ମାର୍ଗଦର୍ଶକ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର