ବ୍ରହ୍ମପୁର: ପୂର୍ବ ଶତ୍ରୁତା ଓ କମେଣ୍ଟ୍‌ମରାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳରେ ରବିବାର ସକାଳେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଦୁଇଭାଇଙ୍କୁ ପିଟି ପିଟି ହତ୍ୟା କରିବା ପରେ ସେମାନଙ୍କ ଶବକୁ ଏକ ପାଳଗଦାରେ ରଖି ଜାଳିଦେଇଛନ୍ତି। ମୃତକଦ୍ବୟ ହେଲେ ବେଗୁନିଆପଡ଼ା ଥାନା ଅଧୀନ ଭାଲିଆଝର ଗ୍ରାମର ସଞ୍ଜୟ ବାରିକ ଓରଫ୍ ବାଙ୍କା ଓ ତାଙ୍କ ସାନଭାଇ ଅଜୟ ବାରିକ। ଖଲ୍ଲିକୋଟ ଥାନା ଅଧୀନ ମରେଇନୂଆଗାଁ ନିକଟ ରାସ୍ତାକଡ଼ରୁ ଉଭୟଙ୍କ ଅର୍ଦ୍ଧଦଗ୍ଧ ଶବ ଠାବ ହୋଇଛି। ମୃତ ଦୁଇଭାଇଙ୍କ ନାମରେ ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି। କିଛିଦିନ ତଳେ ସେମାନେ ଜେଲ୍‌ରୁ ମୁକୁଳିଥିଲେ। ତେବେ ପ୍ରତିପକ୍ଷ ଗୋଷ୍ଠୀ ସହ ସେମାନଙ୍କର ବହୁଦିନରୁ ଛକାପଞ୍ଝା ଲାଗି ରହିଥିଲା। ଆଉ କିଛିଦିନ ତଳେ ଜଣେ ଯୁବତୀଙ୍କୁ କମେଣ୍ଟ୍ ମାରିବାକୁ ନେଇ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଫଳରେ ଉଭୟଙ୍କୁ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା।

Advertisment

ରାସ୍ତାକଡ଼ରୁ ଅର୍ଦ୍ଧଦଗ୍ଧ ଶବ ଜବତ, ପୁଲିସର ତନାଘନା

ଆଜି ସକାଳ ୬ଟାରେ ହତ୍ୟାକାରୀମାନେ କଥା ହେବା ବାହାନାରେ ପ୍ରଥମେ ସଞ୍ଜୟଙ୍କୁ ଶାଳବଣ ଗ୍ରାମ ନିକଟକୁ ଡାକିଥିଲେ। ଖବର ପାଇ ସାନଭାଇ ଅଜୟ ସେଠାରେ ପହଞ୍ଚିଥିଲେ। ପରେ ଦୁଇଭାଇଙ୍କୁ ସେମାନେ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଥିଲେ। ଉଭୟଙ୍କ ଶବକୁ ମରେଇନୂଆଗାଁ ନିକଟ ରାସ୍ତାକଡ଼କୁ ନେଇ ସେଠାରେ ଥିବା ଏକ ପାଳଗଦାରେ ରଖି ଜାଳିଦେଇଥିଲେ। କିଛି ସମୟ ପରେ ସେମାନଙ୍କ ଅଧାପୋଡ଼ା ଶବକୁ ସ୍ଥାନୀୟ ଲୋକେ ଠାବ କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ଦୀପକ କୁମାର ମିଶ୍ର, ବେଗୁନିଆପଡ଼ା ଥାନାଧିକାରୀ ଭଗବାନ ପୂଜାରୀ, ଖଲ୍ଲିକୋଟ ଥାନାଧିକାରୀ ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଦୁଇଭାଇଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି।  ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ଧରପଗଡ଼ ଆରମ୍ଭ କରିଛି।