କାଶୀପୁରକୁ ଲେଉଟିଲା ଭିବ୍ରିଓ କଲେରା, ଜଳ ଓ ମଳ ନମୁନା ରିପୋର୍ଟରୁ ସ୍ପଷ୍ଟ ହେଲା

ସ୍ଥିତି ନିୟନ୍ତ୍ରଣକୁ ଆସିବା ପାଇଁ ଲାଗିଯିବ ୩ ମାସ!

ରାୟଗଡ଼ା : କାଶୀପୁରକୁ ଲେଉଟିଛି ଭିବ୍ରିଓ କଲେରା। ଆରଏମ୍‌ଆରସି ଲ୍ୟାବ୍‌ରେ ପରୀକ୍ଷଣ ପରେ ଜଳ ଓ ମଳ ଉଭୟ ନମୁନାରେ କଲୋରା ଭୂତାଣୁ ଥିବା ସ୍ପଷ୍ଟ୍ ହୋଇଛି। ୧୫ବର୍ଷର ବ୍ୟବଧାନ ପରେ ଏହି ମାରାତ୍ମକ ଭୂତାଣୁ ପୁଣି ଚିହ୍ନଟ ହୋଇଥିବାରୁ ମୁକାବିଲା ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଏପରିକି ବ୍ଲକ୍‌ର ସମସ୍ତ ଜଳ ଉତ୍ସ, ଭୂତଳ ଜଳ, ଗାଁ ପାଖ ଦେଇ ପ୍ରବାହିତ ନଦୀ, ନାଳ ଓ କୂଅର ଜଳ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଥିବା କହିଛନ୍ତି ଜିଲ୍ଲାପାଳ ସ୍ବଧା ଦେବ ସିଂ।

ସୂଚନା ଅନୁସାରେ, କ୍ରମାଗତ ବର୍ଷା ଯୋଗୁ ଜଳରେ ଥିବା ଭୂତାଣୁ ଚାରିଆଡ଼କୁ ବ୍ୟାପୁଥିବାରୁ କାଶୀପୁରର ସମସ୍ତ ଜଳ ଉତ୍ସର ବ୍ୟବହାର ଉପରେ ରୋକ୍ ଲଗାଇଛି ପ୍ରଶାସନ। ଆସନ୍ତା ୪ଦିନ ମଧ୍ୟରେ ଜଳ ଉତ୍ସ ଗୁଡ଼ିକର ପରୀକ୍ଷା କରି ବ୍ୟବହାର ଉପଯୋଗୀ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଭୂତାଣୁ ମୁକ୍ତ ହେବା ପର୍ଯ୍ୟନ୍ତ ପ୍ରଭାବିତ ଗ୍ରାମ ଓ ଆକ୍ରାନ୍ତଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ବିଭିନ୍ନ ଗ୍ରାମରେ ଅଚଳ ଅବସ୍ଥାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ମିଳିଛି। ଆକ୍ରାନ୍ତଙ୍କ ସଂଖ୍ୟା ଗାଁ ଗାଁରେ ବଢ଼ୁଥିବାରୁ ପ୍ରତି ଗାଁକୁ ମୋବାଇଲ୍ ହେଲଥ୍ ୟୁନିଟ୍ ପଠାଇବା ସହ ଆଶା, ଏଏନ୍ଏମ୍‌ଙ୍କୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଆକ୍ରାନ୍ତ ଓ ଗୁରୁତରଙ୍କୁ ଡାକ୍ତରଖାନା ପଠାଇବା ଏବଂ ଡାକ୍ତରଙ୍କ ପରାମର୍ଶ ନେବାପାଇଁ ଜିଲ୍ଲା ପ୍ରଶାସନ ହେଲପ୍‌ ଲାଇନ୍ ନମ୍ବର ୯୪୩୭୪୪୮୭୪୭ ଜାରି କରିଛି।

ସମସ୍ତ ଜଳଉତ୍ସ ସଂକ୍ରମିତ, ବ୍ୟବହାର ଉପରେ ଲାଗିଲା ରୋକ୍
ନିୟନ୍ତ୍ରଣ ପାଇଁ କଲେରା ପ୍ରୋଟକଲ୍ ଅନୁସାରେ ଚିକିତ୍ସା
ବୁଲିବ ମୋବାଇଲ୍ ହେଲଥ୍ ୟୁନିଟ୍, ହେଲପ୍ ଲାଇନ୍ ନମ୍ବର ଜାରି

କଲେରା ପ୍ରୋଟୋକଲ୍ ଅନୁଯାୟୀ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉତ୍କଳ ଆଲୁମିନାର ଉଷାପଡ଼ା ହସ୍‌ପିଟାଲ୍ ସହ ୬ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଠିକ୍ ଚିକିତ୍ସା ପଦ୍ଧତି ଦ୍ବାରା ୩/୪ ଦିନରେ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଗାଁରେ ଥିବା ଆକ୍ରାନ୍ତ ଡାକ୍ତରଖାନାକୁ ଆସିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି। ଭୂତାଣୁ ବ୍ୟାପୁଥିବା ଗାଁ ଗୁଡ଼ିକରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଜାରି ରଖିଛନ୍ତି ସ୍ବାସ୍ଥ୍ୟ କର୍ମୀ। ନମୁନା ସଂଗ୍ରହ ଓ ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ସମସ୍ତେ ଗରମ ପାଣି ପିଇବା ସହ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଗରମ ପାଣି ବ୍ୟବହାର କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ପରେ ଏହାର ସ୍ଥାୟୀ ନିରାକରଣ ପାଇଁ ଭୁବନେଶ୍ବରରୁ ଆରଏମ୍‌ଆରସିର ବରିଷ୍ଠ ବୈଜ୍ଞାନିକ ବିଭୂତି ଭୂଷଣ ପାଲଙ୍କ ନେତୃତ୍ବରେ ଏକ ଟିମ୍ କାଶୀପୁରରେ ପହଞ୍ଚି ପ୍ରଭାବିତ ଗ୍ରାମ ସମେତ ଅନ୍ୟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସନ୍ଦେହ ପରିସରକୁ ଆସୁଥିବା ସ୍ଥାନରୁ ନମୁନା ସଂଗ୍ରହ କରି ଅନୁଧ୍ୟାନ ଜାରି ରଖିଛନ୍ତି। ରବିବାର କୋରାପୁଟ ମେଡିକାଲ୍ କଲେଜର ବିଶେଷଜ୍ଞ ଟିମ୍ ମଧ୍ୟ ଟିକିରି, ଡଙ୍ଗାସିଲ୍, ଦୁଡୁକାବାହଲ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭିବ୍ରିଓ କଲେରା ଭୂତାଣୁ ଦ୍ବାରା ଜଳ ସଂକ୍ରମିତ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନେଇ ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି।

ସୂଚନାଯୋଗ୍ୟ, ୨୦୦୭ ମସିହାରେ ଚିହ୍ନଟ ହୋଇଥିବା ଭିବ୍ରିଓ କଲେରା ଭୂତାଣୁ ସମସ୍ତ ଗାଁକୁ ମାଡ଼ିବା ସହ ଶତାଧିକଙ୍କୁ ଆକ୍ରାନ୍ତ କରିଥିଲା। ୭୦ରୁ ଊର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୦ ମସିହାରେ ମଧ୍ୟ ୩୦ଜଣଙ୍କ ଜୀବନ ନେଇଥିଲା ଏହି ମାରାତ୍ମକ ଭୂତାଣୁ।

ସମ୍ବନ୍ଧିତ ଖବର