କାଶୀପୁରକୁ ଲେଉଟିଲା ଭିବ୍ରିଓ କଲେରା

ଜଳ ଓ ମଳ ନମୁନା ପରୀକ୍ଷଣ ରିପୋର୍ଟରୁ ହେଲା ସ୍ପଷ୍ଟ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁରକୁ ଲେଉଟିଛି ଭିବ୍ରିଓ କଲେରା। ୧୫ ବର୍ଷର ବ୍ୟବଧାନ ପରେ ଏହି ମାରାତ୍ମକ ଭୂତାଣୁ ପୁଣି ଚିହ୍ନଟ ହୋଇଥିବାରୁ ମୁକାବିଲା ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ। ଆରଏମଆରସି ଲ୍ୟାବରେ ପରୀକ୍ଷଣ ପରେ ଜଳ ଓ ମଳ ଉଭୟ ନମୁନାରେ କଲେରା ଭୂତାଣୁ ଥିବା ସ୍ପଷ୍ଟ୍ ହୋଇଛି। ଏପରିକି ବ୍ଲକର ସମସ୍ତ ଜଳ ଉତ୍ସ, ଭୂତଳ ଜଳ, ଗାଁ ପାଖ ଦେଇ ପ୍ରବାହିତ ନଦୀ, ନାଳ ଓ କୂଅର ଜଳ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି ଜିଲ୍ଲାପାଳ ସ୍ବଧା ଦେବ ସିଂ।

କ୍ରମାଗତ ବର୍ଷା ଯୋଗୁ ଜଳରେ ଥିବା ଭୂତାଣୁ ଚାରିଆଡ଼କୁ ବ୍ୟାପୁଥିବାରୁ କାଶୀପୁରର ସମସ୍ତ ଜଳ ଉତ୍ସର ବ୍ୟବହାର ଉପରେ ରୋକ୍ ଲଗାଇଛି ପ୍ରଶାସନ। ଆସନ୍ତା ୪ ଦିନ ମଧ୍ୟରେ ଜଳ ଉତ୍ସର ପରୀକ୍ଷଣ କରି ବ୍ୟବହାର ଉପଯୋଗୀ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଭୂତାଣୁ ମୁକ୍ତ ହେବା ପର୍ଯ୍ୟନ୍ତ ପ୍ରଭାବିତ ଗ୍ରାମ ଓ ଆକ୍ରାନ୍ତଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ବିଭିନ୍ନ ଗ୍ରାମରେ ଅଚଳ ଅବସ୍ଥାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ତୁରନ୍ତ ମରାମତି କରିବାକୁ ନିର୍ଦେଶ ହୋଇଛି।

ସମସ୍ତ ଜଳଉତ୍ସ ସଂକ୍ରମିତ, ବ୍ୟବହାର ଉପରେ ଲାଗିଲା ରୋକ୍

ନିୟନ୍ତ୍ରଣ ପାଇଁ କଲେରା ପ୍ରୋଟକଲ୍ ଅନୁସାରେ ଚିକିତ୍ସା ଆରମ୍ଭ

ବୁଲିବ ମୋବାଇଲ୍ ହେଲଥ୍ ୟୁନିଟ୍, ଜାରି ହେଲା ହେଲପ୍ ଲାଇନ୍ ନମ୍ବର 

ଆକ୍ରାନ୍ତଙ୍କ ସଂଖ୍ୟା ଗାଁ ଗାଁରେ ବଢ଼ୁଥିବାରୁ ପ୍ରତି ଗାଁକୁ ମୋବାଇଲ୍ ହେଲଥ୍ ୟୁନିଟ୍ ପଠାଇବା ସହ ଆଶା, ଏଏନ୍ଏମକୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଆକ୍ରାନ୍ତ ଓ ଗୁରୁତରଙ୍କୁ ମେଡ଼ିକାଲ୍ ପଠାଇବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଜିଲ୍ଲା ପ୍ରଶାସନ ହେଲପ ଲାଇନ୍ ନମ୍ବର ଜାରି କରିଛି। କଲେରା ପ୍ରୋଟୋକଲ୍ ଅନୁଯାୟୀ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉତ୍କଳ ଆଲୁମିନାର ଉଷାପଡ଼ା ମେଡ଼ିକାଲ୍ ସହ ୬ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସଠିକ୍ ଚିକିତ୍ସା ପଦ୍ଧତି ଦ୍ବାରା ୩/୪ ଦିନରେ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଗାଁରେ ଥିବା ଆକ୍ରାନ୍ତ ମେଡ଼ିକାଲକୁ ଆସିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି। ଭୂତାଣୁ ବ୍ୟାପୁଥିବା ଗାଁ ଗୁଡ଼ିକରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଜାରି ରଖିଛନ୍ତି ସ୍ବାସ୍ଥ୍ୟ କର୍ମୀ। ନମୁନା ସଂଗ୍ରହ ଓ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ସଭିଁଏ ଗରମ ପାଣି ପିଇବା ସହ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଗରମ ପାଣି ବ୍ୟବହାର କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ପରେ ଏହାର ସ୍ଥାୟୀ ନିରାକରଣ ପାଇଁ ଭୁବନେଶ୍ବରରୁ ଆରଏମଆରସିର ବରିଷ୍ଠ ବୈଜ୍ଞାନିକ ବିଭୂତି ଭୂଷଣ ପାଲଙ୍କ ନେତୃତ୍ବରେ ଏକ ଟିମ୍ କାଶୀପୁରରେ ପହଞ୍ଚି ପ୍ରଭାବିତ ଗ୍ରାମ ସମେତ ଅନ୍ୟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସନ୍ଦେହ ପରିସରକୁ ଆସୁଥିବା ସ୍ଥାନରୁ ନମୁନା ସଂଗ୍ରହ କରି ଅନୁଧ୍ୟାନ ଜାରି ରଖିଛନ୍ତି। ରବିବାର କୋରାପୁଟ ମେଡ଼ିକାଲ୍ କଲେଜର ବିଶେଷଜ୍ଞ ଟିମ୍ ମଧ୍ୟ ଟିକିରି, ଡଙ୍ଗାସିଲ୍, ଦୁଡୁକାବାହଲ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭିବ୍ରିଓ କଲେରା ଭୂତାଣୁ ଦ୍ବାରା ଜଳ ସଂକ୍ରମିତ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନେଇ ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି। ପୂର୍ବ ଥର ଭଳି ସ୍ଥିତି ମୁକାବିଲା ପାଇଁ ଅତି କମରେ ୩ ମାସ ଲାଗିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୭ରେ ଚିହ୍ନଟ ହୋଇଥିବା ଭିବ୍ରିଓ କଲେରା ଭୂତାଣୁ ସମସ୍ତ ଗାଁକୁ ମାଡ଼ିବା ସହ ଶତାଧିକଙ୍କୁ ଆକ୍ରାନ୍ତ କରିଥିଲା। ୭୦ରୁ ଉର୍ଧ୍ବଙ୍କ ମୃତ୍ୟୁ ହୋଇଥିଲା। ୨୦୧୦ରେ ମଧ୍ୟ ୩୦ ଜଣଙ୍କ ଜୀବନ ନେଇଥିଲା। ପୂର୍ବ ଅପେକ୍ଷା ପ୍ରଶାସନ ଅଧିକ ତତ୍ପର ହେବା ସହ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିଥିବାରୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି। ତେବେ ବହୁ ଗାଁକୁ ଯାତାୟାତ ସୁବିଧା ନଥିବାରୁ ଆକ୍ରାନ୍ତଙ୍କୁ ମେଡ଼ିକାଲ୍ ଆଣିବାରେ ଅସୁବିଧା ହେଉଥିବା ଜିଲ୍ଲାପାଳ କହିଛନ୍ତି। ୨୦୨୨ରେ ଫେରିଥିବା କଲେରା ୭ ଜଣଙ୍କ ଜୀବନ ନେବା ସହ ୯୦ରୁ ଉର୍ଧ୍ବଙ୍କୁ ଆକ୍ରାନ୍ତ କଲାଣି।

ସମ୍ବନ୍ଧିତ ଖବର